ମୁନ୍, ସନ୍ ପରେ ଏବେ ଶୁକ୍ର ଅଭିଯାନ ଆରମ୍ଭ କରିବ ଇସ୍ରୋ

1 min read

ନୂଆଦିଲ୍ଲୀ: ମୁନ, ସନ ପରେ ଏବେ ଭେନସ ମିଶନ ।  ଶୁକ୍ର ଗ୍ରହକୁ ଅଭିଯାନ ଆରମ୍ଭ କରିବ ଇସ୍ରୋ । ପ୍ରଥମେ ଚନ୍ଦ୍ର ମିଶନ ଓ ପରେ ସୂର୍ଯ୍ୟ ମିଶନ ଏବେ ଶୁକ୍ର ଅଭିଯାନ ଆରମ୍ଭ କରିବା ଲାଗି ପ୍ରସ୍ତୁତି ଚଳାଇଛି ଇସ୍ରୋ । ସୌର ଜଗତର ସବୁଠାରୁ ଉଜ୍ଜ୍ବଳତମ ଗ୍ରହକୁ ସ୍ପେସ କ୍ରାଫ୍ଟ ପଠାଯିବ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟା ଏସ. ସୋମନାଥ ।

ଶୁକ୍ରକୁ ପଠାଯିବାକୁ ଥିବା ପେଲୋଡ ଗୁଡିକୁ ଇତି ମଧ୍ୟରେ ତିଆରି କରାଯାଇସାରିଛି । ଶୁକ୍ରର ଜଳବାୟୁ ଓ ତାହାର ପୃଷ୍ଠଦେଶ ସମ୍ପର୍କରେ ଗବେଷଣା ଇସ୍ରୋର ପ୍ରାଥମିକ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି । ଏହି ଅଭିଯାନକୁ ଶୁକ୍ରଯାନ କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ଜଣାଯାଇଛି- ଶୁକ୍ରଗ୍ରହର ପୃଷ୍ଠ ଦେଶ ଅତ୍ୟନ୍ତ ବହଳା ଏବଂ ଏସିଡରେ ପରିପୂର୍ଣ୍ଣ ।

ଶୁକ୍ରଗ୍ରହର ଜଳବାୟୁ ଜନିତ ଚାପ ପୃଥିବୀ ତୁଳନାରେ ଶହେ ଗୁଣ ଅଧିକ । ତେଣୁ ଶୁକ୍ର ଅଭିଯାନ ଅତ୍ୟନ୍ତ କଷ୍ଟସାଧ୍ୟ । ସୋମନାଥ କହିଛନ୍ତି- ବର୍ତ୍ତମାନ ସୁଦ୍ଧା ଜଣାନାହିଁ ଶୁକ୍ରର ପୃଷ୍ଠଦେଶ କଠିନ ନା ନରମ । ଶୁକ୍ର ସମ୍ପର୍କରେ ତଥ୍ୟ ମିଳିଲେ ପୃଥିବୀର ଭବିଷ୍ୟତ ସମ୍ପର୍କରେ ବି ତଥ୍ୟ ମିଳିପାରିବ । ସେ ଆହୁରି କହିଛନ୍ତି ଆଉ ୧୦ ହଜାର ବର୍ଷ ପରେ ପୃଥିବୀର ବୈଶିଷ୍ଟ୍ୟରେ ପରିବର୍ତ୍ତନ ବି ଘଟିବା ସମ୍ଭାବନା ରହିଛି । ଅନେକ ବର୍ଷ ପୂର୍ବରୁ ବି ପୃଥିବୀ ବସବାସ ଯୋଗ୍ୟ ନଥିଲା । ଆସନ୍ତା ୨୦୩୦ ବେଳକୁ ନାସା ଓ ୟୁରୋପୀୟ ସ୍ପେସ ଏଜେନ୍ସି ଶୁକ୍ର ଅଭିଯାନ କରିବାକୁ ଯୋଜନା ରଖିଥିବାବେଳେ ସେମାନଙ୍କ ପରେ ଭାରତ ବି ଏହି ମିଶନରେ ସାମିଲ ହେବ । ପୂର୍ବରୁ ଭାରତ ୨୦୧୩ରେ ମଙ୍ଗଳ ମିଶନରେ ସଫଳ ହୋଇଥିଲା ଏବଂ ମଙ୍ଗଳ ଗ୍ରହର ଅନେକ ତଥ୍ୟ ଇସ୍ରୋ ପାଇବାକୁ ସକ୍ଷମ ହୋଇଥିଲା ।