ରାଜସ୍ଥାନରେ ଭିଲଓ୍ବାରାରେ ନାବାଳିକାଙ୍କୁ ବୀଭତ୍ସ ହତ୍ୟା, ଇଟା ଭାଟିରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ

ଜୟପୁର: ରାଜସ୍ଥାନରେ ଭିଲଓ୍ବାରାରେ ନାବାଳିକାଙ୍କୁ ବୀଭତ୍ସ ହତ୍ୟା । ଇଟା ଭାଟିରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ । ଗଣଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ । ନରସିଂହପୁରର ଗ୍ରାମରୁ ନିଖୋଜ ନାବାଳିକାଙ୍କ ମୃତଦେହ ତିନି କିଲୋମିଟର ଦୂରରେ ଥିବା ଏକ ଇଟା ଭାଟିରୁ ମିଳିବା ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଗତକାଲି ନାବାଳିକା ତାଙ୍କ ମାଆଙ୍କ ସହ ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲରେ ନାବାଳିକା ମାଆଙ୍କଠାରୁ ଅଲଗା ହୋଇଯାଇଥିଲେ । ହେଲେ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ଆଜି ସକାଳୁ ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ଜୋତା ଓ ନାବାଳିକା ପିନ୍ଧିଥିବା ରୂପା କଡ଼ାରୁ ମୃତଦେହ ଚିହ୍ନଟ ହୋଇଛି ।

ପୋଲିସ ଅବହେଳାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରୁ ତିନି ସନ୍ଦିଗ୍ଧ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଓ ପୀଡ଼ିତା ପରିବାରକୁ ନ୍ୟାୟ ଦାବିରେ ଶତାଧିକ ଗ୍ରାମବାସୀ ଧାରଣା ଦେଇଛନ୍ତି । ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ହୋଇଛି । ବିରୋଧୀ ଦଳର କିଛି ନେତା ଧାରଣା ସ୍ଥଳରେ ପହଞ୍ଚି ସରକାର ବିରୋଧରେ ନାରାବାଜି କରିଛନ୍ତି ।