ଟ୍ୟୁସନରୁ ଫେରିବାବେଳେ ରାସ୍ତା ମଝିରୁ ଯୁବତୀଙ୍କୁ ଅପହରଣ

ଭଦ୍ରକ: ଟ୍ୟୁସନରୁ ଫେରୁଥିବା ବେଳେ ରାସ୍ତା ମଝିରୁ ଯୁବତୀଙ୍କୁ ଅପହରଣ  । ସିସିଟିଭି କଏଦ ହେଲା ସମସ୍ତ ଦୃଶ୍ୟ । ଏକ ଇଣ୍ଡିଗୋ କାରରେ ଜବରଦସ୍ତ ଯୁବକ ଜଣକ ଅପହରଣ କରି ଯୁବତୀଙ୍କୁ ନେଇଯାଉଥିବା ଦେଖବାକୁ ମିଳିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମହୁଲିଆ ଛକ ନିକଟରେ ଗତ ୧୯ ତାରିଖରେ ଘଟିଛି ଏହି ଘଟଣା । ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଦୁର୍ବୃତ୍ତଙ୍କୁ ଧରିବାରେ ସଫଳ ହୋଇପାରିନି ।

୧୦ଦିନ ଧରି ପରିବାରଲୋକ ଥାନାକୁ ଯାଉଥିଲେ ମଧ୍ୟ ଝିଅର କୌଣସି ସନ୍ଧାନ ପାଇପାରୁ ନାହାନ୍ତି । ମହୁଲିଆ ଛକ ନିକଟରେ ଥିବା ସିମେଣ୍ଟ ଦୋକାନରୁ ଝିଅ ଅପହରଣ ବେଳର ସିସିଟିଭି ଫୁଟେଜ ମିଳିବାପରେ ଝିଅକୁ ଉଦ୍ଧାର ପାଇଁ ପରିବାର ଲୋକେ ପୋଲିସ ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି । ଅପହରଣ କରିଥିବା ଯୁବକ ଜଣକ ମତୋ ପରମାନନ୍ଦପୁର ଗାଁର ପୃଥୀରାଜ କରଣ ବୋଲି ପରିବାର ଲୋକେ କହିଛନ୍ତି ।

ଗତ ୧୯ତାରିଖ ଦିନ ସବୁଦିନ ପରି ଯୁବତୀ ଜଣକ ଟ୍ୟୁସନ ଯାଇଥିଲେ । ହେଲେ ଟ୍ୟୁସନରୁ ଘରକୁ ଫେରିନଥିଲେ । ଟ୍ୟୁସନ ସାରଙ୍କ ସହ ଯୋଗାଯୋଗ କରିବାରୁ ଝିଅ କାରରେ ଘରକୁ ଯାଇଥିବା ସେ କହିଥିଲେ । ତେବେ ଘରେ ନପହଁଚିବାରୁ ବହୁ ଖୋଜାଖୋଜି ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକେ । ପୂର୍ବରୁ ମତୋ ପରମାନନ୍ଦପୁର ଗାଁର ପୃଥିରାଜ କରଣ ଝିଅକୁ ବିଭିନ୍ନ ସମୟରେ ହଇରାଣ କରୁଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ବୋଲି ଜଣାପଡିଛି  ।

Leave a Reply