ସାରୁଅ ବିବାଦ: ୯ ଦିନରେ ପହଞ୍ଚିଲା OTV ବିରୋଧରେ ଠିକା କର୍ମଚାରୀଙ୍କ ଆନ୍ଦୋଳନ…

ଖୋର୍ଦ୍ଧା: ନବମ ଦିନରେ ପହଞ୍ଚିଛି ସାରୁଅ ଷ୍ଟୁଡିଓ ଆଗରେ ଠିକା କର୍ମଚାରୀଙ୍କ ଆନ୍ଦୋଳନ । ସାରୁଅଠାରୁ ଭୁବନେଶ୍ୱର, ସବୁଠି ଶୁଭୁଛି ବିରୋଧର ସ୍ବର । ଖରା, କାକରରେ ୯ଦିନ ହେଲା ଆନ୍ଦୋଳନରେ ବସିଛନ୍ତି କର୍ମଚାରୀ । ନ୍ୟାୟ ଦେବାତ ଦୂରର କଥା ଆନ୍ଦୋଳନକାରୀଙ୍କ ପାଖକୁ ଆସୁନାହାନ୍ତି ଷ୍ଟୁଡିଓ କର୍ମଚାରୀ । ସେପଟେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେନି ବୋଲି କହିଛନ୍ତି ଠିକା କର୍ମଚାରୀ ।

ଅନ୍ୟପକ୍ଷରେ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲା ଦଳିତ ଓ ଆଦିବାସୀ ମଞ୍ଚ । ଭୁବନେଶ୍ବର ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିଛି ଆଦିବାସୀ ମଞ୍ଚ । ଓଡ଼ିଶା ଇନ୍‌ଫ୍ରାଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍ କମ୍ପାନୀ ପକ୍ଷରୁ ସାରୁଅରେ ଚଞ୍ଚକତା କରି ଜମି ହଡ଼ପ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଜଗି ଓ ବୈଜୟନ୍ତ ପଣ୍ଡାଙ୍କ ଗିରଫଦାରି ଦାବି କରିଛି ମଞ୍ଚ । ଜମି ନଫେରାଇଲେ ଆଗାମୀ ଦିନରେ ବଡ଼ ଆନ୍ଦୋଳନ ହେବ ବୋଲି ଆଦିବାସୀ ଓ ଦଳିତ ମଞ୍ଚ ଚେତାବନୀ ଦେଇଛି । ସେହିପରି ଜମି ହଡ଼ପକାରୀଙ୍କୁ ଗିରଫ କରିବାକୁ ନବନିର୍ମାଣ କୃଷକ ସଂଗଠନ ମଧ୍ୟ ଦାବି କରିଛି ।

ସେପଟେ ଓଡ଼ିଶା ଇନ୍‌ଫ୍ରାର ପୂର୍ବତନ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଓ ଏଜେଣ୍ଟ ଶିବପ୍ରସାଦ ଶ୍ରୀଚନ୍ଦନଙ୍କର ଆଜି ଜାମିନ ଆବେଦନର ଶୁଣାଣି ହେବ । ଓଡ଼ିଶା ଇନ୍‌ଫ୍ରାଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଦୁଇ କର୍ମଚାରୀ ଦୀନବନ୍ଧୁ ସାମନ୍ତ ଏବଂ ବିଶ୍ୱଜିତ ରାଉତରାୟଙ୍କ ଜାମିନ ଆବେଦନର ମଧ୍ୟ ଆଜି ଶୁଣାଣି ହେବ । ଠିକା କର୍ମଚାରୀଙ୍କୁ ମାରଧର ଓ ଧମକ ଚମକ ଅଭିଯୋଗରେ ଗତ ଅକ୍ଟୋବର ୩୧ ତାରିଖରୁ ଉଭୟ ଜେଲରେ ଅଛନ୍ତି । ସେହିପରି ଓଟିଭି ଗ୍ରୁପ୍‌ର ପୂର୍ବତନ ଡ୍ରାଇଭର ରବି ସେଠୀଙ୍କୁ ଜମି ବିକିଥିବା ସାରୁଅର ୨୨ଜଣ ଗ୍ରାମବାସୀ ଆଜି ଖୋର୍ଦ୍ଧା ଜିଲ୍ଲା ଜଜ କୋର୍ଟରେ ହାଜର ହୋଇ ପକ୍ଷ ରଖିବା ପାଇଁ ନୋଟିସ୍ ହୋଇଛି ।

Leave a Reply