ଚିନ୍ ରେ ନିମୋନିଆ ପରି ଏକ ସଂକ୍ରମଣ ବ୍ୟାପିବାରେ ଲାଗିଛି

1 min read

ନନ୍ଦିଘୋଷ ବ୍ୟୁରୋ : ଚୀନରୁ ଜାତ କୋଭିଡ ସାରା ବିଶ୍ବକୁ ଧ୍ବସ୍ତବିଧ୍ବସ୍ତ କରିଥିବା ବେଳେ ଏବେ ଆଉ ଏକ ବିପଦ ଚିନ୍ତାର କାରଣ ହୋଇଛି । ଦେଶର ବହୁ ସ୍କୁଲରେ ନିମୋନିଆ ପରି ଏକ ସଂକ୍ରମଣ ବ୍ଯାପିବାରେ ଲାଗିଛି । ଦେଶରେ କୋଭିଡ ସଂକ୍ରମଣ ବିପଦ ନଟଳୁଣୁ ସନ୍ଦିଗ୍ଧ ନିମୋନିଆ ବିପଦ ଚିନ୍ତାର କାରଣ ହୋଇଛି । ସନ୍ଦିଗ୍ଧ ନିମୋନିଆ ପୀଡିତ ପିଲାଙ୍କୁ ବହୁ ସଂଖ୍ଯାରେ ହସ୍ପିଟାଲରେ ଭର୍ତ୍ତି କରାଯାଉଥିବାବେଳେ ଦେଶରେ ଏକ ନୂଆ ସଂକଟ ସୃଷ୍ଟି ହୋଇଛି । ରାଜଧାନୀ ବେଜିଂ ଓ ଲିଓନିଙ୍ଗରେ ନିମୋନିଆ ତୀବ୍ର ବେଗରେ ପ୍ରସାରିତ ହେଉଛି । ଶହ ଶହ ଛାତ୍ରଛାତ୍ରୀ ଏହି ରୋଗରେ ସଂକ୍ରମିତ ହେବା ଦେଖାଯାଉଛି । ପିଲାମାନଙ୍କ ନିକଟରେ ଫୁସଫୁସ ସଂକ୍ରମଣ, ଅଧିକ ତାତି ରହୁଥିବା ଜ୍ବର ରହୁଛି । ତେବେ ନିମୋନିଆର ଅନ୍ୟତମ ଲକ୍ଷଣ କଫ ଓ ଶ୍ବାସଜନିତ ଯନ୍ତ୍ରଣା ପରିଲକ୍ଷିତ ହେଉନାହିଁ । ସେପଟେ ଏହି ସନ୍ଦିଗ୍ଧ ରୋଗକୁ ନେଇ ସତର୍କ କରାଇଛି ବିଶ୍ବରେ ମଣିଷ ଓ ପ୍ରାଣୀଙ୍କ କ୍ଷେତ୍ରରେ ଦେଖାଯାଉଥିବା ରୋଗଗୁଡିକ ଉପରେ ଦୃଷ୍ଟି ରଖୁଥିବା ସଂସ୍ଥା ପ୍ରୋମେଡ । Chinese hospitals swamped with severe child pneumonia cases — Radio Free Asia

ସଂସ୍ଥା କହିଛି ଚିହ୍ନଟ ହୋଇପାରି ନଥିବା ଏହି ସନ୍ଦିଗ୍ଧ ନିମୋନିଆ ମହାମାରୀ ସୃଷ୍ଟି କରିବା ଆଶଙ୍କା ରହିଛି । ଗତ 2019ରେ ବି କୋଭିଡକୁ ନେଇ ପ୍ରୋମେଡ ସଂସ୍ଥା ଆଲର୍ଟ ଜାରି କରିଥିଲା । ବିଶ୍ବ ସ୍ବାସ୍ଥ୍ଯ ସଂଗଠନର କର୍ମକର୍ତ୍ତା, ବୈଜ୍ଞାନିକ, ମେଡିକାଲ ବିଶେଷଜ୍ଞଙ୍କୁ ଏହି ସଂସ୍ଥା କୋଭିଡ ଏକ ମହାମାରୀ ହେବାକୁ ଯାଉଛି ବୋଲି ସତର୍କ କରାଇଥିଲା । ସଂସ୍ଥା କହିଛି- ସନ୍ଦିଗ୍ଧ ରୋଗ କେଉଁଠାରୁ ଉତ୍ପନ୍ନ ହୋଇଛି ତାହା ଜଣାପଡିନାହିଁ । ପିଲାଙ୍କୁ ଏହି ରୋଗ ତୁରନ୍ତ ଆକ୍ରମଣ କରୁଥିବା ସୂଚନା ମିଳିଛି । ତେଣେ ଏହି ରୋଗ ସମ୍ପର୍କରେ ଚୀନକୁ ସବିଶେଷ ବିବରଣୀ ମାଗିଛି ବିଶ୍ବ ସ୍ବାସ୍ଥ୍ଯ ସଂଗଠନ ।