ଅଯୋଧ୍ୟା ହିନ୍ଦୁ ଗାଁର ମୁଖିଆ ହେଲେ ଜଣେ ମୁସଲମାନ୍‌

ଧର୍ମକୁ ନେଇ ରାଜନୀତି ଭାରତ ପାଇଁ କିଛି ନୂଆ ନୁହେଁ । କିଛି ରାଜନେତାଙ୍କ ପାଇଁ କ୍ଷମତା ଦଖଲର ସିଢି ହେଉଛି ହିନ୍ଦୁ ମୁସଲମାନ ବିବାଦ । ତେବେ ଧର୍ମୀୟ ଧୃବିକରଣ ରାଜନୀତି ଭୋଟରେ ଉତ୍ତର ଦେଇଛନ୍ତି ଅଯୋଧ୍ୟାର ସାଧାରଣ ମତଦାତା । ସେଇ ଅଯୋଧ୍ୟା,ଯେଉଁଠାରୁ ହିନ୍ଦୁତ୍ୱ ରାଜନୀତିର ଶଙ୍ଖନାଦ ହୋଇଥିଲା ଏବେ ଦେଇଛି ସାମ୍ପ୍ରଦାୟୀକ ସଦଭାବନାର ସନ୍ଦେଶ । ଅଯୋଧ୍ୟାର ଗୋଟିଏ ଗାଁର ସାଧାରଣ ଭୋଟର ଏମିତି ଅସାଧାରଣ କାମ କରିଛନ୍ତି ଯାହା ଧର୍ମକୁ ଥୋପ କରି ରାଜନୀତି କରୁଥିବା ନେତାଙ୍କ ପାଇଁ ସତର୍କ ଘଣ୍ଟି ।ଅଯୋଧ୍ୟାର ଏହି ଗାଁର ନାମ ହେଉଛି ରାଜାପୁର । ଗାଁର ସଂଖ୍ୟାଧିକ ବାସିନ୍ଦା ତଥା ଭୋଟର ହେଉଛନ୍ତି ହିନ୍ଦୁ । କିନ୍ତୁ ସେମାନେ ନିଜ ଗାଁର ପ୍ରଧାନ ଭାବେ ବାଛିଛନ୍ତି ଜଣେ ଅଣହିନ୍ଦୁଙ୍କୁ । ଜାତି ଓ ଧର୍ମକୁ ପଛରେ ପକାଇ ରାଜପୁର ଭୋଟର ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛନ୍ତି । ଅଯୋଧ୍ୟାର ଏହି ହିନ୍ଦୁ ବହୁଳ ଗାଁରେ ଜଣେ ମୁସଲିମ ହୋଇଛନ୍ତି ମୁଖିଆ । ଗାଁ ଲୋକଙ୍କର ସମ୍ମତିରେ ହୋଇଥିଲା ମତଦାନ । ସେଥିରେ ଗାଁରେ ଥିବା ଏକ ମୁସଲିମ ପରିବାରର ହାଫିଜ ଅଜିମୁଦ୍ଦିନଙ୍କୁ ପ୍ରଧାନ ବା ମୁଖିଆ ଭାବେ ଚୟନ କରିଛନ୍ତି ଗ୍ରାମବାସୀ । ରାଜପୁର ଗାଁରେ ମୋଟ ୬୦୦ ଭୋଟର ଥିଲେ ସେଥିରୁ ମାତ୍ର ୨୭ଜଣ ଥିଲେ ମୁସଲିମ ମତଦାତା ।

କିନ୍ତୁ ହିନ୍ଦୁ ଭୋଟର ଧର୍ମୀୟ ଭେଦଭାବକୁ ଭୁଲି ତାଙ୍କୁ ଭୋଟ୍ କରିଛନ୍ତି । ହିନ୍ଦୁଙ୍କ ଭୋଟରେ ଗାଁର ମୁଖିଆ ଭାବେ ନିର୍ବାଚିତ ହୋଇଛନ୍ତି ହାଫିଜ । ମଦ୍ରାସାରୁ ଶିକ୍ଷା ପାଇଥିବା ହାଫିଜ୍ ୧୦ ବର୍ଷ ପାଇଁ ମଦ୍ରାସା ଅଧ୍ୟାପକ ଥିଲେ । ପରେ ସେ ଚାକିରି ଛାଡି ଗାଁରେ କୃଷିକାର୍ଯ୍ୟ କରୁଛନ୍ତି । ନିକଟରେ ମୁଖିଆ ପଦବୀ ପାଇଁ ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଗାଁରେ ତାଙ୍କ ପରିବାର ହେଉଛି ଏକମାତ୍ର ମୁସଲିମ୍ ପରିବାର । କିନ୍ତୁ ହାଫିଜଙ୍କର ନିଜ ହିନ୍ଦୁ ଗାଁ ଭାଇଙ୍କ ଉପରେ ବିଶ୍ୱାସ ଥିଲା । ତେଣୁ ସେ ପ୍ରତଦ୍ୱନ୍ଦ୍ୱିତା କରିଥିଲେ । ଆଉ ତାଙ୍କ ବିଶ୍ୱାସକୁ ସମର୍ଥନ ଦେଇଛନ୍ତି ହିନ୍ଦୁ ଭୋଟର ।

ଗାଁ ମୁଖିଆ ଭାବେ ନିର୍ବାଚନ ଜିତିବା ପରେ ହାଫିଜ ନିଜ ହିନ୍ଦୁ ସମର୍ଥକମାନଙ୍କୁ ଧନ୍ୟବାଦ ଜ୍ଞାପନ କରି କହିଛନ୍ତି ଯେ ଗାଁ ଲୋକଙ୍କର ତାଙ୍କ ଉପରେ ଥିବା ଭରସାର ମାନ ସେ ନିଶ୍ଚୟ ରଖିବେ । ରାଜାପୁର ଗ୍ରାମବାସୀଙ୍କ କହିବା ଅନୁସାରେ ସେମାନେ ଧର୍ମକୁ ନୁହେଁ ମଣିଷକୁ ବାଛିଛନ୍ତି ଯାହାଙ୍କ ଉପରେ ତାଙ୍କର ବିଶ୍ୱାସ ରହିଛି । ଏହିଭଳି ନିଷ୍ପତ୍ତିରେ ଗାଁଲୋକେ ପ୍ରମାଣିତ କରିଦେଇଛନ୍ତି ଯେ ସେମାନେ ନିଜ ଧର୍ମକୁ ମାନିବା ସହ ଅନ୍ୟଧର୍ମକୁ ବି ସେତିକି ସମ୍ମାନ ଦିଅନ୍ତି । ଏହି ଘଟଣା ବର୍ତ୍ତମାନ ସବୁଆଡେ ଚର୍ଚ୍ଚାରେ । ଅଯୋଧ୍ୟା ମସଜିଦ ଟ୍ରଷ୍ଟର ସଚିବ ଅତହର ହୁସେନ ଅଜିମୁଦ୍ଦିନ ଙ୍କୁ ସାଂପ୍ରଦାୟିକ ଭାଇଚାରାର ଏକ ସଠିକ୍ ଉଦାହରଣ ବୋଲି କହିଛନ୍ତି । ଗୋଟିଏ ହିନ୍ଦୁ ବହୁଳ ଗାଁରେ ଅଜିମୁଦ୍ଦିନଙ୍କ ଜିତିବାକୁ ନେଇ ଏହା କହିହେବ ଯେ ହିନ୍ଦୁସ୍ଥାନରେ ଧର୍ମକୁ ନେଇ ଅନେକ ବାଧାବିଘ୍ନ ସତ୍ୱେ ବି ଜାତି ଧର୍ମ ନିର୍ବିଶେଷରେ ଏଠି ସଭିଏଁ ଏକ ବୋଲି ପ୍ରମାଣିତ । ଆଉ ଏହାହିଁ ଆମ ଭାରତର ଅସଲି ପରିଚୟ ।

Leave a Reply