କରୋନାର ଏହି ଚିତ୍ର ଆପଣଙ୍କ ଆଖି କରିବ ଓଦା: ସାଇକେଲରେ ଅଖା,ଅଖାରେ ଝିଅ

ଲକ୍ଷ୍ନୌ: କରୋନା ଭାଇରସକୁ ହରାଇବାକୁ ଏବେ ବି ପ୍ରୟାସ ଜାରି ରହିଛି । ଆଉ ଏହି ପ୍ରୟାସ କେବେ ପର୍ଯ୍ୟନ୍ତ ଚାଲିବ ତାହା ମଧ୍ୟ ଜଣାନାହିଁ । କରୋନା ପାଇଁ ଜାରି ହୋଇଥିବା ଲକଡାଉନ କାରଣରୁ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଗରୀବ ଶ୍ରେଣୀର ଲୋକ । ଆଉ ଏହି ଲକଡାଉନ କରାଣରୁ ପ୍ରବାସୀ ଶ୍ରମିକଙ୍କ ଉପରକୁ ଦୁଃଖର ପାହଡ଼ ଖସି ପଡ଼ିଛି । କାମ ଧନ୍ଦା ନ ପାଇ ଘର ମୁହାଁ ହୋଇଛନ୍ତି ଏମାନେ । କେତେ ଦିନ ଆଉ ପାଖରେ ଥିବା ସଞ୍ଚୟକୁ ଖର୍ଚ୍ଚ କରିଥାନ୍ତେ ।  ସବୁ ସଞ୍ଚୟ ଏବେ ଖର୍ଚ୍ଚ ହୋଇସାରିଛି । ତେଣୁ ଏଭଳି ପରିସ୍ଥିତିରେ ଏକ ମାତ୍ରା ସାହାରା ହେଉଛି ନିଜ ଘର । ତେଣୁ କାହିଁ କେତେ ଦୂରରୁ ଏହି ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରୁଛନ୍ତି । କିନ୍ତୁ ଯଦି ଏଭଳି ପରିସ୍ଥିତିରେ ପରିବାରରେ କେହି ଦିବ୍ୟାଙ୍ଗ ଥାନ୍ତି ତେବେ ସେତେବେଳେ ଦୁଃଖ କହିଲେ ନ ସରେ । ଏମିତି ଏକ ଘଟଣା ଦେଖା ଦେଇଛି ଦିଲ୍ଲୀରୁ ଉତ୍ତରପ୍ରଦେଶ ଯାଉଥିବା ଜଣେ ପ୍ରବାସୀଙ୍କର ।

ଯିଏ ତାଙ୍କ ଦିବ୍ୟାଙ୍ଗ ଝିଅକୁ ଏକ ବୁଜୁଳିରେ ବାନ୍ଧି ସାଇକେଲରେ ସାହାଯ୍ୟ ନେଇ ଯାଉଛି ତା ଘରକୁ ।  ଏହି ଦୃଶ୍ୟ ଏବେ ସମସ୍ତଙ୍କୁ ମର୍ମାହତ କରିଛି ।  ଏହି ପ୍ରବାସୀ ଶ୍ରମିକ ନିଜ ପରିବାର ଏବଂ ସମ୍ପର୍କୀୟଙ୍କ ସହ ଦିଲ୍ଲୀରୁ ଉତ୍ତର ପ୍ରଦେଶ ତାଙ୍କ ଘରକୁ ଯାଉଛନ୍ତି ।  ଶ୍ରମିକ ଜଣକ ତାଙ୍କ ଦିବ୍ୟାଙ୍ଗ ଝିଅକୁ ସାଇକେଲରେ ଏକ ଅଖା ସାହାଯ୍ୟରେ ବାନ୍ଧି ନେଇଯାଉଛନ୍ତି ।

ଆଉ ସାଇକେଲର ସେହି ଧଳା ଅଖାରେ ବନ୍ଧା ହୋଇଥିବା ଛୋଟ ଝିଅଟି ଆଖିର ପ୍ରଶ୍ନକୁ ହୁଏତ ଆମେ କେହି ବୁଝି ପାରିବା  ନାହିଁ । ଧଳା ଅଖା ଭିତରୁ ମିଞ୍ଜି ମିଞ୍ଜି ହୋଇ ଦେଖୁଥିବା ଏହି ଝିଅଟି ହୁଏତ ପଚାରୁଛି, ବାପା ମୋତେ କାହିଁକି ଏମିତି ନେଇଯାଉଛ ? ମୁଁ ଏ ଅଖା ଭିତରେ କେତେ ଯେ କଷ୍ଟ ପାଉଛି ତାହା କଣ ବାପା ଦେଖିପାରୁ ନାହଁ ? ବାପା ମୋତେ ଆଉ କେତେ ଦୂର ଏମିତି ଅଖାରେ ଝୁଲେଇ ନେଇକି ଯିବ ? ଆଉ ଶେଷରେ ବାପା ମୋତେ କଷ୍ଟ ହେଉଛି ? ଏମିତି ବହୁତ ପ୍ରଶ୍ନ ଏହି ନିରିହ ଆଖି ପଚାରି ଚାଲିଛି ଆଉ ଉତ୍ତରରେ ବାପାଙ୍କର ସେଇ ଶୁଖିଲା ମୁହଁ । କାରଣ ଏ ଝିଅଟିକୁ ଜଣା ନାହିଁ ଏ ଦୁନିଆ ଏବେ କାହା ସହ ଲଢୁଛି । କିନ୍ତୁ ସେ ତା ପରିବାର ସହ ଦୂର ଯାତ୍ରା କରିଚାଲିଛି ।

ଯଦିଓ ଦୀର୍ଘ ସମୟର ଯାତ୍ରା ପାଇଁ ବାପା କିଛି ଖାଇବାର ବନ୍ଦୋବସ୍ତ କରିଛନ୍ତି । ଯାହାକୁ ପୂରା ପରିବାର ଖାଇବେ । ଏହି ଶ୍ରମିକମାନଙ୍କ ସହ କେତେ ଏମିତି ବି ପିଲା ଥିଲେ ଯେଉଁମାନେ ଡହ ଡହ ଖରାରେ ଖାଲି ପାଦରେ ଚାଲି ଚାଲି ଯାଉଥିଲେ । କେବଳ ସେତିକି ନୁହେଁ ଏହି ମଧ୍ୟରୁ ଜଣେ ଛୋଟ ଝିଅଟି ତା ବାପା ସାଇକେଲକୁ ଧକ୍କା ମାରୁଥିବାର ଦେଖିବାକୁ ମିଳିଛି ହୁଏତ ସେ ତା ବାପାଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି ।

ଦେଶରେ ଦିବ୍ୟାଙ୍ଗମାନଙ୍କର ଅବସ୍ଥା ମଧ୍ୟ ବହୁତ ଖରାପ । ଏ ହେଉଛନ୍ତି ୩୫ବର୍ଷୀୟ ପ୍ରଦୀପ ଇଏ ମଧ୍ୟ ଦିବ୍ୟାଙ୍ଗ । ଅହମଦାବାଦରେ କୌଣସି ସ୍ଥାନରେ କାମ କରୁଥିଲେ । ତେବେ ବହୁତ ଘଣ୍ଟା ଅପେକ୍ଷା କରିବା ପରେ ଜଣେ ଟ୍ରକ ଡ୍ରାଇଭର ତାଙ୍କୁ ଲିଫ୍ଟ ଦେଲେ ଯେମିତି କି ସେ ତାଙ୍କ ଘର ରାଜସ୍ଥାନ ପହଞ୍ଚି ପାରିବେ ।

ଦିଲ୍ଲୀ ଏହି ଫଟୋ ଯଦି ଆପଣଙ୍କୁ ଦୁଃଖିତ କରିବ ତେବେ ଏହା ଆପଣଙ୍କୁ ସାହସ ମଧ୍ୟ ଯୋଗାଇବ । ଏହି ଫଟୋରେ ଜଣେ  ଦିବ୍ୟାଙ୍ଗ ଗରୀବଙ୍କୁ ତାଙ୍କ ବନ୍ଧୁ ହାତ ଧରି ରାସ୍ତାରେ ଟାଣି ନେଉଛନ୍ତି । ମାନେ କରୋନା ଉଭୟଙ୍କ ଆତ୍ମବିଶ୍ୱାସକୁ ହରାଇ ପାରିନି । ହୁଏତ  ପୁଣିଥରେ କରୋନାର କଳାବାଦଲ ଭିତରୁ ଜୀବନ ପୁରୁଣା ଦିନକୁ ଫେରିଯିବ ।

Leave a Reply