ପିସି ନଦେବାରୁ ଠିକାଦାରଙ୍କୁ ମାଡ଼ ଅଭିଯୋଗ, ବିଜେପି ଜିଲ୍ଲା ସଭାପତିଙ୍କ ନାଁରେ ମାମଲା ରୁଜୁ

ସମ୍ବଲପୁର: ପିସି ଦିଅ ନ ହେଲେ ରକ୍ଷା ନାହିଁ । ମାଡ଼ ଖାଇବ, ଜୀବନ ନ ଯିବ ବୋଲି ବି କିଛି ଗ୍ୟାରେଣ୍ଟି ନାହିଁ । ପୈତୃକ ପ୍ରାଣ ପ୍ରତି ଯଦି ଲୋଭ ଅଛି, କାମ କରି ବଞ୍ଚିବାର ଅଛି ତେବେ ପିସି ଦେବାକୁ ବାଧ୍ୟ । ସମ୍ବଲପୁରର ବିଜେପି ନେତା ଗିରିଶ ପଟେଲ ଏପରି ଧମକ ଦେଇଥିବାର ଅଭିଯୋଗ କରିଛନ୍ତି ଜଣେ ଠିକାଦାର । ତାହା ବି ଦୁଇ କି ତିନି ପର୍ସେଣ୍ଟ ପିସି ଦେଲେ ଚଳବନି । ଦରକାର ପୂରା ୮ ପର୍ସେଣ୍ଟ । ସମ୍ବଲପୁର ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ, ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରୀଶ ପଟେଲଙ୍କ ନାଁରେ ମାମଲା ରୁଜୁ କରି ଆରମ୍ଭ କରିଛି ତନାଘନା ।

ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ଦାଦାଗିରି । ଠିକାଦାରଙ୍କୁ ମାଗିଲେ ପିସି । ତାହା ବି ୮ ପର୍ସେଣ୍ଟରୁ କମ୍ ହେଲେ ଚଳିବନି । ବାରମ୍ବାର ଧମକ ଚମକ, ଚେଲା ଚାମୁଣ୍ଡାଙ୍କୁ ଲଗାଇ ଡରାଇଲେ । ପିସି ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ଠିକାଦାରଙ୍କୁ ଘରକୁ ଡାକି ନିସ୍ତୁକ ମାଡ଼ ମାରିଲେ । ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରୀଶ ପଟେଲଙ୍କ ନାଁରେ ଏମିତି ସଙ୍ଗୀନ ଅଭିଯୋଗ କରିଛନ୍ତି ସମ୍ବଲପୁରର ଜଣେ ଠିକାଦାର ପ୍ରଶାନ୍ତ ଦାନି ।

ଏମିତି ନୁହେଁ ଯେ, ଗିରିଶ ପଟେଲଙ୍କୁ ଆଦୌ କିଛି ଦେବାକୁ ପ୍ରସ୍ତୁତ ନ ଥିଲେ ପ୍ରଶାନ୍ତ । ସେ କହିଛନ୍ତି, ବାରମ୍ବାର ଧମକାଇବାରୁ ଜୀବନ ବିକଳରେ ୭୫ ହଜାର ଟଙ୍କା ଦେବାକୁ ରାଜି ଥିଲି । କିନ୍ତୁ ୮ ପର୍ସେଣ୍ଟ ହିସାବରେ ପୂରା ଲକ୍ଷେ ୪୦ ହଜାର ଟଙ୍କା ନେବାକୁ ଜିଦ୍ ଧରିଥିଲେ ଗିରିଶ । ଏତେ ଟଙ୍କା ଦେବାକୁ ସମର୍ଥ ନ ଥିବା କହିବାରୁ ଘରକୁ ଡାକି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ପ୍ରଶାନ୍ତ । ସମ୍ବଲପୁର ଟାଉନ ଥାନାରେ ସେ ଲିଖିତ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।

ସୂଚନାଯୋଗ୍ୟ, ପ୍ରଶାନ୍ତ ଦାନି ଏକ ଜଳ ଯୋଗାଣ ପ୍ରକଳ୍ପ କାମ ଠିକା ପାଇଛନ୍ତି । ସେହି କାମର ପିସି ମାଗୁଛନ୍ତି ଗିରୀଶ ପଟେଲ । ୮ ପର୍ସେଣ୍ଟ ହିସାବରେ ମାଗୁଛନ୍ତି ଲକ୍ଷେ ୪୦ ହଜାର ଟଙ୍କା । ୭୫ ହଜାର ଦେବାକୁ ପ୍ରଶାନ୍ତ ପ୍ରସ୍ତୁତ ଥିଲେ ମଧ୍ୟ ଏକା ଥରେ ସବୁ ଟଙ୍କା ମାଗିଥିଲେ ଗିରୀଶ । ସତେ ଯେମିତିକି ସେ ଧାର ଦେଇଥିଲେ ବା ପିସି ନେବା ତାଙ୍କର ହକ୍ । ଆଉ ଯେତେବେଳେ ପିସି ଦେବାକୁ ପ୍ରଶାନ୍ତ ଅକ୍ଷମତା ପ୍ରକାଶ କଲେ, ସେତେବେଳେ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି । ସମ୍ବଲପୁର ଜିଲ୍ଲା ବିଜେପି ସଭାପତିଙ୍କ ଏପରି ଆଚରଣକୁ କଂଗ୍ରେସ ମଧ୍ୟ ସମାଲୋଚନା କରିଛି ।

ଶାସନକୁ ଆସୁ ଆସୁ କ୍ଷମତା ନିଶାରେ ଅନ୍ଧ ହୋଇଗଲେ କି ବିଜେପି ନେତା । ସିଧା ସିଧା ଧମକାଇ ଠିକାଦାରଙ୍କୁ ମାଗୁଛନ୍ତି ପିସି । ନ ହେଲେ ମାଡ଼ ମାରିବା ସହିତ ଜୀବନ ନେଇଯିବାକୁ ମଧ୍ୟ ଧମକ ଦେଉଛନ୍ତି । ସମ୍ବଲପୁରର ଏହି ଘଟଣା ପରେ ଉଠିଛି ଏପରି ପ୍ରଶ୍ନ ।