ଭଦ୍ରକ: ଭଦ୍ରକରେ ମହିଳା ମହାସଂଘ ପ୍ରତିବାଦ ପ୍ରଦର୍ଶନ କରୁଥିଲେ । ତେବେ ପ୍ରତିବାଦ ବେଳେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ମହିଳା ମହାସଂଘର ସଭାନେତ୍ରୀ, ସମ୍ପାଦିକାଙ୍କୁ ବହିଷ୍କାର କରିବା ପ୍ରତିବାଦରେ ବନ୍ତ ବ୍ଲକ ସମ୍ମୁଖରେ ଆଜି ବିକ୍ଷୋଭ କରାଯାଉଥିଲା । ଏହି ସମୟରେ ବିକ୍ଷୋଭ କରୁଥିବା କେତେକ ମହିଳା ବ୍ଲକ କାର୍ଯ୍ୟାଳୟ ଭିତରେ ପଶି ବିପିଏମ୍ ଓ OLM ଅଧିକାରିଣୀଙ୍କୁ ମାଡ଼ ମାରିବା ସହ ତାଙ୍କ ଅଫିସରେ ଭଙ୍ଗାରୁଜା କରିଛନ୍ତି ।

ଏପରିକି ଝାଡୁ, ପହଁରା ଧରି ମାଡ଼ ମାରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଚିରିଛନ୍ତି । ଅଫିସରେ ଥିବା କମ୍ପୁଟରକୁ ମଧ୍ୟ ଭାଙ୍ଗିଛନ୍ତି । ଆଇନ ଶୃଙ୍ଖଳା ରକ୍ଷା ପାଇଁ ସେଠାରେ ପୋଲିସ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ବିକ୍ଷୋଭକାରୀମାନେ ଅଫିସ୍ ମଧ୍ୟକୁ ଧସେଇ ପଶିବାକୁ ଚେଷ୍ଟା କରିବା ପରେ ପୋଲିସ କର୍ମଚାରୀମାନେ ସେମାନଙ୍କୁ ବିରୋଧ କରିଥିଲେ । ତେବେ ଉଗ୍ର ମହିଳା ଗୋଷ୍ଠୀ ପୋଲିସମାନଙ୍କୁ ମଧ୍ୟ ନିସ୍ତୁକ ମାଡ ମାରିଛନ୍ତି । ମହିଳାମାନଙ୍କ ଆକ୍ରମଣରେ ଦୁଇ ଜଣ ପୋଲିସ କର୍ମଚାରୀ ଓ ଦୁଇଜଣ ବ୍ଲକ ଅଧିକାରୀ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଜାରି ରହିଛି ।

