ପୁରୁଣା ୫ ଶହ ଓ ହଜାରେ ଟଙ୍କିଆ ନୋଟ୍ ବଦଳାଇବାକୁ ତାନ୍ତ୍ରିକ ପାଖକୁ ଯିବା ବେଳେ ମାଡ଼ି ବସିଲା ପୋଲିସ, ୪୭ ଲକ୍ଷ ଜବତ

ଗ୍ବାଲିୟର: ମଧ୍ୟ ପ୍ରଦେଶର ଗ୍ବାଲିୟରରେ ପୋଲିସକୁ ବଡ଼ ସଫଳତା । ପୁରୁଣା ୫ ଶହ ଓ ହଜାରେ ଟଙ୍କିଆ ନୋଟ୍ ବଦଳାଇବାକୁ ଯାଇ ଜଣେ ଗିରଫ । ଅଭିଯୁକ୍ତ ପାଖରୁ ୪୭ ଲକ୍ଷ ଟଙ୍କାର ପୁରୁଣା ୫ ଶହ ଓ ହଜାରେ ଟଙ୍କିଆ ନୋଟ୍ ଜବତ । ଅଭିଯୁକ୍ତ ଜଣଙ୍କ ମୋରେନାର ସୁଲତାନ କରୋସିୟା ବୋଲି ଜଣାପଡ଼ିଛି । ତନ୍ତମନ୍ତ୍ର ମାଧ୍ୟମରେ ଏହି ଅଚଳ ଟଙ୍କାକୁ ବଦଳାଇବାକୁ କରିଥିଲା ଯୋଜନା । ଏକ ଅଳିଆ ଗଦାରୁ ସେ ଏହି ଟଙ୍କା ପାଇଥିବା ଓ ସେବେଠାରୁ ଲୁଚାଇ ରଖିଥିବା ପୋଲିସ ଆଗରେ କହିଛି ଅଭିଯୁକ୍ତ ।
ଟଙ୍କାକୁ ବଦଳାଇବାକୁ ତାନ୍ତ୍ରିକ ପାଖକୁ ଯାଉଥିଲା
ଅଭିଯୁକ୍ତ କହିଛି, ପୁରୁଣା ଟଙ୍କାକୁ ନୂଆ ଟଙ୍କାରେ ପରିବର୍ତ୍ତନ କରିବାକୁ ଜଙ୍ଗଲରେ ରହୁଥିବା ଜଣେ ତାନ୍ତ୍ରିକ ପାଖକୁ ନେଉଥିଲା । ଫୋନ କଲରେ ଜଣେ ତାନ୍ତ୍ରିକ ଜଣଙ୍କ ଏହି ପୁରୁଣା ନୋଟ୍ ବଦଳାଇ ପାରିବ ବୋଲି କହିଥିଲା । ଏକ ଜିନକୁ ସେ ବଶ କରି ରଖିଛି ଓ ସେ ଏହି ନୋଟକୁ ନୂଆ ନୋଟରେ ପରିଣତ କରିପାରିବ ବୋଲି ତାନ୍ତ୍ରିକ କହିଥିଲା ।
ପୋଲିସ କହିଛି, ଗୁପ୍ତ ସୂଚନା ମିଳିବା ପାରେ ମୋରେନା ରାସ୍ତାରେ ଜଣେ ବାଇକ ଚାଳକକୁ ଅଟକା ଯାଇଥିଲା । ପୋଲିସକୁ ଦେଖି ବ୍ୟକ୍ତି ଜଣଙ୍କ ଖସି ଯିବାକୁ ଚେଷ୍ଟା କରିଥିଲା । ତା’ ବ୍ୟାଗରୁ ୪୭ ଲକ୍ଷ ଟଙ୍କାର ପୁରୁଣା ୫ ଶହ ଓ ହଜାରେ ଟଙ୍କିଆ ନୋଟ ମିଳିଥିଲା ।