କାର ସେଲ୍ସମ୍ୟାନଙ୍କ ପୁଅ ଏବେ ମହାଶକ୍ତି ଆମେରିକାର ମୁଖିଆ, ଜାଣନ୍ତୁ ବାଇଡେନଙ୍କ ଇତିହାସ
1 min readୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୦ ଅନେକ ବାଦ ବିବାଦ ଦେଇ ଗତି କରିଛି । ଜୋ ବାଇଡେନ୍ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଶେଷରେ ବାଇଡେନ୍ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ବାଇଡେନ୍ଙ୍କ ଖାତାରେ ୨୯୦ ଇଲେକ୍ଟୋରାଲ ଭାେଟ ପଡ଼ଥିବା ବେଳେ ଟ୍ରମ୍ପଙ୍କ ଖାତାରେ ୨୧୪ ଭୋଟ ସାମିଲ ଥିଲା ।
ତେବେ ସବୁଠୁ ବଡ଼ କଥା ହେଲା ଜଣେ କାର୍ ସେଲ୍ସ ମ୍ୟାନ୍ଙ୍କ ପୁଅ ଆମେରିକାର ବସ୍ ହୋଇପାରିଛି । ଆଉ ଡୋନାଲ୍ଡ ଟ୍ରମ୍ପଙ୍କ ଭଳି ହସ୍ତୀଙ୍କୁ ହରାଇ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପଦବୀରେ ନିଜକୁ ବସାଇ ପାରିଛି । ତେବେ କେମିତି ଥିଲା ତାଙ୍କର ଏହି ଯାତ୍ରା ? ଯୁକ୍ତ ରାଷ୍ଟ୍ର ଆମେରିକାରେ ଲୋକଙ୍କ ହୃଦୟରେ କେମିତି ବସିଲେ ଜୋ ବାଇଡେନ୍ ? କୁହାଯାଉଛି ୫ଟି ମୁଖ୍ୟ କାରଣ ଯୋଗୁଁ ବାଇଡେନ୍ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ମୁଖ୍ୟ ହୋଇପାରିଛନ୍ତି ।
କୋଭିଡ୍ ମୁକାବିଲା
କୋଭିଡ୍-୧୯ ବା ମହାମାରୀ କରୋନା ଭାଇରସ୍ । କରୋନା ଭାଇରସ୍ ଆମେରିକାରେ ବେଶୀ କ୍ଷତି ପହଞ୍ଚାଇଛି । ପ୍ରାୟ ୨ ଲକ୍ଷ ୩୦ ହଜାର ଲୋକ ଏଥିରେ ମୃତ୍ୟୁ ବରଣ କରିଛନ୍ତି । ଯାହାକି ଆମେରିକା ରାଜନୀତିକୁ ଓଲଟପାଲଟ କରି ଦେଇଛି । କରୋନା ଯୋଗୁଁ ଆମେରିକାର ଅନେକ କ୍ଷତି ହୋଇଥିବା ନେଇ ନିର୍ବାଚନ ପ୍ରଚାରର ଶେଷ ଆଡ଼କୁ, ଖୋଦ୍ ଟ୍ରମ୍ପ ମଧ୍ୟ ସ୍ୱୀକାର କରିଛନ୍ତି ।
ଚଳିତ ନିର୍ବାଚନ ପ୍ରଚାର ସମୟରେ କରୋନା ଏକ ମୁଖ୍ୟ ପ୍ରସଙ୍ଗ ଥିଲା । ଲୋକଙ୍କ ଫୋକସ୍ରେ ନିର୍ବାଚନ ନଥିଲା ବରଂ ତା’ଠାରୁ ଢ଼େର ଅଧିକ ଫୋକସ୍ରେ ଥିଲା କରୋନା ମହାମାରୀ । ବିଭିନ୍ନ ଗଣମାଧ୍ୟମ ମଧ୍ୟ କରୋନାକୁ ହିଁ ଫୋକସ୍ କରିଥିଲା । ସେହିଭଳି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ’ଣ କହୁଛନ୍ତି ତା’ଉପରେ ଲୋକଙ୍କ ଯେତିକି ଗୁରୁତ୍ୱ ନଥିଲା, ତା’ଠାରୁ ଢ଼େର ଅଧିକ ଗୁରୁତ୍ୱ ଥିଲା କରୋନା ସହ ଟ୍ରମ୍ପ କିଭଳି ମୁକାବିଲା କରୁଛନ୍ତି । ଏଭଳି ପରିସ୍ଥିତିରେ ଟ୍ରମ୍ପଙ୍କ କରୋନା ମୁକାବିଲା ଫର୍ମୁଲା ଲୋକଙ୍କୁ ପସନ୍ଦ ଆସିନଥିଲା ବୋଲି କୁହାଯାଉଛି । ଯାହା ଦ୍ୱାରା ଟ୍ରମ୍ପଙ୍କ ଲୋକପ୍ରିୟତା ହ୍ରାସ ପାଇଥିଲା ।
ଖାଲି ସେତିକି ନୁହେଁ ନିର୍ବାଚନ ପୂର୍ବରୁ ପିଉ ରିସର୍ଚ୍ଚ ସେଣ୍ଟର ଏକ ପୋଲ କରିଥିଲା । ଯେଉଁଥିରେ କରୋନା ମହାମାରୀ ମୁକାବିଲାକୁ ନେଇ ଲୋକଙ୍କ ମତ ନିଆଯାଇଥିଲା । ଏହି ରିପୋର୍ଟ ଅନୁଯାୟୀ ବାଇଡେନ୍ଙ୍କ ଲୋକପ୍ରିୟତା ଟ୍ରମ୍ପଙ୍କଠାରୁ ୧୭ ପଏଣ୍ଟ ଅଧିକ ରହିଥିଲା । ଲୋକଙ୍କ ମନରେ ଟ୍ରମ୍ପ କରୋନା ମୁକାବିଲା ପାଇଁ ଅନ୍ଫିଟ୍ ବୋଲି ବସା ବନ୍ଧି ସାରିଥିଲା । ଆଉ ଲୋକଙ୍କ ଏଭଳି ମାନସିକତା ହିଁ ବାଇଡେନ୍ଙ୍କ ପାଇଁ ଅସ୍ତ୍ର ପାଲଟିଥିଲା । ଟ୍ରମ୍ପଙ୍କ ନିର୍ବାଚନୀ ମୁଦ୍ଦା ବିକାଶ ରହିଥିବା ବେଳେ ବାଇଡେନ୍ଙ୍କ ନିର୍ବାଚନୀ ମୁଦ୍ଦା ଥିଲା ଟ୍ରମ୍ପଙ୍କ ବିଫଳତା ।
ବିବାଦୀୟ ବୟାନରୁ ଦୂରରେ
ବାଇଡେନ୍ଙ୍କ ରାଜନୈତିକ କ୍ୟାରିୟରରେ ଅନେକ ଥର ସମସ୍ୟାରେ ପଡ଼ିଛନ୍ତି । ଆଉ ଅଧିକାଂଶ ସମସ୍ୟା ସେ ତାଙ୍କ ନିଜ ବୟାନ ପାଇଁ ଉପୁଜିଥାଏ । ଯେଉଁ କାରଣରୁ ସେ ପ୍ରଥମ ଥର ୧୯୮୭ରେ ରାଷ୍ଟ୍ରପତି ନିର୍ବାଚନ ହାରିଥିଲେ । ଏହା ପରେ ୨୦୦୭ରେ ମଧ୍ୟ ସେ ଜିତି ପାରି ନଥିଲେ । ଏହି ସବୁର କାରଣ ସେ ନିଜେ ହିଁ । ତେବେ ତୃତୀୟ ଥର ଅର୍ଥାତ୍ ଚଳିତ ଥର ବାଇଡେନ୍ଙ୍କ ପାଇଁ କିଛି କମ୍ ସମସ୍ୟା ଉପୁଜିଥିଲା ତାହା ନୁହେଁ ବରଂ ଚଳିତ ଥର କୌଣସି ବି ସମସ୍ୟା ବଡ଼ ମୁଦ୍ଦା ହୋଇନଥିଲା ।
କାରଣ ଚଳିତ ନିର୍ବାଚନ ସମୟରେ ଅନେକ ବଡ଼ ବଡ଼ ଘଟଣା ଚର୍ଚ୍ଚାରେ ଥିଲା । ଗୋଟିଏ ପଟେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ବୟାନ ପାଇଁ ସବୁବେଳେ ମିଡିଆରେ ଚର୍ଚ୍ଚାରେ ରହୁଥିବା ବେଳେ ଅନ୍ୟପଟେ କରୋନା ମହାମାରୀ ମଧ୍ୟ ଚର୍ଚ୍ଚାରେ ଥିଲା । ଏମିତିକି ଜର୍ଜ ଫ୍ଲଏଡ୍ଙ୍କ ମୃତ୍ୟୁ ପରେ ହୋଇଥିବା ପ୍ରଦର୍ଶନ ମଧ୍ୟ ଗଣମାଧ୍ୟମକୁ ବ୍ୟସ୍ତ ରଖିଲା । ଯାହା ଦ୍ୱାରା ବାଇଡେନ୍ ନିଜ ନିର୍ବାଚନୀ ପ୍ରଚାର ସମୟରେ ଯେତିକି ଜରୁରୀ ସେତିକି ଗଣମାଧ୍ୟମ ସାମ୍ନାକୁ ଆସିଥିଲେ । ଫଳରେ ବାଇଡେନ୍ଙ୍କ ପାଟିରୁ ବିବାଦୀୟ ବୟାନ୍ ଆସିବା ବନ୍ଦ ହୋଇଗଲା ଆଉ ସେ ଅନେକ ସମସ୍ୟାରୁ ବର୍ତ୍ତି ଗଲେ ।
ଆମେରିକା ଚାହେଁ ଶାନ୍ତିପ୍ରିୟ ନେତା
ନିର୍ବାଚନର ଠିକ୍ ଏକ ସପ୍ତାହ ପୂର୍ବରୁ ବାଇଡେନ୍ଙ୍କ ଟିମ୍ ପକ୍ଷରୁ ଟିଭିରେ ବିଜ୍ଞାପନ ଆସିଥିଲା । ଏଥିରେ ଯେଉଁ ବାର୍ତ୍ତା ଦିଆଯାଇଥିଲା ତାହା ସେ ଅଗଷ୍ଟରେ ନିର୍ବାଚନରେ ଆକ୍ସେପ୍ଟାନ୍ସ ମିଟିଂରେ ନିଜ ଅଭିଭାଷଣରେ କହିଥିଲେ । ସେ ଆମେରିକାବାସୀ ଜଣେ ଶାନ୍ତିପ୍ରିୟ ନେତା ଚାହୁଁଛନ୍ତି । କିନ୍ତୁ ଟ୍ରମ୍ପ ଜଣେ ଭଡ଼କାଉ ନେତା, ତାଙ୍କ ଭାଷାରେ ବିଶୃଙ୍ଖଳା ସୃଷ୍ଟି ହେବାର ଆଶଙ୍କା ଥାଏ । ସେ ଏଥିରେ ପାର୍ଥକ୍ୟ ଚାହାନ୍ତି ବୋଲି ନିଜ ଭାଷଣରେ କହିଥିଲେ ବାଇଡେନ୍ ।
ତେବେ ଚଳିତ ନିର୍ବାଚନରେ ଡେମୋକ୍ରାଟ ସମର୍ଥକଙ୍କ ମନରେ ଏକ ବଡ଼ ଚର୍ଚ୍ଚା ଥିଲା ଯେ, ବିଡେନ୍ ଜିତିଲେ କମ୍ ସେ କମ୍ ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜନୀତି ବିଷୟରେ ଚିନ୍ତା କରିବାକୁ ପଡ଼ିବ ନାହିଁ । ଏହି କଥା ହସ୍ୟାସ୍ପଦ ଥିଲେ ମଧ୍ୟ କେଉଠି ନା କେଉଁଠି ଏଥିରେ ସତ୍ୟତା ଥିଲା । ଟ୍ରମ୍ପ ଓ ବାଇଡେନ୍ଙ୍କ ମଧ୍ୟରେ ଲଢ଼େଇ ଚାଲିଥିବା ବେଳେ ଲୋକ ଯେମିତି ହେଲେ ନିଜର ମତ ସାବ୍ୟସ୍ତ କରିବେ ବୋଲି ଆଗ୍ରହୀ ଥିଲେ ।
ସ୍ଥାନୀୟ ପ୍ରସଙ୍ଗକୁ ମୁଦ୍ଦା
ବିଭିନ୍ନ ଦିଗରୁ ନିର୍ବାଚନୀ ଚାଲ ଖେଳା ଯାଉଥିବା ବେଳେ ବାଇଡେନ୍ ନ୍ୟୁଟ୍ରାଲ ରହି ଟ୍ରମ୍ପଙ୍କୁ ଡେଣା କାଟିବାକୁ ଚେଷ୍ଟା କରିଥିଲେ । ସେ ଆମେରିକାର ସ୍ୱାସ୍ଥ୍ୟସେବା, ଶିକ୍ଷା ବ୍ୟବସ୍ଥା ଏବଂ ଅର୍ଥନୀତିକୁ ମୁଦ୍ଦା କରିଥିଲେ । ଯାହାକି ଟ୍ରମ୍ପଙ୍କ ବିଫଳତା ବୋଲି କୁହାଯାଉଛି । ଲୋକଙ୍କ ପାଖରେ ସେ ଟ୍ରମ୍ପଙ୍କ ବିଫଳତାକୁ ସଫଳତା ପୂର୍ବକ ରଖିପାରିଥିଲେ ।
ଖାଲି ସେତିକି ନୁହେଁ ବାଇଡେନ୍ ବାମପନ୍ଥୀଙ୍କ ସମର୍ଥନ ପାଇବା ପାଇଁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ କମଲା ହ୍ୟାରିସ୍ଙ୍କୁ ବାଛିଥିଲେ । ଯାହାକି ତାଙ୍କୁ ଆରମ୍ଭରୁ ସଫଳତାର ଗୋଟିଏ ପାହାଚ ଚଢ଼ାଇଥିଲା । ତେବେ ପର୍ଯ୍ୟାବରଣ ଓ ପ୍ରଦୂଷଣ କଥା ମଧ୍ୟ ନିର୍ବାଚନୀ ପ୍ରଚାରର ଏକ ମୁଦ୍ଦା ଭାବେ ସେ ଗ୍ରହଣ କରିଥିଲେ । ଯାହାକି ଯୁବ ଗୋଷ୍ଠୀଙ୍କୁ ଆକର୍ଷିତ କରିଥିଲା ।
ଅର୍ଥ ନଥାଇ ଲଢ଼ିଥିଲେ ନିର୍ବାଚନ
ନିର୍ବାଚନ ଆରମ୍ଭରୁ ବାଇଡେନ୍ଙ୍କ ପାଖରେ ଟଙ୍କା ନଥିଲା । ଆଉ ଟ୍ରମ୍ପଙ୍କ ଭଳି ବିଜ୍ନେସ୍ ମ୍ୟାନ୍ଙ୍କ ବିରୋଧରେ ନିର୍ବାଚନ ପ୍ରଚାରକୁ ଓହ୍ଲାଇବାର ନିଷ୍ପତ୍ତି ନେଇଥିଲେ । ତେବେ ଏହି ନିଷ୍ପତି ତାଙ୍କୁ ସଫଳତା ଆଡ଼କୁ ଟାଣି ନେଇଥିଲା । ଏପ୍ରିଲ୍ରୁ ସେ ନିଜ ନିର୍ବାଚନୀ ଅଭିଯାନକୁ ଅର୍ଥ ସଂଗ୍ରହ ଅଭିଯାନରେ ପରିଣତ କରିଥିଲେ । ଆଉ ଟ୍ରମ୍ପଙ୍କ ଖାମ୍ଖିଆଲ ମନୋଭାବ ଯୋଗୁଁ ବାଇଡେନ୍ ବିପୁଳ ଅର୍ଥ ସଂଗ୍ରହ କରିବାରେ ସମର୍ଥ ହୋଇଥିଲେ । ଏମିତିକି ଟ୍ରମ୍ପଙ୍କଠାରୁ ସେ ବହୁତ ଅଧିକ ଟଙ୍କା ଜମା କରି ନେଇଥିଲେ ।
ଅକ୍ଟୋବର ଶେଷ ସୁଦ୍ଧା ବାଇଡେନ୍ ନିର୍ବାଚନୀ ଅଭିଯାନ ପାଖରେ ଟ୍ରମ୍ପଙ୍କ ଫଣ୍ଡଠାରୁ ପ୍ରାୟ ୧୪.୪ କୋଟି ଡଲାର ଅଧିକ ଥିଲା । ଯାହାଦ୍ୱାର ସେ ସବୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ଟିଭିରେ ନିଜର ବଜ୍ଞାପନ କରିବାରେ ସମର୍ଥ ହୋଇଥିଲେ । ଯାହା କି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଟ୍ରମ୍ପ କରିପାରି ନଥିଲେ ।