ଆସନ୍ତାକାଲି ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ସାରା ରାଜ୍ୟରେ ପୁଣି ଆରମ୍ଭ ହେବ ପ୍ରବଳ ବର୍ଷା
1 min readଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ଲଘୁଚାପର ରୂପ ନେବ । ସାରା ରାଜ୍ୟରେ ପୁଣି ଆରମ୍ଭ ହେବ ପ୍ରବଳ ବର୍ଷା । ଆସନ୍ତାକାଲି ପାଇଁ ୧୩ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୧୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଉତ୍ତର ଓଡ଼ିଶା ସମେତ ୧୫ ଜିଲ୍ଲାକୁ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଯାହାଫଳରେ ୧୮ ତାରିଖ ପର୍ଯ୍ୟନ୍ତ ବର୍ଷାରୁ ମିଳିବନି ନିସ୍ତାର । ସକ୍ରିୟ ମୌସୁମୀ ଟ୍ରପଲାଇନ୍ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ବିଶେଷ କରି ଦକ୍ଷିଣ, ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ୭୦ ରୁ ୧୧୦ ମିଲିମିଟର ବର୍ଷା ହେବ । ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, କନ୍ଧମାଳ, ରାୟଗଡ଼ା, ଗଜପତି, ଯାଜପୁର, ଢେଙ୍କାନାଳ ଏବଂ କଳାହାଣ୍ଡିରେ ୭୦ ରୁ ୨ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।
ସେପଟେ ଛତିଶଗଡ଼ ଉପରମୁଣ୍ଡରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଏବଂ ପଶ୍ଚିମବଙ୍ଗରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ତଳମୁଣ୍ଡରେ ପ୍ରବଳ ବର୍ଷା ହେବ । ଫଳରେ ମହାନଦୀ ସମେତ ଦେବୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା ଏବଂ ଜଳକା ନଦୀରେ ବନ୍ୟା ସ୍ଥିତି ଆସିପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି । ଏହାସହ ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।