ସ୍ମାର୍ଟ ସିଟିରେ ସ୍ମାର୍ଟ ବ୍ୟବସ୍ଥା, ଘରେ ଘରେ ଲାଗୁହେବ ଡିଜିଟାଲ ଡୋର ନମ୍ବରିଂ ସିଷ୍ଟମ

ଭୁବନେଶ୍ୱର: ଭୁବନେଶ୍ୱରରେ ଖୁବଶୀଘ୍ର ଲାଗୁହେବ ଡିଜିଟାଲ ଡୋର ନମ୍ବରିଂ ସିଷ୍ଟମ । ସ୍ମାର୍ଟ ସିଟିରେ କେତେ ଘର ରହିଛି ତାହା ସହଜରେ ଜାଣିହେବ । କେଉଁ ବ୍ୟକ୍ତି କେଉଁଠାରେ ରହୁଛି ତାହା ମଧ୍ୟ ଅତି ସହଜରେ ଜଣା ପଡ଼ିବ । ଏହି ବ୍ୟବସ୍ଥାକୁ ଜିଆଇଏସ୍‌ ସହ ସଂଯୋଗ କରାଯାଉଥିବାରୁ ଯେକୌଣସି ବ୍ୟକ୍ତିଙ୍କ ଘରର ଠିକଣା ଜାଣିବା ସୁବିଧା ହେବ ।

ସେପଟେ ହୋଲଡିଂ ଟ୍ୟାକ୍ସ ଓ ଟ୍ରେଡ଼ ଲାଇସେନ୍ସ ଆଦାୟରେ ବିଏମ୍‌ସିକୁ ବହୁତ ସହଜ ହେବ । ବର୍ତ୍ତମାନ ସ୍ମାର୍ଟ ସିଟିରେ ମୋଟ ୫୦ହଜାର ବ୍ୟବସାୟୀ ଥିବାବେଳେ ମାତ୍ର ୧୫ହଜାର ବ୍ୟବସାୟୀ ପଞ୍ଜିକୃତ ହୋଇ ହୋଲଡିଂ ଟ୍ୟାକ୍ସ ପଇଠ କରୁଛନ୍ତି ।

ଅବଶିଷ୍ଟ ୩୫ହଜାର ବ୍ୟବସାୟୀ ବା ବ୍ୟବସାୟୀକ ପ୍ରତିଷ୍ଠାନ ବିଏମସି ରେ ପଞ୍ଜିକୃତ ହୋଇନଥିବା ଜଣାପଡ଼ିଛି । ଡିଜିଟାଲ ଡୋର ନମ୍ବରିଂ ସିଷ୍ଟମ କାର୍ଯ୍ୟକାରୀ ହେଲେ ଅଣପଞ୍ଜୀକୃତ ବ୍ୟବସାୟୀଙ୍କୁ ଚିହ୍ନଟ ସହିତ ବିଏମ୍‌ସିର ରାଜସ୍ୱ ଆଦାୟ ବୃଦ୍ଧି ପାଇବ ବୋଲି ବିଏମସି ଲକ୍ଷ୍ୟ ରଖିଛି ।

ଟେଣ୍ଡର ମାଧ୍ୟମରେ ହାଇଦ୍ରାବାଦର ଏକ ଘରୋଇ ସଂସ୍ଥାକୁ ଏହି ଦାୟିତ୍ୱ ଦିଆଯାଇଛି । ୫ରୁ ୬ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଛି ବିଏମ୍‌ସି । କିନ୍ତୁ କୋଭିଡ ଯୋଗୁଁ ଏଥିରେ ବିଳମ୍ବ ହେଉଛି ।

Leave a Reply