ସୁଗମ ହେବ ଧବଳେଶ୍ୱର ପୀଠକୁ ଯାତ୍ରା, ଏଣିକି ସ୍ଥଳପଥ ଦେଇ ପୀଠରେ ପହଞ୍ଚି ପାରିବେ ଭକ୍ତ

କଟକ: ସୁଗମ ହେବ ବାବା ଧବଳେଶ୍ୱରଙ୍କ ପୀଠକୁ ଯାତ୍ରା । ଦୂର ହେବ ଝୁଲାପୋଲର ଭୟ । ନଦୀରେ ନୁହଁ, ଏଣିକି ସିଧାସଳଖ ସ୍ଥଳପଥ ଦେଇ ପୀଠରେ ପହଞ୍ଚି ପାରିବେ ଭକ୍ତ । ମହାନଦୀ ଛାତି ଉପରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ସେତୁକାର୍ଯ୍ୟ । ଆଠଗଡ଼ର ପ୍ରସିଦ୍ଧ ଶୈବପୀଠକୁ ଯିବାକୁ ଏକ ମାତ୍ର ମାଧ୍ୟମ ଥିଲା ଡଙ୍ଗା । ପରେ ରଜ୍ୟ ସରକାରଙ୍କ ପକ୍ଷରୁ ୨୦୦୬ ମସିହାରେ ନିର୍ମାଣ ହୋଇଥିଲା ଝୁଲାପୋଲ । ଗୁଜରାଟର ମୋର୍ବି ଝୁଲାପୋଲ ଅଘଟଣ ପରେ ଏହି ଝୁଲାପୋଲର ମରାମତି ପାଇଁ ପ୍ରଶାସନ ପକ୍ଷରୁ ଏହାକୁ ବନ୍ଦ ରଖାଯାଇଛି । ଫଳରେ ଚଳିତ ବର୍ଷ ଜାନୁଆରୀ ୧୧ ତାରିଖଠାରୁ ମଞ୍ଚେଶ୍ବର ଘାଟ ପାଖ ମହାନଦୀ ମଝିରେ ମୋରମ ଦ୍ୱାରା ନିର୍ମାଣ ହେଇଥିବା ଅସ୍ଥାୟୀ ରାସ୍ତା ହିଁ ଯାତାୟତର ମାଧ୍ୟମ ପାଲଟିଛି । ତେବେ ଖୁବ୍ ଶୀଘ୍ର ବାବା ଧବଳେଶ୍ବର ପୀଠକୁ ସଂଯୋଗ କରିବାକୁ ଯାଉଛି ସ୍ଥାୟୀ କଂକ୍ରିଟ ସେତୁ ।

ରାଜ୍ୟ ସରକାରଙ୍କ ବିଜୁ ସେତୁ ଯୋଜନାରେ ସେତୁ କାର୍ଯ୍ୟ ଜାରି ରହିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାଜଲକ୍ଷ୍ମୀ କନଷ୍ଟ୍ରକସନକୁ କାର୍ଯ୍ୟ ହସ୍ତାନ୍ତର କରାଯାଇଛି । ୨୨ କୋଟି ୨୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ସେତୁ କାମ ଚାଲିଛି । ଦୁଇ ପାଖର ଅପ୍ରୋଜ୍ ରୋଡ୍ କାମ ପ୍ରାୟ ଶେଷ ହୋଇସାରିଥିବା କହିଛନ୍ତି ଉପଜିଲ୍ଲାପାଳ । ସେତୁର କାର୍ଯ୍ୟ ଶେଷ ହେଲେ ଧବଳେଶ୍ବରଙ୍କ ପୀଠକୁ ଅଧିକରୁ ଅଧିକ ଶ୍ରଦ୍ଧାଳୁ ଆଗମନ କରିପାରିବେ ।