କଂଗ୍ରେସ ଦଳ ବିରୋଧରେ ଷଡ଼ଯନ୍ତ୍ର ପାଇଁ ଜୟଦେବ ଭବନରେ ଆଲୋଚନାଚକ୍ର ହୋଇଥିଲା: ସୁର ରାଉତରାୟ

1 min read

ଭୁବନେଶ୍ୱର: ଉଗ୍ର ରୂପ ନେଉଛି କଂଗ୍ରେସ କନ୍ଦଳ । ଜାନକୀ-ବସନ୍ତ ଆଲୋଚନାଚକ୍ରକୁ ନେଇ ଦଳ ଭିତର ତୁ ତୁ ମେ ମେ ଜୋରଦାର ହୋଇଛି । ଏ ପ୍ରସଙ୍ଗରେ ବିଧାୟକ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ଵାଳଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । କଂଗ୍ରେସ ଦଳ ବିରୋଧରେ ଷଡ଼ଯନ୍ତ୍ର ପାଇଁ ଜୟଦେବ ଭବନରେ ଆଲୋଚନାଚକ୍ର କରାଯାଇଥିଲା । ଏହା ଦଳର ବହୁତ କ୍ଷତି କରିଛି । ଦଳରେ ଥାଇ ମୋକିମ୍ ଓ ଚିରଞ୍ଜୀବ ବିଶ୍ଵାଳ ଦଳ ବିରୋଧୀ କାମ କରିଥିବା ସୁର କହିଛନ୍ତି । କଂଗ୍ରେସ ୧୪୭ ବିଧାନସଭା ଆସନରେ ପ୍ରାର୍ଥୀ ମିଳିବନି କହିବା ଲଜ୍ୟାର କଥା  । ଏହା ବିରୋଧରେ ଏଆଇସିସି ସଭାପତିଙ୍କୁ ଚିଠି ଲେଖି ଅବଗତ କରିବେ ବୋଲି ସେ କହିଛନ୍ତି । ବିନା କାରଣରେ ତାଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ କରାଯାଇଥିଲା । ତେଣୁ ଏହି ଦୁଇ ନେତାଙ୍କ ବିରୋଧରେ କାହିଁକି ତୁରନ୍ତ କାର୍ଯ୍ୟନୁଷ୍ଠାନ ନିଆ ଯିବ ନାହିଁ ବୋଲି ସୁର ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ପିସିସି ସଭାପତିଙ୍କୁ ସମସ୍ତକୁ ନେଇ ଚାଲିବାକୁ ପରାମର୍ଶ ଦେଇଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି । କଂଗ୍ରେସ ଏକଜୁଟ ହୋଇ କାମ କରିବାକୁ ସେ ଦଳୀୟ ନେତାଙ୍କୁ ଅନୁରୋଧ କରିଛନ୍ତି । ପିସିସି ସଭାପତି ଏହାକୁ କଂଗ୍ରେସର ପରିବାର କଥା ବୋଲି କହି ପ୍ରସଙ୍ଗକୁ ଏଡ଼ାଇ ଦେଇଛନ୍ତି । କଂଗ୍ରେସ ଦଳକୁ ମଜବୁତ କରିବାକୁ ଆଲୋଚନାଚକ୍ରର ପରିକଳ୍ପନା ହୋଇଥିଲା ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।