ଡିଜେ ବାଜିବାରୁ ବରଯାତ୍ରୀଙ୍କ ମେଳରେ ନାଚିଲା ଘୋଡ଼ା

1 min read

ଉତ୍ତରପ୍ରଦେଶ : ବାହାଘରରେ ଆଉ କିଛି ଥାଉ କି ନଥାଉ ରୋସଣୀରେ ବରଯାତ୍ରୀ ଡିଜେ ଆଣିବା ଥୟ । ଆଗ କାଳରେ ଯେମିତି ଯୋଡ଼ି-ମହୁରୀ, ବାଜା ରୋସଣୀରେ ବାହାଘର ହେଉଥିଲା ଏବେ କିନ୍ତୁ ଡିଜେ ଯୁଗ । ଡିଜେ ତାଳରେ ନାଚନ୍ତି ବରଯାତ୍ରୀ । ଆଜିକାଲି ତ ଡିଜେର ଏତେ ଡିମାଣ୍ଡ ଯେ ବାହାଘର ସମୟରେ ହଠାତ୍ ମିଳିବା କଷ୍ଟକର । ତେଣୁ ଦିନେ କି ଦୁଇ ଦିନ ନୁହେଁ ମାସେ ଆଗରୁ ଡିଜେ ପାର୍ଟିକୁ ବୁକିଂ କରିବାକୁ ପଡ଼ୁଛି । ନିକଟରେ ଉତ୍ତରପ୍ରଦେଶ ହମିରପୁରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି । ଯେଉଁଥିରେ ଡିଜେ ଗୀତରେ ବରଯାତ୍ରୀ ନାଚୁଥିବା ବେଳେ ବରଯାତ୍ରୀଙ୍କ ସହ ଆସିଥିବା ଘୋଡ଼ା ହଠାତ୍ ଅନିୟନ୍ତ୍ରିତ ହୋଇଯାଉଛି । କେବଳ ଏତିକି ନୁହେଁ ଘୋଡ଼ାର ଏଭଳି ସ୍ୱଭାବ କାରଣରୁ ବାହାଘରରେ ଆସିଥିବା ବରଯାତ୍ରୀଙ୍କ ମଧ୍ୟରୁ ୧୨ ଜଣ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ଯାହାର ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଥିବାର ଦେଖାଯାଉଛି ।

 

ଡିଜେ ୱାଲେ ବାବୁ ମେରା ଗାନା ଚଲାଦୋ ଭଳି ଡିଜେ ଉପରେ ଆଧାରିତ ଅନେକ ଗୀତ ରହିଛି । ଏମିତିକି ପୁରୁଣା ଗୀତଗୁଡ଼ିକ ଆଜିକାଲି ଡିଜେ ଢାଞ୍ଚାରେ ବାଜୁଥିବାର ତ ଆପଣ ଶୁଣିଥିବେ । ତେବେ ଏହି ଭିଡିଓରେ ଦେଖାଯାଉଥିବା ଘୋଡ଼ାଟି ନିଜ ଭାରସାମ୍ୟ ହରାଇ ଏଭଳି ବିଚଳିତ ହେବାର କାରଣ ଜଣାପଡ଼ିନାହିଁ । ଟ୍ୱିଟରରେ ଭିଡିଓଟିକୁ ସେୟାର କରିଥିବା ଜଣେ ଆଇପିଏସ୍ ଅଧିକାରୀ ଦିପାଂଶୁ କବରା କହିଛନ୍ତି ଯେ ଏତେ ଉଚ୍ଚ ଧ୍ୱନିର ଡିଜେ ସହିତ ଏତେ ଲୋକଙ୍କ ଭିଡ଼ରେ ଘୋଡ଼ାଟି ବିଚଳିତ ହେବା ସାଧାରଣ କଥା । ବିବାହରେ ଉପସ୍ଥିତ ଥିବା ଲୋକମାନେ ସମ୍ୱେଦନଶୀଳ ହୋଇଥିଲେ ବୋଧହୁଏ ଏଭଳି ଘଟଣା ଘଟିନଥାନ୍ତା ବୋଲି ସେ ଟ୍ୱିଟ୍ କରି କହିଛନ୍ତି ।