ଥଣ୍ଡା ପବନ ଯୋଗୁଁ ଥରିଲାଣି ଉତ୍ତର ଓଡ଼ିଶା, ୯ରୁ ବଢ଼ିବ ତାପମାତ୍ରା

1 min read

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମୁଛି ପାରଦ । ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରୁ ଆସୁଥିବା ଥଣ୍ଡା ପବନ ଯୋଗୁଁ ଥରିଲାଣି ଉତ୍ତର ଓଡ଼ିଶାର ଅନେକ ଜିଲ୍ଲା । ଉତ୍ତର ଅପେକ୍ଷା ଦକ୍ଷିଣ ଓଡ଼ିଶାରେ ଅଧିକ ଅନୁଭୁତ ହେଉଛି ଶୀତ । ଉତ୍ତର ଓଡ଼ିଶାରେ ୨ ରୁ ୩, ଦକ୍ଷିଣରେ ୩ ରୁ ୪ ଡିଗ୍ରୀ ପାରଦ ଖସିଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ୧୧.୮ ଡିଗ୍ରୀ ତାପମାତ୍ରା ସହ ସୋନପୁର ଓଡ଼ିଶାର ସବୁଠାରୁ ଥଣ୍ଡା ସହର ପାଲଟିଛି । ରାଜଧାନୀ ଭୁବେନଶ୍ୱର ୨୦.୬ଡିଗ୍ରୀ ହୋଇଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି କମିବ ବୋଲି ଆକଳନ କରାଯାଇଛି ।

ପୂର୍ବ ବଙ୍ଗୋପସାଗରରୁ ତରଙ୍ଗାୟିତ ପବନ ପ୍ରଭାବରେ ଉପକୂଳ ଜିଲ୍ଲା ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ସେପଟେ କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି, ବାଲିଗୁଡ଼ା, ବେଲଘର, ତୁମୁଡ଼ିବନ୍ଧ, କୋଟଗଡ଼ ଆଦି ଅଞ୍ଚଳରେ ଖସିବାରେ ଲାଗିଛି ପାରଦ । ଘନ କୁହୁଡ଼ି ସାଙ୍ଗକୁ ହାଲକା ଶୀତରେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ଲୋକେ । ଦିନ ୯ଟା ପର୍ଯ୍ୟନ୍ତ କୁହୁଡିର ରାଜ ଚାଲୁଥିବାରୁ ଯାତାୟାତରେ ସାମାନ୍ୟ ବାଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି  ।

ଉପକୂଳ ଓଡ଼ିଶାର ପାରଦସ୍ତର ଖସିଥିଲେ ମଧ୍ୟ ଅଧିକ ଥଣ୍ଡା ପଡ଼ିନାହିଁ। ଏବେ ରାଜ୍ୟକୁ ଉତ୍ତର ଭାରତରୁ ପବନ ପ୍ରବାହିତ ହେଉଥିବାରୁ ଉପକୂଳ ଓଡ଼ିଶାରେ ମଧ୍ୟ ଆସନ୍ତା ୨ ଦିନରେ ୨ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ଆସନ୍ତା ୨ ଦିନରେ ତାପମାତ୍ରା ଆଉ ଟିକେ ହ୍ରାସ ପାଇବାର ସମ୍ଭାବନା ରହିଛି। ଏହା ପରେ ରାଜ୍ୟର ତାପମାତ୍ରା ବଢ଼ିବା ଆରମ୍ଭ କରି ଓ ଧୀରେଧୀରେ ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ପୂର୍ବାନୁମାନ ମୁତାବକ ରାଜ୍ୟରେ ୪ ତାରିଖଠାରୁ ଥଣ୍ଡା ପଡ଼ିବା ଆରମ୍ଭ ହୋଇଯାଇଛି । ଅନୁମାନ କରାଯାଉଛି ରାଜଧାନୀ ସମେତ ଉପକୂଳ ଜିଲ୍ଲାଗୁଡ଼ିକରେ ୮ ତାରିଖ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୧ଡିଗ୍ରି କମିପାରେ । ତା’ପର ଦୁଇ ଦିନ କ୍ରମଶଃ ବଢ଼ିବ । ବିଶେଷ ଭାବେ ୧୧ ଓ ୧୨ ତାରିଖ ରାତିର ତାପମାତ୍ରା ବିଶେଷ ବଢ଼ିବା ଯୋଗୁଁ ଥଣ୍ଡା କମିବ ।

Leave a Reply