ଘରଦ୍ୱାର ଛାଡ଼ି ଶ୍ମଶାନରେ ବନ୍ଧୁ, ପଢ଼ନ୍ତୁ ଭିନ୍ନ ଏକ କାହାଣୀ

ମାଲକାନଗିରି:  କୁହାଯାଏ ମଶାଣି ହେଉଛି ସମସ୍ତଙ୍କ ଶେଷ ଲକ୍ଷ୍ୟସ୍ଥଳୀ । ମଣିଷ ଯେତେ ଯାହା କରୁନା କାହିଁକି ଶେଷରେ ସେ ମଶାଣିରେ ନିଜର ଅନ୍ତିମ ଯାତ୍ରାରେ ବିରାମ ଲଗାଇଥାଏ । ଜଣେ ଜୀବିତ ମଣିଷ କେବେବି ମଶାଣିରେ ରହିବା କଥା ଭାବେନା ବରଂ ଅଧିକାଂଶଙ୍କ ମନରେ ଏହି ନାମ ଶୁଣିବା ମାତ୍ରେ ଭୟ ସୃଷ୍ଟି ହୁଏ । କିନ୍ତୁ ଏସବୁର ବିପରୀତ ଭାବେ ମାଲକାନଗିରି ଜିଲ୍ଲାରେ ଏମିତି ଏକ ମଶାଣି ଅଛି ଯେଉଁଠାକୁ ଲୋକେ ଯିବା ପାଇଁ ଭୟ ବଦଳରେ ଆଗ୍ରହ ପ୍ରକାଶ କରୁଛନ୍ତି । ମଶାଣିଟିକୁ ଜଣେ ବ୍ୟକ୍ତି ବର୍ତମାନ ଅବର୍ଜନାର ସଦୁପଯୋଗ କରି ଏଭଳି ସୁନ୍ଦର କରିବାରେ ଲାଗିଛନ୍ତି ଯେ ତାହା ବର୍ତମାନ ଲୋକଙ୍କ ମନରେ ଏକ ଉଦ୍ୟାନର ଭ୍ରମ ସୃଷ୍ଟି କରୁଛି । କେବଳ ସେତିକି ନୁହେ ସେ ନିଜେ ମଶାଣିରେ ରହିବା ସହ ମଶାଣିର ପରିବେଶକୁ ସ୍ଵଚ୍ଛ କରିବାରେ ଲାଗିଛନ୍ତି । ତେବେ ଏମିତି ଏକ ମସାଣି ବନ୍ଧୁ ହେଉଛନ୍ତି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ବନ୍ଧୁ ନାଏକ ।

ବନ୍ଧୁ ନାଏକ ସାଜିଛନ୍ତି ଜଣେ ମଶାଣି ବନ୍ଧୁ । ମଶାଣିକୁ ଦେଇଛନ୍ତି ଉଦ୍ୟାନର ରୂପ, ସଜାଇ ହୋଇଛି ସାରା ପରିବେଶ । ଲୋକଙ୍କ ଆବର୍ଜନାକୁ ବ୍ୟବହାର କରି ସୁସଜ୍ଜିତ କରିବାରେ ଲାଗିପଡିଛନ୍ତି । କେଉଁଠି ପଲିଥିନ ବାନ୍ଧି ତ ପୁଣି କେଉଁଠି ପ୍ଲାଷ୍ଟିକ ବୋତଲ ବ୍ୟବହାର କରି ନିର୍ମାଣ କରାଯାଇଛି ଅନେକ କଳାକୃତି । ଲୋକଙ୍କ ମନରେ ଏହା ଏବେ ସୃଷ୍ଟି କରିଛି ଉଦ୍ୟାନର ଭ୍ରମ । ଏହି ମଶାଣି ରହିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ, ଆଉ ଏହାକୁ ଏଭଳି ରୂପ ଦେଇଥିବା କାରିଗର ହେଉଛନ୍ତି ଏହି ଅଞ୍ଚଳର ବନ୍ଧୁ ନାଏକ ।

ଦିନେକି ମାସେ ନୁହେ, ଏହି ମଶାଣିକୁ ନିଜର ଘର ଭାବି ବନ୍ଧୁ ନାଏକ ଦୀର୍ଘବର୍ଷ ଧରି ଏଠାରେ ରହି ଆସୁଛନ୍ତି । ପୂର୍ବରୁ ଜଣେ କାଠ କାରିଗର ଭାବେ କାମ କରୁଥିବା ବନ୍ଧୁ ନାଏକ ବର୍ତ୍ତମାନ ମାନସିକ ରୋଗରେ ପୀଡିତ ଥାଇବି ନିଜର କଳାକୃତିକୁ ଭୁଲି ନାହାନ୍ତି । ଦିନେ ଶୁଷ୍କ କାଠରେ ଜୀବନ ଭରିଦେଉଥିବା ବନ୍ଧୁ ନାଏକ ମଶାଣିରେ ରହିବା ସହ ନିଜ ପରିଶ୍ରମ ବଳରେ ମଶାଣିର ପରିବେଶକୁ ଅତି ସୁନ୍ଦର ଭାବରେ ସଜାଇଛନ୍ତି । ଯାହାକି ବର୍ତମାନ ଏଠାକାର ଲୋକଙ୍କୁ ଆକୃଷ୍ଟ କରିବାରେ ଲାଗିଛି ।

ମାଥିଲି ଅଞ୍ଚଳର ବେଶ ଜଣାଶୁଣା କାଠ କାରିଗର ନିଜେ ପରିଶ୍ରମ କରିବା ସହ ନିଜର ପରିବାର ପ୍ରତିପୋଷଣ କରୁଥିଲେ ବନ୍ଧୁ ନାଏକ । କିନ୍ତୁ ସମୟ ସୁଅରେ ବଦଳିଥିଲା ବନ୍ଧୁ ନାଏକଙ୍କ ଜୀବନ ଶୈଳୀ । ନିଜ ସ୍ତ୍ରୀ ଓ ପୁଅଙ୍କ ମୃତ୍ୟୁ ପରେ ମାନସିକ ଚାପରେ ସେ ଘର ଛାଡି ମଶାଣିକୁ ନିଜର ଘର କରି ନେଇଥିଲେ । ମଶାଣିରେ ରହି ରହି କ୍ରମଶଃ ନିଜ ପରିବାରର ବିୟୋଗରେ ସେ ମାନସିକ ବିକାର ଗ୍ରସ୍ତ ମଧ୍ୟ ହୋଇଥିଲେ । ତେବେ ମାନସିକ ବିକୃତ ବନ୍ଧୁ ନାଏକ କିନ୍ତୁ ଭୁଲି ନଥିଲେ ନିଜର କଳାକୃତିକୁ ।

ତାଙ୍କ ପାଇଁ ସରକାରୀ ସ୍ତରରେ କୌଣସି ସୁବିଧା ଯୋଗାଇ ଦିଆଯାଉନାହିଁ  କିମ୍ବା ତାଙ୍କୁ ସୁସ୍ଥ କରିବା ପାଇଁ ମଧ୍ୟ କେହି ପଦକ୍ଷେପ ନେଉନାହାନ୍ତି । ମାଥିଲି ସରପଞ୍ଚଙ୍କୁ ପଚାରିବାରୁ ସେ ବନ୍ଧୁ ନାଏକଙ୍କ ସମସ୍ୟାର ସମାଧାନ କରିବା ପାଇଁ ପଦକ୍ଷେପ ନେବେ ବୋଲି ମତ ରଖିଛନ୍ତି ।

 

Leave a Reply