ଭଦ୍ରକରେ ମାନବିକତାର ଲକଡାଉନ, ଆମ୍ବୁଲାନ୍ସ ଆସିଲାନି ବୋଲି ଆଖି ବୁଜିଲା ୨ ମାସର ଶିଶୁ

ଭଦ୍ରକ: କେତେ ଆଶା କେତେ ସ୍ୱପ୍ନ ଚାହୁଁ ଚାହୁଁ ମିଳେଇଗଲା । ଲକଡାଉନ ଯେ କୋଳ ଉଜାଡ଼ି ଦେବ ସେ କଥା ସେମାନେ ଭୁଲ୍ରେ ମଧ୍ୟ ଭାବିନଥିଲେ । ମାତ୍ର ଦୁଇ ମାସ ତଳେ ପିତୃତ୍ୱ ସୁଖ ଦେଇଥିବା କୁନି ଝିଅ ଏପରି ଅସମୟରେ ପର କରି ଚାଲିଯିବ ବୋଲି କେବେ ଭାବିନଥିଲେ । ହେଲେ ଭଦ୍ରକ କଲ୍ୟାଣୀ ପଞ୍ଚାୟତର ଏପରି ଏକ ଘଟଣା ମାନବିକତାକୁ ଦୋହଲାଇଦେଇଛି । ଆମ୍ବୁଲାନ୍ସ ସେବାକୁ ଠିଆ କରାଇଛି କାଠଗଡ଼ାରେ । ଆସନ୍ତୁ ଦେଖିବା ଏହି ଅମାନବୀୟ କାହାଣୀର ପୂରା ଘଟଣା ।
ଏଭଳି ଏକ ସ୍ପର୍ଶକାତର ଘଟଣାକୁ ନେଇ ଚର୍ଚ୍ଚାରେ ଭଦ୍ରକ । ଧାମନଗର କଲ୍ୟାଣ ନଗରୀର କୋହଭରା କାହାଣୀ । ମାତ୍ର ଦୁଇ ମାସର ଖୁସି କେଇ ମୁହୂର୍ତ୍ତରେ ମିଳେଇଗଲା । ଏଠାରେ କରୋନା ବାହାରିଥିବାରୁ ପୂରା କଲ୍ୟାଣୀ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ପ୍ରଶାସନ । ଯାତାୟତ ବନ୍ଦ । କେହି କୁଆଡ଼େ ନା ଆସିପାରୁଛି ନା ଯାଇପାରୁଛି । କିନ୍ତୁ ଏହି କଣ୍ଟେନମେଣ୍ଟ ତାଙ୍କ କୋଳପୋଛାକୁ ଛଡ଼ାଇ ନେଇଥିବା ଅଭିଯୋଗ କରିଛନ୍ତି ଶିଶୁର ବାପା ଦିଗନ୍ତ କୁମାର ଦତ୍ତ । ଦିଗନ୍ତଙ୍କ ଅଭିଯୋଗ ଅନୁସାରେ, ଦୁଇ ମାସର ଝିଅ ଥଣ୍ଡା ଯୋଗୁଁ ଅଧିକ ଅସୁସ୍ଥ ହୋଇପଡିଥିଲା ।
ଏପରିକି ଅଚେତ ଅବସ୍ଥାକୁ ଆସିଯାଇଥିଲା । କଅଁଳା ଛୁଆର ଗୁରୁତର ଅବସ୍ଥା ପରିବାର ଆଖିରେ ଗଲାନି । ସେତେବେଳେ ସେ ମଧ୍ୟ ଘରେ ନଥିଲେ । ଝିଅର ଜୀବନ ବଞ୍ଚାଇବା ପାଇଁ ବିକଳରେ ଆମ୍ବୁଲାନ୍ସକୁ କଲ କରିଥିଲେ ପରିବାର ଲୋକ । କିନ୍ତୁ କଣ୍ଟେନମେଣ୍ଟକୁ ଆଳ କରି ଆମ୍ବୁଲାନ୍ସ ଆସିବାକୁ ମନା କରିଦେଇଥିଲା । ଫଳରେ ବାଇକ ଯୋଗେ ଡାକ୍ତରଖାନାକୁ ନେବା ବାଟରେ ଝିଅ ଆରପାରିକୁ ଚାଲିଗଲା । କାନ୍ଦି କାନ୍ଦି ଘଟଣା ପାଇଁ କେବଳ ଆମ୍ବୁଲାନ୍ସକୁ ଦାୟୀ କରିଛନ୍ତି ଦିଗନ୍ତ । ଆଉ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ।
ଏପରି ସ୍ଥିତିରେ ସାଧାରଣ ଲୋକର ମନରେ ଉଠୁଛି ଅନେକ ପ୍ରଶ୍ନ । କଣ୍ଟେନମେଣ୍ଟ ଜୋନ ପାଇଁ କଣ ଆମ୍ବୁଲାନ୍ସ ସେବା ମନା ? ଯଦି ଜରୁରୀ ସମୟରେ ଜରୁରୀକାଳୀନ ସେବା ଗାଡ଼ି ସେବା ଯୋଗାଇ ଦେଇନପାରୁଛି ତେବେ କାହିଁକି ପ୍ରଶାସନର ଏ ପ୍ରହସନ ? ଦୁଇ ମାସ ତଳେ ବାପାମା ହୋଇଥିବା ଏହି ଦମ୍ପତ୍ତିଙ୍କର ଏତେ ବଡ଼ କ୍ଷତି କିଏ ଭରଣା କରିବ ?