ଗାଧୋଇବା ବେଳେ ନାବାଳକର ଅସଦାଚରଣ, ନାବାଳିକା କଲା ଆତ୍ମହତ୍ଯା

ଗଞ୍ଜାମ: ବାହାବେଦୀରୁ ବିଦାୟ ଦେବା ଆଗରୁ କୋକେଇ ସଜାଡ଼ିଲେ ବାପା । ଆଞ୍ଜୁଳି ଚାଉଳ ଦେବା ଆଗରୁ ଦୁଆରେ ପଡ଼ିଲା ଖଇ କଉଡ଼ି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଡ଼ାଘାତୁଣିର ଏଦୃଶ୍ୟ ବେଶ୍ ହୃଦୟ ବିଦାରକ । ବଢିଲା ଝିଅର ଆତ୍ମହତ୍ୟାରେ ସବୁଠି କାନ୍ଦବୋବାଳି । ମାଆ ବେସାହାରା ବାପା ନିର୍ବାକ । ସାହିରୁ ଗାଁ ସବୁଠି ଶୋକାକୁଳ ପରିବେଶ ।

ହେଲେ ଝିଅର ଆତ୍ମହତ୍ୟାର କାରଣ ଖୁବ ଚିନ୍ତାଜନକ । ଅଭିଯୋଗଅନୁସାରେ ରାଜେନ୍ଦ୍ର ଗୌଡ଼ଙ୍କ ୧୫ବର୍ଷିୟା ଝିଅ ପୂଜା ଗୌଡ଼ ଗାଧୋଉଥିବା ସମୟରେ ଅସଦ ଆଚରଣ ସହିତ ଅଶ୍ଳୀଳ ଫଟୋ ଉଠାଇଥିଲେ ଜଣେ ନାବାଳକ । ପରେ ସେହି ଫଟୋକୁ ଭାଇରାଲ କରିଥିଲେ । ଏନେଇ ନାବାଳିକା ଜଣକ ଘରେ ଜଣାଇବା ପରେ ଗାଁ ସଭା ବସି ନାବାଳକଟି ବୟସ ହେଲେ ଝିଅକୁ ବିବାହ କରିବାକୁ ସ୍ଥିର ହୋଇଥିଲା ।

ହେଲେ ପରବର୍ତ୍ତ ସମୟରେ ନାବାଳକର ପରିବାର ରାଜେନ୍ଦ୍ରଙ୍କ ପରିବାରକୁ ଗାଳିଗୁଲଜ କରିବା ସହିତ ବିବାହ ପ୍ରସ୍ତାବକୁ ମନା କରିଦେଇଥିଲେ । ଏହାଛଡ଼ା ଝିଅର ଅନ୍ୟ ଅଶ୍ଲୀଳ ଫଟୋ ଭାଇରାଲ କରିଦେବାକୁ ଧମକ ଦେଇଥିଲେ । ଏପରି ଘଟିବା ଦ୍ୱାରା ଝିଅଟି ଭାଙ୍ଗିପଡ଼ିତିଲା  । ଫଳରେ ଗତ ୮ତାରିଖରେ ଆତ୍ମହତ୍ୟା କରିଥିଲେ ନାବାଳିକା । ଏନେଇ ଅଭିଯୋଗ ହେବା ପରେ ନାବାଳକ ସହିତ ତାର ଜଣେ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ ।