ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କୁ ମିଳିବ କରୋନା ଟିକା, କେହି ବି ବଞ୍ଚିତ ରହିବେନି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ: କରୋନା ଟିକା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପୁଣି ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କରୋନା ଟିକାକୁ ନେଇ ରାଜନୀତି କରିବା ଆବଶ୍ୟକ ନାହିଁ । ସମସ୍ତ ଭାରତୀୟଙ୍କୁ କରୋନା ଟିକା ଯୋଗାଇବା ପାଇଁ ସରକାର ଯୋଜନା କରୁଛନ୍ତି । ସମାଜର ଶେଷ ପାହାଚରେ ଥିବା ବ୍ୟକ୍ତି ମଧ୍ୟ କରୋନା ଟିକା ପାଇବ । ସେନେଇ ବ୍ୟବସ୍ଥା କରାଯାଉଛି । ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଟିକା କରଣ କରାଯିବ । ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଅଧିନରେ କରୋନା ଟିକା ପ୍ରଦାନ କରାଯାଇପାରେ ।
ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, କରୋନା ଟିକା ଆସିବାପରେ ପ୍ରଥମେ ସେହିମାନଙ୍କୁ ମିଳିବ, ଯେଉଁମାନଙ୍କୁ ଏହି ମାହାମାରୀର ଅଧିକ ଭୟ ରହିଛି । ଗୁରୁତର ରୋଗୀଙ୍କୁ ପ୍ରଥମେ ଏହି ତାଲିକାରେ ସାମିଲ କରାଯିବ ଏବଂ ସେମାନଙ୍କୁ ପ୍ରଥମେ ଟିକା ଦେବାକୁ ଚେଷ୍ଟା କରାଯିବ ।
ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବା ପରେ କରୋନାରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ ଟିକା ଦିଆଯିବ ବୋଲି ମୋଦି ସୂଚନା ଦେଇଛନ୍ତି । କରୋନା ସଂକ୍ରମଣ ଓ ଭୟ ମଧ୍ୟରେ ଟିକାକୁ ଦେଶବାସୀ ବଡ଼ ଉଦବିଗ୍ନ ସହ ଅପେକ୍ଷା କରିଛନ୍ତି ।
ଏଭଳି ପରିସ୍ଥିତିରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଆଶା ଦେଖାଇଛନ୍ତି ଯେ, ଅକ୍ସଫୋର୍ଡ଼ କରୋନା ଭାଇରସ୍ ଟିକାର ପ୍ରଥମ ପର୍ଯ୍ୟାୟ ୨୦୨୧ ଦ୍ୱିତୀୟ ତ୍ରୟମାସିକ ଅର୍ଥାତ୍ ଜୁନ୍ ସୁଦ୍ଧା ଉପଲବ୍ଧ ହେବ । କେବଳ ସେତିକି ନୁହେଁ, ସେରମ ଇନଷ୍ଟିଚ୍ୟୁଟ୍ ପ୍ରଥମ ପର୍ଯ୍ୟାୟରେ ୧୦୦ ନିୟୁତ ଟୀକା ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରୁଛି । ସେ ଆହୁରି କହିଛନ୍ତି, ଡିସେମ୍ବର ଶେଷ ସୁଦ୍ଧା ପରୀକ୍ଷା ପ୍ରକ୍ରିୟା ଶେଷ ହେବ ଏବଂ ଯଦି ସବୁ ଠିକ୍ ହୁଏ ତେବେ ଜାନୁଆରୀରେ ଆମେ ଟିକା ପାଇପାରିବା । କିନ୍ତୁ ଏହାର ପୂର୍ଣ୍ଣ ଉପଲବ୍ଧ ହେବା ବେଳକୁ ୨୦୨୧ର ଦ୍ୱିତୀୟ ତ୍ରୟମାସିକ ହୋଇପାରେ ।