୨୦୨୪ରେ ବଦଳୁଛି କି ସମୀକରଣ? ଦେଖନ୍ତୁ କେଉଁ କ୍ଷେତ୍ରରୁ କିଏ ଲଢୁଛନ୍ତି ?

ଭୁବନେଶ୍ବର: କାହା ଗଡ଼ରେ କାହାର ଦବଦବା? ୨୦୨୪ରେ ବଦଳୁଛି କି ସମୀକରଣ? ଦେଖନ୍ତୁ କିଏ ଲଢୁଛନ୍ତି କେଉଁ କ୍ଷେତ୍ରରୁ? କିଏ ଦେଉଛନ୍ତି କାହାକୁ ଟକ୍କର? ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟରେ ଆଜି ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଏବଂ ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ହେଉଛି ଭୋଟ।

କନ୍ଧମାଳ ଲୋକସଭା ଆସନ:
କନ୍ଧମାଳ ଲୋକସଭା ଆସନରୁ ଏଥର ବିଜେଡ଼ି ପକ୍ଷରୁ ପୁନଃ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ପ୍ରାର୍ଥୀ ଥିବା ବେଳେ ବିଜେପି ଗତଥରର ପ୍ରାର୍ଥୀ ମହାମେଘ ବାହନ ଐର ଖାରବେଳ ସ୍ବାଇଁଙ୍କ ସ୍ଥାନରେ ସୁକାନ୍ତ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ପକ୍ଷରୁ ମଇଦାନରେ ଅଛନ୍ତି ଅମିରଚାନ୍ଦ ନାୟକ।

ଆସିକା ଲୋକସଭା ସିଟ୍‌:

ଆସିକା ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେଡି ଏଥର ପ୍ରାର୍ଥୀ ପରିବର୍ତ୍ତନ କରି ସାଂସଦ ପ୍ରମିଳା ବିଶୋଇଙ୍କ ସ୍ଥାନରେ ରଞ୍ଜିତା ସାହୁଙ୍କୁ ଯୋଦ୍ଧା ସଜାଇଛି। ସେପଟେ ବିଜେପି ଏହାର ଗତଥର ପ୍ରାର୍ଥୀ ଅନୀତା ଶୁଭଦର୍ଶିନୀଙ୍କୁ ରିପିଟି କରିଥିବା ବେଳେ କଂଗ୍ରେସ ଦେବକାନ୍ତ ଶର୍ମାଙ୍କୁ ପ୍ରାର୍ଥୀ କରିଛି।

ବରଗଡ ଲୋକସଭା ଆସନ:

ଏବେ ନଜର ପକାଇବା ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀ ଉପରେ ଯେଉଁଠି ତିନି ପ୍ରମୁଖ ଦଳ ଏଥର ପ୍ରାର୍ଥୀ ପରିବର୍ତ୍ତନ କରିଛନ୍ତି। ବରଗଡ଼ ଲୋକସଭା ଆସନ ପାଇଁ ବିଜେଡି ଏଥର ମହିଳା ପ୍ରାର୍ଥୀ ଦେଇଥିବା ବେଳେ ଦଳ ପକ୍ଷରୁ ମଇଦାନରେ ଅଛନ୍ତି ପରିଣିତା ମିଶ୍ର। ସେପଟେ ବିଜେପି ସୁରେଶ ପୂଜାରୀଙ୍କ ସ୍ଥାନରେ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ମଧ୍ୟ ପ୍ରାର୍ଥୀ ପରିବର୍ତ୍ତନ କରି ୨୦୧୯ର ପ୍ରାର୍ଥୀ ପ୍ରଦୀପ ଦେବତାଙ୍କ ସ୍ଥାନରେ ସଞ୍ଜୟ ଭୋଇଙ୍କୁ ପ୍ରାର୍ଥୀ କରିଛି।

ସୁନ୍ଦରଗଡ ଲୋକସଭା ଆସନ:

ହକିର ବ୍ୟାପକ ବିକାଶ ଭିତରେ ଏଥର ଫୋକସରେ ରହିଛି ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ। ଏଠାରେ ହକି ଇଣ୍ଡିଆର ସଭାପତି ତଥା ୨୦୧୪ର ପ୍ରାର୍ଥୀ ଦିଲ୍ଲୀପ ତିର୍କୀଙ୍କୁ ବିଜେଡି ଏଥର ରିପିଟ କରିଛି। ୨୦୧୪ରେ ଦିଲ୍ଲୀପ ତିର୍କୀ ବିଜେପି ପ୍ରାର୍ଥୀ ଜୁଏଲ ଓରାମଙ୍କଠାରୁ ସ୍ବଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ମାତ୍ର ବିଗତ ବର୍ଷ ଗୁଡିକରେ ସୁନ୍ଦରଗଡ଼ରେ ବ୍ୟାପକ ବିକାଶକୁ ଆଧାର କରି ବାଜି ପଲଟାଇବା ଲକ୍ଷ୍ୟରେ ଲଢୁଛି ବିଜେଡି । ଏଣୁ ଏଠାରେ ମଧ୍ୟ କଡ଼ା ଟକ୍କର ଚାଲିଛି। ସେପଟେ ସୁନ୍ଦରଗଡ଼ ଲୋକସଭା ମଇଦାନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଅଛନ୍ତି ଜନାର୍ଦ୍ଦନ ଦେହୁରୀ।

ବଲାଙ୍ଗୀର ଲୋକସଭା ଆସନ:

ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସମୀକରଣ ଦେଖାଇଥିବା ବଲାଙ୍ଗୀର ଲୋକସଭା କ୍ଷେତ୍ର ମଧ୍ୟ ଏଥର ଚର୍ଚ୍ଚାରେ ରହିଛି। ବିଜେପି ଏଠାରେ ତାର ଗତଥରର ପ୍ରାର୍ଥୀ ତଥା ସାଂସଦ ସଙ୍ଗୀତା ସିଂ ଦେଓଙ୍କୁ ପୁଣି ମଇଦାନକୁ ଓହ୍ଲାଇଥିବା ବେଳେ ତାଙ୍କୁ ଟକ୍କର ଦେଉଛନ୍ତି ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ। କଂଗ୍ରେସ ମଧ୍ୟ ଏଠାରେ ଏଥର ପ୍ରାର୍ଥୀ ପରିବର୍ତ୍ତନ ମନୋଜ ମିଶ୍ରଙ୍କୁ ପ୍ରାର୍ଥୀ କରିଛି।