ଜ୍ବରରେ ପୀଡିତ ଚତୁର୍ଦ୍ଧାମୂର୍ତ୍ତି, ଅଲାରନାଥଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼

ବ୍ରହ୍ମଗିରି: ସ୍ନାନଯାତ୍ରା ଓ ଗଜବେଶ ଦର୍ଶନ ପରେ ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଅତ୍ୟଧିକ ସ୍ନାନ ହେତୁ ଶ୍ରୀବିଗ୍ରହମାନେ ଜ୍ବରରେ ପୀଡିତ ହୋଇଛନ୍ତି । ୧୫ ଦିନ ଧରି ଚାଲିବ ଅନବସର ଗୁପ୍ତ ନୀତି ।  ତେଣୁ ଶ୍ରୀମନ୍ଦିର ରତ୍ନ ସିଂହାସନରେ ତିନି ଠାକୁର ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ।

ଶ୍ରୀମନ୍ଦିରରେ ଏହି ସମୟରେ ପଟିଦିଅଁ ଦର୍ଶନ ବ୍ୟବସ୍ଥା ଥିବା ବେଳେ ମହାପ୍ରଭୁଙ୍କ ପହଣ୍ଡି ନୀତି ଶେଷ ହେବା ପରେ ପଟିଦିଅଁଙ୍କୁ ବିଜେ କରାଯାଇଛି । ଭକ୍ତମାନେ ଏହି ସମୟରେ ବ୍ରହ୍ମଗିରିର ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି । ଆଜିଠାରୁ ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭୋରରୁ ଦ୍ବାର ଫିଟା, ମଙ୍ଗଳ ଆଳତି, ତଡପଲାଗି ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଏହି ଦର୍ଶନ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବ ଯୌବନ ଦର୍ଶନ ପର୍ଯ୍ୟନ୍ତ ଚାଲିବ । ଅଣସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂର୍ଣ୍ୟ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି ।