ଆଜି ମଣ୍ଡପରେ ମହାଷ୍ଟମୀ ପୂଜା, ଝଲସୁନି ରାସ୍ତାଘାଟ ଦେଖିବାକୁ ମିଳୁନି ନବଶ୍ଚୁମ୍ଭୀ ତୋରଣ

ଭୁବନେଶ୍ୱର: ଧରାପୃଷ୍ଠରେ ଅବତରଣ କରିଛନ୍ତି ଶକ୍ତି ସ୍ୱରୂପିଣୀ । ବିଧି ଅନୁସାରେ ମା’ଙ୍କୁ କରାଯାଇଛି ଆବାହନ । ତେବେ ଆଜି ପୀଠରେ ମାଆଙ୍କ ନବମୀ ହୋଇଥିବା ବେଳେ ପୂଜା ମଣ୍ଡପ ମାନଙ୍କରେ ମହାଷ୍ଟମୀ ପାଳନ କରାଯାଉଛି । ହେଲେ କରୋନା କଟକଣା ପାଇଁ ସବୁଠି ଖାଁ ଖାଁ । ଭଳିକିଭଳି ଆଲୁଅରେ ଝଲସୁନି ରାସ୍ତାଘାଟ କି ଦେଖିବାକୁ ମିଳୁନି ନବଶ୍ଚୁମ୍ଭୀ ତୋରଣ ।

କଟକଣା ପଇଁ ମଣ୍ଡପ ନିକଟକୁ ଭକ୍ତଙ୍କୁ ମନା କରାଯାଇଛି । ସୀମିତ ଭକ୍ତ ଓ ପୁରୋହିତଙ୍କୁ ନେଇ ଅନୁଷ୍ଠିତ ହେଉଛି ପୂଜା । ଘରେ ରହି ମାଆଙ୍କୁ ଆରାଧନା କରୁଛନ୍ତି ଭକ୍ତ  । ହେଲେ ଚଳଚଞ୍ଚଳ ହୋଇପଡ଼ିଛି ପୂଜା ବଜାର । କରୋନା କଟକଣାକୁ ମାନି ଚାଲିଛି ପୂଜା ବଜାର । ସେପଟେ ଟୁଇନସିଟିରେ କଟକଣାରେ ଚାଲିଛି ପୂଜା  ।

ଐତିହ୍ୟ ନଗରୀ କଟକ ସହରରେ ମା ଜଗତଜନନୀଙ୍କ ଆରାଧନା । ଆଜି ମା’ଙ୍କ ମହାଷ୍ଟମୀ ପର୍ବ । ଆଜିର ଦିନରେ ଶ୍ରଦ୍ଧାଳୁ ମାନେ ବ୍ରତ ରଖିଥାନ୍ତି । ମାଆଙ୍କ ଦର୍ଶନ ସହିତ  ପ୍ରସାଦ ପାଇବା ପରେ ବ୍ରତ ସମାପ୍ତିର ବିଧି ରହିଛି । ତେବେ କୋଭିଡ କଟକଣା ପାଇଁ ଶ୍ରଦ୍ଧାଳୁ ଘରେ ରହି ଏହି ବ୍ରତ କରିଛନ୍ତି। ପୂଜା କମିଟି ପକ୍ଷରୁ ଘରେ ଘରେ ସିନ୍ଦୁର ସଂଖା, ପାଦୁକ ପହଂଚାଇବାର ବ୍ୟବସ୍ଥା କରାଯାଇଛି ।

ସକାଳୁ ମାଜଣା, ଧୂପ କରାଯିବା ସହିତ ଚଣ୍ଡୀପାଠରେ ଆବାହନ କରାଯାଉଛି । ତେବେ ଅଷ୍ଟମୀ ଯିବା ଓ ନବମୀ ପ୍ରବେଶରେ ଆଜି ସନ୍ଧି ପୂଜା କରାଯିବା ସହିତ ପନିକଖାରୁ ବଳି ଦିଆଯିବ ।

Leave a Reply