ଗୋଟିଏ ଜାତି ମାତୃଭାଷାକୁ ହରାଇ ପ୍ରକୃତ ଜୀବନ ବଞ୍ଚିପାରିବନି: ଡକ୍ଟର ଗାୟତ୍ରୀବାଳା ପଣ୍ଡା
1 min readଭୁବନେଶ୍ବର: ପ୍ରତ୍ୟେକ ଭାଷା ହେଉଛି ଲୋକଙ୍କ ଆତ୍ମାର ପରିଚୟ। ଜାତି ଯଦି ମାତୃଭାଷାକୁ ହରାଏ, ସେ ବଞ୍ଚି ପାରିବନି। ସେ ପରିଚୟ ହରାଏ। ଭାଷାକୁ ନେଇ ଗଢି ଉଠେ ଜାତିର ସ୍ୱାଭିମାନ, ଐତିହ୍ୟ, ସଂସ୍କୃତି, କଳା। ଏହା ଭାବ ପ୍ରକାଶର ମାଧ୍ୟମ। ଏହାର ସୁରକ୍ଷା ଆବଶ୍ୟକ ବୋଲି କହିଛନ୍ତି କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର ପ୍ରାପ୍ତ କବୟତ୍ରୀ ଡକ୍ଟର ଗାୟତ୍ରୀବାଳା ପଣ୍ଡା। ପ୍ରଥମ ବିଶ୍ବ ଓଡ଼ିଆ ସମ୍ମିଳନୀ ଅବସରରେ ସୋଆରେ ଓଡ଼ିଆ ଭାଷା ସାହିତ୍ଯ ଓ ସଂସ୍କୃତି ବିମର୍ଶରେ ଆୟୋଜିତ ଆଲୋଚନା ଚକ୍ରରେ ଯୋଗଦେଇ ପ୍ରାଚୀନ ମୁଖ୍ଯ ଡକ୍ଟର ପଣ୍ଡା କହିଛନ୍ତି- ଯଦି ଗୋଟିଏ ଜାତି, ବଂଶ ବା ଜନସାଧାରଣ ମାତୃଭାଷାକୁ ହରାନ୍ତି ତେବେ ତାଙ୍କର ପ୍ରକୃତ ଜୀବନ ବଞ୍ଚିପାରିବ ନାହିଁ। ଭାଷାର ବ୍ୟବହାର ବଢିଲେ, ଏହାର ବିକାଶ ହୋଇଥାଏ। ଏହାର ଶୁଦ୍ଧ ବ୍ୟବହାର ହେବା ଦରକାର। ଭାଷା ହିଁ ସଂସ୍କୃତିର ମୂଳମନ୍ତ୍ର। ଗୋଟିଏ ଜାତିକୁ ଏକତାର ସୂତ୍ରରେ ଭାଷା ବାନ୍ଧି ଥାଏ। ଭାଷା ହିଁ ଜାତିର ଅସ୍ମିତାର ପରିଚୟ। ପ୍ରାଥମିକ ଶିକ୍ଷା ମାତୃଭାଷାରେ ହେବା ଦରକାର। ଓଡ଼ିଆ ଭାଷା ସମ୍ମିଳନୀ ନୂଆ ପିଢ଼ିକୁ ଯୋଡିବା ସହ ଗବେଷଣା ବଢାଇବ। ସୋଆର ପ୍ରାଚୀନ ବିଭାଗ ମାଧ୍ୟମରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ କାମ ଚାଲିଛି। ପ୍ରଥମ ବିଶ୍ବ ଓଡ଼ିଆ ସମ୍ମିଳନୀ ଓଡ଼ିଶା ସରକାରଙ୍କ ଏକ ଅଭିନବ ପଦକ୍ଷେପ। ଗୋଟିଏ ଜାତିର ଐତିହ୍ଯ, ସସ୍କୃତି, ପରମ୍ପରା, ଜୀବନ ଚର୍ଯ୍ୟା, କଳା ଓ ସାହିତ୍ଯର ବାହକ ହୋଇଥାଏ ଭାଷା। ଜାତୀୟ ଜୀବନ ଗଠନ ତଥା ସଂସ୍କୃତିରେ ଭାଷାର ବଳିଷ୍ଠ ଭୂମିକା ରହିଛି। ଓଡ଼ିଆ ଭାଷା ୨ ହଜାରରୁ ଅଧିକ ବର୍ଷ ପୁରାତନ। ଅଶୋକଙ୍କ ସମୟର ଭାଷା ହେଉ କମ୍ବା ଉଡ୍ର, ପ୍ରାକୃତ ଭାଷା ହେଉ- ସମସ୍ତ ପର୍ଯ୍ଯାୟରେ ଓଡ଼ିଆ ଭାଷାର ବିବର୍ତ୍ତନ ଘଟିଥିବାବେଳେ ସାରଳା ଦାସଙ୍କ ସମୟରେ ଉତ୍କର୍ଷତା ଲାଭ କରିଛି। ପରେ ବିଭିନ୍ନ ଶାସକଙ୍କ ସମୟରେ ଇଂରାଜୀ, ପାର୍ସି, ତୁର୍କୀ, ପର୍ତ୍ତୁଗୀଜ, ଫରାସୀ ଓ ଅନେକ ବୈଦେଶିକ ଶବ୍ଦ ଓଡ଼ିଆ ଶବ୍ଦ ଭଣ୍ଡାରକୁ ଆସିଛି । ଭାଷାର ବ୍ଯବହାର ଯେତେ ହେବ ତାହା ସେତେ ବିକଶିତ ହେବ ବୋଲି ସେ କହିଛନ୍ତି। ଅନ୍ଯତମ ଅତିଥି ଭାବେ ଯୋଗଦେଇ ସ୍ବାସ୍ଥ୍ଯମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି- ଓଡ଼ିଆ ଭାଷା ଓ ସାହିତ୍ୟ ସର୍ବଦା ନିଜ ପରିଚୟ ସୃଷ୍ଟି କରିଛି। ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଭାଷା ଭିତ୍ତିକ ପ୍ରଦେଶ ହୋଇଥିଲା। ଭାଷା ଅସ୍ମିତାର ପରିଚୟ। ଏହି ସମ୍ମିଳନୀ ଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆର ପ୍ରଚାର ପ୍ରସାର ହୋଇ ପାରିଵ। ଓଡ଼ିଆ ଭାଷାର ଗବେଷଣା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି।