ମୁଖ୍ୟମନ୍ତ୍ରୀ ହେବାର ଲୋଭ ନାହିଁ, ମନ୍ତ୍ରୀ ବି ହେବାକୁ ଚାହେଁନି: ଜିତନ୍ ରାମ୍ ମାଞ୍ଝି

ପାଟଣା: ବିହାରରେ ଏନଡିଏ ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରି ସାରିଛି । ଏହି ପରିପ୍ରେକ୍ଷୀରେ ହିନ୍ଦୁସ୍ଥାନୀ ଆବାମ୍ ମୋର୍ଚ୍ଚାର ମୁଖ୍ୟ ଜିତନ୍ ରାମ ମାଞ୍ଝି ଜେଡିୟୁ ମୁଖ୍ୟ ନୀତିଶ କୁମାରଙ୍କୁ ଭେଟିଛନ୍ତି । ବୈଠକରେ ରାଜ୍ୟରେ ସରକାର ଗଠନ ନେଇ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ବୈଠକ ସରିବା ପରେ ଜିତନ୍ ରାମ ମାଞ୍ଝି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ହେବାର କୌଣସି ସମ୍ଭାବନା ନାହିଁ ।

ସେ ପଦବୀ ପାଇଁ ଆଦୌ ଆଶାୟୀ ମଧ୍ୟ ନାହାନ୍ତି । ସେହିଭଳି ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ସେ ଦାୟିତ୍ୱ ନିର୍ବାହ କରିସାରିଛନ୍ତି । ତେଣୁ ନୀତିଶ ସରକାର ଅଧିନରେ ଉପମୁଖ୍ୟମନ୍ତ୍ରୀ କିମ୍ୱା ମନ୍ତ୍ରୀ ପଦ ସମ୍ଭାଳିବା ମଧ୍ୟ ସମ୍ଭବ ନୁହେଁ । ୨୦୧୪ରୁ ୧୫ରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଜିତନରାମଙ୍କୁ ଦାୟିତ୍ୱ ଦେଇଥିଲେ । ଏହାପରେ ପୁଣି ସାଧାରଣ ନିର୍ବାଚନ ହୋଇଥିଲା ଓ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଏଥରର ସାଧାରଣ ନିର୍ବାଚନରେ ଜିତନ ରାମ୍ ମାଞ୍ଝିଙ୍କୁ ୪ଟି ଆସନ ମିଳିଥିଲା । ଆସନ ସଂଖ୍ୟା କମ୍ ଥିଲେ ମଧ୍ୟ କେବଳ ନୀତିଶଙ୍କ ଭରସାରେ ସେ ଏନଡିଏ ଗଠବନ୍ଧନକୁ ଆସିଥିଲେ । ତେଣୁ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାରେ ତାଙ୍କର କୌଣସି ଦ୍ୱିଧା ନାହିଁ । ସେହିଭଳି ଆରଜେଡି ପକ୍ଷରୁ ତାଙ୍କୁ କୌଣସି ପ୍ରକାର ପ୍ରଲୋଭନ ମିଳିଥିବା ନେଇ ମଧ୍ୟ ବିହାରରେ ଚର୍ଚ୍ଚା ହେଉଥିଲା । ଗଣମାଧ୍ୟମର ଏହି ସମ୍ୱନ୍ଧୀୟ ପ୍ରଶ୍ନ ଉପରେ ଉତ୍ତର ରଖି ସେ କହିଛନ୍ତି ଯେ ଆରଜେଡି ତରଫରୁ ତାଙ୍କୁ କିମ୍ୱା ଦଳକୁ କୌଣସି ପ୍ରକାରର ପ୍ରଲୋଭନ ମିଳିନାହିଁ । ତା’ ଛଡା ଆରଜେଡି ସପକ୍ଷରେ ଯିବା ପାଇଁ ତାଙ୍କର ତିଳେ ମାତ୍ର ଆଗ୍ରହ ନାହିଁ । ଏନଡିଏ ସହ ମିଶି ନିର୍ବାଚନ ଲଢିଛନ୍ତି ଓ ଏନଡିଏ ସହ ହିଁ ସରକାର କରିବେ ବୋଲି ସେ ସ୍ପଷ୍ଟ ଶଦ୍ଦରେ କହିଛନ୍ତି ।

Leave a Reply