ଦେଶୀ ମଦ କାରଖାନାରେ ଚଢ଼ାଉ, ମାଟି ତଳୁ ୧୬୦୦ କିଲୋ ମହୁଲ ପୋଚ ଜବତ

Illegal Wine Shop

ମୟୂରଭଞ୍ଜ: ମୟୂରଭଞ୍ଜ ଅବକାରୀ ଅଧିକ୍ଷକ ପି. ଧରୁଆଙ୍କ ନିର୍ଦ୍ଦେଶ କ୍ରମେ ବିଶୋଇ ଅବକାରୀ ବିଭାଗ ପକ୍ଷରୁ ଇଂଚ ଜଙ୍ଗଲ ଅଂଚଳରେ ଶୁକ୍ରବାର ଚଢାଉ କରାଯାଇଛି । ଏଥିରେ ବିପୁଳ ପରିମାଣର ମହୁଲ ପୋଚ ଓ ଦେଶୀ ମଦ ଜବତ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ ବିଶୋଇ ଅବକାରୀ କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ରାଇରଂଗପୁର ଓଆଇସି ହରିହର ସିଂହ ଓ ଟିମ୍‌ ଚଢ଼ାଉ କରିଥିଲେ ।

ରାଇରଂଗପୁର ବନଖଣ୍ଡ ବିଶୋଇ ଓ ମଣଦା ପାହାଡ ଉପରେ ଚାଲିଥିବା ବେଆଇନ୍‌ ଦେଶୀ ମଦ କାରାଖାନା ଉପରେ ଅତର୍କିତ ଚଢାଉ ହୋଇଥିଲା । ଚଢ଼ାଉ ବେଳେ ବିପୁଳ ପରିମାଣର ମଦ ଜବତ କରାଯାଇଛି । କୁଣ୍ଡରା ସଂରକ୍ଷିତ ଜଙ୍ଗଲ ମାଟି ତଳୁ ୯ ଶହ କିଲୋ, ମଣଦା ମଙ୍ଗଳପୁର ସଂରକ୍ଷିତ ଜଙ୍ଗଲରୁ ୬ ଶହ କିଲୋ ଓ ବାଢୁଣିଆ ସଂରକ୍ଷିତ ଜଙ୍ଗଲରୁ ପ୍ରାୟ ୧ ଶହ କିଲୋ ମହୁଲ ପୋଚ ଜବତ କରାଯାଇଛି । ଏହାସହ ପ୍ରସ୍ତୁତ ହୋଇରହିଥିବା ୧୦ ଲିଟର ଚୋରା ଦେଶୀ ମଦ ମଧ୍ୟ ଜବତ କରାଯାଇଛି ।

ଖାଲି ସେତିକି ନୁହେଁ ମଦ ରନ୍ଧା ସାଜ ସରଂଜାମ ଜବତ କରି ପୋଚକୁ ନଷ୍ଟ କରିବା ସହ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ଅବକାରୀ ଟିମ୍‌ର ଆସିବା ସୁରାକ ପାଇ ଚୋରା ମଦ ରନ୍ଧାଳୀ ଓ ବେପାରୀ ସେଠାରେ ଫେରାର ହେବାରେ ସକ୍ଷମ ହୋଇଥିଲେ । ଶିମିଳିପାଳ ଜୈବମଣ୍ଡଳ ପାଦଦେଶରେ ଅବସ୍ଥିତ ବଣପାହାଡ ଘେରା ବିଶୋଇ ବ୍ଲକର ବିଭିନ୍ନ ଅଗମ୍ୟ ଓ ଦୁର୍ଗମ ଅଂଚଳରେ ଚୋରା ଦେଶୀ ମଦ ତିଆରି କାରଖାନା ଅବାଧରେ ଚାଲିଥିବା ଅଭିଯୋଗ ହୋଇଆସୁଛି । ତେଣୁ ଏହି ଅଂଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ ଅଭିଯାନକୁ ନିୟମିତ ଭାବେ ଆହୁରି ଅଧିକ ଜୋରଦାର କରିବା ପାଇଁ ଓଆଇସି ଶ୍ରୀ ସିଂ କହିଛନ୍ତି ।

Leave a Reply