ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କୁ ଅପହରଣ ଉଦ୍ୟମ ଫେଲ୍ ମାରିବା ପରେ ବିଚ୍ ରାସ୍ତାରେ…

ଇସଲାମାବାଦ: ପାକିସ୍ତାନରେ ହିନ୍ଦୁଙ୍କ ଉପରେ ଆକ୍ରମଣ ନୂଆ ନୁହେଁ । ପାଦେ ପାଦେରେ ପାକିସ୍ତାନ ତା ବର୍ବରତା ଦେଖାଇଛି । ପାକିସ୍ତାନରେ ଏବେ ବି ହିନ୍ଦୁ ମହିଳାଙ୍କୁ ନିର୍ଯାତନା ଦିଆଯାଉଛି । ଆଉ ଏହାର ଏକ ଉଦାହରଣ ସୋମବାର ଦିନ ପାକିସ୍ତାନରେ ଦେଖିବାକୁ ମିଳିଛି । ଯେଉଁଠି ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ଜଣେ ଯୁବତୀଙ୍କୁ ଗୁଳିମାରି ହତ୍ୟା କରାଯାଇଛି ।

ସୂଚନା ଅନୁସାରେ ପାକିସ୍ତାନର ଦକ୍ଷିଣ ସିନ୍ଧ୍ ପ୍ରାନ୍ତରେ ଜଣେ ୧୮ ବର୍ଷିୟ ଯୁବତୀଙ୍କୁ ଅପହରଣ କରିବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ଅପହରଣ ନକରିବାରୁ ବିଚ୍ ରାସ୍ତାରେ ହିଁ ଯୁବତୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ମୃତ ଯୁବତୀ ହେଉଛନ୍ତି ସିନ୍ଧ ପ୍ରାନ୍ତର ସୁକ୍କୁର ରୋହୀରେ ପୁଜା ଓଦ । ପୁଜା ଯେତେବେଳେ ଅପହରଣକୁ ବିରୋଧ କରିଥିଲେ ତାଙ୍କୁ ସର୍ବସମ୍ମୁଖରେ ହିଁ ଦୁର୍ବୃତମାନେ ଗୁଳି କରି ହତ୍ୟା  କରିଥିଲେ । ତେବେ ପାକିସ୍ତାନରେ ଏଭଳି ଘଟଣା ନୂଆ ନୁହେଁ । ପାକିସ୍ତାନରେ ହିନ୍ଦୁ ଝିଅଙ୍କ ଉପରେ ଆକ୍ରମଣର ଘଟଣା ଲଗାତାର ସାମ୍ନାକୁ ଆସୁଛି ।

ସୂଚନା ଯୋଗ୍ୟ ଯେ, ପାକିସ୍ତାନର ସିନ୍ଧରେ ଅଳ୍ପସଂଖ୍ୟକ ହିନ୍ଦୁ ସମୁଦାୟର ମହିଳାଙ୍କୁ ଅପହରଣ କରାଯାଇଥାଏ ଏବଂ ପରେ ଉଗ୍ରବାଦୀମାନେ ତାଙ୍କୁ ଜବରଦସ୍ତି ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥାନ୍ତି । ପାକିସ୍ତାନ୍ତରେ ଅଳ୍ପସଂଖ୍ୟକ ସମୁଦାୟ ଦୀର୍ଘ ଦିନଧରି ଜବରଦସ୍ତୀ ବିବାହ ଓ ଧର୍ମ ପରିବର୍ତ୍ତନ କରିବା ଭଳି ଘଟଣାକୁ ସାମ୍ନା କରିଥାନ୍ତି ।   ତେବେ ପାକିସ୍ତାନର ଏକ ସାମ୍ବାଦିକ ପୁଜା ଏବଂ ତାଙ୍କ ହତ୍ୟାକାରୀଙ୍କ ଫଟୋ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ସେ ଏହି ପୋଷ୍ଟରେ ଲେଖିଛନ୍ତି ଯେ, ପାକିସ୍ତାନ ନାଁର ଏହି ପାକ୍(ସୁଦ୍ଧ) ଜମିରେ ପ୍ରତ୍ୟେକ ଦିନ ହିନ୍ଦୁ ଓ ଇର୍ସାଇ ଝିଅ ମାନଙ୍କୁ ଅପହରଣ କରାଯାଏ, ଜବରଦସ୍ତି ଧର୍ମ ପରିବର୍ତ୍ତନ କରାଯାଇଥାଏ ଏବଂ ପରେ ସେମାନଙ୍କୁ ବିବାହ କରାଯାଇଥାଏ । ଆଉ ପାକିସ୍ତାନ ଏହାକୁ ଦେଖଣାହାରୀ ସାଜି କେବଳ ଦେଖେ ।