କମିଶନରେଟ ପୋଲିସର ଅଜବ ବ୍ୟବସ୍ଥା, ପାଖରେ ଥାନା ଥାଇ ଏତଲା ପାଇଁ ଯିବାକୁ ପଡୁଛି ୨୦ କିମି

ଭୁବନେଶ୍ୱର: ମୁଣ୍ଡବିନ୍ଧା ସୃଷ୍ଟି କରୁଛି ଥାନାର ସୀମା ବିବାଦ । କେଉଁଠି ଏତଲା ଦେବାକୁ ୨୦ କିଲୋମିଟର ଯିବାକୁ ପଡୁଛି ତ ଆଉ କେଉଁଠି ପାସପୋର୍ଟ ଟିଏ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେବାକୁ ପଡୁଛି । ଲକ୍ଷ୍ମୀସାଗର ଓ ବଡଗଡ଼ ଠାରୁ ବେଶ ନିକଟରେ ହେଉଛି କେଶୁରା ଛକ । କିନ୍ତୁ ଅସୁବିଧା ଟିଏ ହେଲେ ଯିବାକୁ ପଡ଼େ ସହିଦନଗର ଥାନା । ଯାହା ଏହି ଛକଠାରୁ ୧୫ କିମି ଦୂର । ସେହିପରି ବାଙ୍କୁଆଳ ଛକ । ବଡ଼ଗଡ଼ ଥାନାଠାରୁ ମାତ୍ର ୩ କିଲୋମିଟର ଦୂର । କିନ୍ତୁ ସେହି ଅଞ୍ଚଳ ଆସୁଛି ୨୨ କଲୋମିଟର ଦୂର ସହିଦନଗର ଥାନା ଅଞ୍ଚଳରେ ।

ପଳାସୁଣୀ ଛକରେ ଥିବା ଚଣ୍ଡିମାତା କଲୋନି, ମଞ୍ଚେଶ୍ୱର ଥାନା ସମ୍ମୁଖରେ । କିନ୍ତୁ ସେହି କଲୋନି ଯାଉଛି, ୪ କିମି ଦୂର ସହିଦନଗର ଥାନା ଅଧୀନରେ । ରସୁଲଗଡ଼ ନିକଟ ଜଗନ୍ନାଥ ନଗର । ଲକ୍ଷ୍ମୀସାଗର ଥାନାଠାରୁ ମାତ୍ର କେଇ ହାତ ଦୂରରେ । କିନ୍ତୁ ଥାନା ଆସୁଛି ମଞ୍ଚେଶ୍ୱରରେ । ବଡ଼ଗଡ଼ ଗାଁ ଛକକୁ ଲାଗି କରି ବଡ଼ଗଡ଼ ଥାନା, କିନ୍ତୁ ବଡ଼ଗଡ଼ ହାଟ ଯାଉଛି ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ । ଏଭଳି ଅସୁବିଧା ପାଇଁ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛି ।

କେବଳ ରାଜଧାନୀ ନୁହେଁ, ରାଜଧାନୀ ଉପକଣ୍ଠରେ ମଧ୍ୟ ଦେଖିବାକୁ ମିଳିଛି ସମାନ ସମସ୍ୟା । ବାଲିଅନ୍ତା ବ୍ଲକ ଅଧୀନ ଜୟଦେବ, ପ୍ରତାପରୁଦ୍ରପୁର ଭଳି ଦୁଇଟି ପଞ୍ଚାୟତ ବାଲିପାଟଣା ଥାନାକୁ ଲାଗିଛି । କିନ୍ତୁ ଏ ସବୁ ଥାନା ଅଞ୍ଚଳ ଯାଉଛି ୨୦ କିମି ଦୂରରେ ଥିବା ବାଲିଅନ୍ତା ଥାନା ଅଧୀନରେ । ଝିଣ୍ଟି ଶାସନ ବାଲିଅନ୍ତା ଅଧୀନ ବାଳକାଟି ଫାଣ୍ଡିକୁ ଲାଗି କରିଥିବା ବେଳେ ଥାନା ହେଉଛି ବାଲିପାଟଣା ।

ସେହିପରି ପାସପୋର୍ଟ ଟିଏ ପାଇଁ ମଧ୍ୟ ଲୋକଙ୍କୁ ନାକେଦମ ହେବାକୁ ପଡୁଛି । ସୀମା ବିବାଦ କାରଣରୁ  ରାତିରେ ପିସିଆର୍‌ ଭ୍ୟାନ୍‌ କେଉଁ ଅଞ୍ଚଳରେ ପାଟ୍ରୋଲିଂ କରିବ ତାକୁ ନେଇ ମଧ୍ୟ ସମସ୍ୟା ହେଉଛି । ଏଣୁ ଏ ସମସ୍ୟା ସମ୍ପର୍କରେ ସମ୍ପୃକ୍ତ ଥାନା ଅଧିକାରୀ ପୋଲିସ ମୁଖ୍ୟାଳୟ, ଗୃହ ବିଭାଗ ଓ ରାଜ୍ୟ ସରକାରଙ୍କୁ ରିପୋର୍ଟ କଲେ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି କହିଛନ୍ତି ଅବସରପ୍ରାପ୍ତ ପୋଲିସ ଅଧିକାରୀ ।

Leave a Reply