ପଶ୍ଚିମ ଓଡ଼ିଶାରେ ଲେଖାହେବ ବିକାଶର ନୂଆ ଅଧ୍ୟାୟ, ୩ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1 min read

ଭୁବନେଶ୍ୱର: ଆଜି ପଶ୍ଚିମ ଓଡ଼ିଶାରେ ଲେଖାହେବ ନୂଆ ଅଧ୍ୟାୟ । ୩ ଜିଲ୍ଲାରେ ଉଇଁବ ବିକାଶର ନବୀନ ସୂର୍ଯ୍ୟ । ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପ ଭେଟିଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସକାଳ ୧୦ଟା ୩୦ରେ ପଦମପୁର ସତୀଭଟ୍ଟା ଏଆରଷ୍ଟ୍ରିପରେ ପହଞ୍ଚି ସେଠାରୁ ସୋହେଲାକୁ ଯିବେ । ହଳଦୀପାଲି ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ୨୧୭ କୋଟି ଟଙ୍କାର ୨୩୪ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତି ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ୧୧ଟା ୪୫ ମିନିଟରେ ସୋହେଲାରୁ ଘେଁସ ପର୍ଯ୍ୟନ୍ତ ପ୍ରାୟ ୧୮ କିଲୋମିଟର ପର୍ଯ୍ୟନ୍ତ ରୋଡ଼ ସୋ କରିବେ ନବୀନ । ଏହି ସମୟରେ ରାସ୍ତାପାର୍ଶ୍ବ ସୁବିଧା କେନ୍ଦ୍ର ସାଙ୍ଗକୁ ସହିଦ କୁଞ୍ଜଳ ସିଂଙ୍କ ନାମରେ ନିର୍ମିତ ଉଦ୍ୟାନର ଶୁଭ ଉଦଘାଟନ କରିବେ ।

ସହିଦ ମାଧୋ ସିଂଙ୍କ ପ୍ରତିମୂର୍ତ୍ତି ଉଦଘାଟନ ପରେ ଲୋକଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରେ ମଧ୍ୟାହ୍ନ ୧୨ଟା ୪୦ ମିନିଟରେ ନୂଆପଡ଼ା ଜିଲ୍ଲାର ସିଲେଟପାଣି ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସାଧାରଣ ସଭାରେ ଯୋଗଦେଇ ପଶ୍ଚିମ ଓଡ଼ିଶାର ଲାଇଫ ଲାଇନ୍ ବିଜୁ ଏକ୍ସପ୍ରେସ ଓ୍ବେର ଲୋକାର୍ପଣ କରିବେ ନବୀନ । ଏହାଛଡ଼ା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ସହିତ ଅନେକ ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ କଳାହାଣ୍ଡି ଯିବେ ନବୀନ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବୃନ୍ଦା ବାହାଲ ଖେଳ ପଡ଼ିଆରେ ପହଞ୍ଚି ସାଧାରଣ ସଭାରେ ଯୋଗଦେବେ । ଆମ୍ବପାଣିଠାରୁ ଧର୍ମଗଡ଼ ଭାୟା ଗୋଲାମୁଣ୍ଡା ସିନାପାଲି ପର୍ଯ୍ୟନ୍ତ ନିର୍ମିତ ବିଜୁ ଏକ୍ସପ୍ରେସ ଓ୍ବେର ଲୋକାର୍ପଣ କରିବେ ନବୀନ । ସେଠାରୁ ୬୧ କିଲୋମିଟର ଦୂର ଆମ୍ବପାଣି ପର୍ଯ୍ୟନ୍ତ ବସରେ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ । ନବୀନଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷ ବ୍ୟବସ୍ଥା କଡ଼ାକଡି ହୋଇଛି ।

Chief Minister Naveen Patnaik will visit 3 districts