ନବୀନ ନିବାସରେ ଜନସାଧାରଣଙ୍କ ସହ ତୃଣମୂଳସ୍ତରର ନିର୍ବାଚିତ ଜନପ୍ରତିନିଧିଙ୍କ ଭିଡ଼, ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଜଣାଉଛନ୍ତି ଧନ୍ୟବାଦ

1 min read

ଭୁବନେଶ୍ବର: ସମ୍ବଲପୁର ରେଙ୍ଗାଲି ଓ ବାମଣ୍ଡା, ଖୋର୍ଦ୍ଧାର ବୋଲଗଡ଼ ପରି ୧୩ ଜିଲ୍ଲାର ୨୨ଟି  ନୂଆ ଏନଏସି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ମହାନଗର ନିଗମ, ମ୍ୟୁନିସିପାଲିଟି, ବିଜ୍ଞାପିତ  ଅଂଚଳ ପରିଷଦ ମେୟର, ଡ଼େପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲଙ୍କ ଭତ୍ତା ଓ ପାରିତୋଷିତ ବୃଦ୍ଧି କରାଯାଇଛି । ଆଉ ଏସବୁ ପାଇଁ ବିଭିନ୍ନ ଜିଲ୍ଲାର ଜନସାଧାରଣଙ୍କ ସହ ତୃଣମୂଳସ୍ତରର ନିର୍ବାଚିତ ଜନପ୍ରତିନିଧିଙ୍କ ଭିଡ଼ ଲାଗିଛି ନବୀନ ନିବାସରେ । ଶହ ଶହ ସଂଖ୍ୟାରେ ଅଞ୍ଚଳବାସୀ ପ୍ରତିଦିନ ନବୀନ ନିବାସ ଆସୁଛନ୍ତି । ସମସ୍ତଙ୍କ ମୁହଁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଶଂସା । ହାତରେ ବ୍ୟାନର ଓ ପୋଷ୍ଟର ଧରି ନବୀନ ପଟ୍ଟନାୟକ ଜିନ୍ଦାବାଦ ସ୍ଲୋଗାନ ଦେଇ ନବୀନ ନିବାସକୁ ଆସୁଛନ୍ତି । ଜନସଂଖ୍ୟା ଓ ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆ ଏନଏସି ଓ ମ୍ୟୁନିସିପାଲଟି ଘୋଷଣା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି । ସେହିପରି ସର୍ବନିମ୍ନ ମଜୁରୀ ବୃଦ୍ଧି ପରେ ବିଭିନ୍ନ ଶ୍ରମିକ ସଂଗଠନ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଅନ୍ୟପଟେ ତୃଣମୂଳସ୍ତରରେ ଜନପ୍ରତିନିଧିମାନଙ୍କର ଭିଡ଼ ମଧ୍ୟ ଦେଖିବାକୁ ମିଳିଛି ନବୀନ ନିବାସ ଆଗରେ । ରାଜ୍ୟ ସରକାର କରୁଥିବା ବିଭିନ୍ନ ଲୋକାଭିମୁଖି ଯୋଜନାକୁ ଗ୍ରାଉଣ୍ଡରେ ଶତ ପ୍ରତିଶତ ସଫଳ କରୁଥିବା ଜନପ୍ରତିନିଧିମାନଙ୍କ ଭତ୍ତା ଓ ପାରିତୋଷିତ ବୃଦ୍ଧି ହୋଇଥିବାରୁ ସଭିଏଁ ଖୁସି ପ୍ରକାଶ କରିଛନ୍ତି । ମେୟର , କର୍ପୋରେଟର, ଡ଼େପୁଟି ମେୟର, ଓ ଜିଲ୍ଲା ପରିଷଦର ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଭେଟି  ଧନ୍ୟବାଦ ଦେଇଛନ୍ତି  ।

ଗତ ଦୁଇ ଦଶନ୍ଧିରେ ଓଡ଼ିଶା ଦେଖିଛି ବ୍ୟାପକ ରୂପାନ୍ତରଣ । ନବୀନଙ୍କ ଦୃଢ ନେତୃତ୍ବ ଯୋଗୁଁ ଏସବୁ ସମ୍ଭବ ହୋଇପାରିଥିବାରୁ ମୁଖ୍ଯମନ୍ତ୍ରୀଙ୍କୁ ଶୁଭେଚ୍ଛା  ଓ ଧନ୍ୟବାଦ ପାଇଁ ପ୍ରତିଦିନ ନବୀନ ନିବାସ ଆଗରେ ଭିଡ଼ ଲାଗୁଛି । ଜନତାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିକାଶ କାର୍ଯ୍ୟକ୍ରମ ଜାରି ରଖିଥିବାରୁ, ସମସ୍ତଙ୍କ ହୃଦୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି ।