ନୀତିଶ କୁମାର -ଚିରାଗ ପାଶୱାନଙ୍କ କଳି ପଛରେ କିଏ ?

1 min read

ପାଟନା: ବିହାର ବିଧାନସଭା ନିର୍ବାଚନ ୨୦୨୦ । ଭୋଟଦାନ ଦିନ ଯେତିକି ପାଖେଇ ଆସୁଛି, ନିର୍ବାଚନ ନେଇ ସେତିକି ଉତ୍କଣ୍ଠା ବଢୁଛି । କେବଳ ବିହାର ନୁହେଁ, ସାରା ଦେଶର ରାଜନୈତିକ ବର୍ଗ ମହଲର ନଜର ଏହି ନିର୍ବାଚନ ଉପରେ ରହିଛି । ଭୋଟ ଗ୍ରହଣ ପୂର୍ବରୁ ଲୋକେ ନିର୍ବାଚନକୁ ନେଇ ଭିନ୍ନ ଭିନ୍ନ ଧାରଣା ରଖିଲେଣି । କିଛି ସପ୍ତାହ ତଳେ ଯେଉଁ କଥା କେବଳ ଗଣମାଧ୍ୟମ ଏବଂ ରାଜନୈତିକ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସୀମିତ ରହିଥିଲା । ତାହା ଏବେ ସାଧାରଣ ବିହାରୀ ମୁହଁରେ ଶୁଣିବାକୁ ମିଳୁଛି । ଆମେ କେଉଁ ଆଡ଼କୁ ଇସାରା କରୁଛୁ, ତାହା ଆଉ ଆପଣଙ୍କ ଅବୁଝା ନ ଥିବ ।

ଲୋକ ଜନଶକ୍ତି ପାର୍ଟି(ଏଲଜେପି) ବିହାର ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ)ର ଅଂଶୀଦାର ହୋଇ ରହିନାହିଁ । ହେଲେ ବିଜେପି ବିରୋଧରେ ପ୍ରାର୍ଥୀ ମଧ୍ୟ ଦେଇ ନାହିଁ । ବିହାରରେ ଏନଡିଏର ପ୍ରମୁଖ ଅଂଶୀଦାର ଜେଡି(ୟୁ) ବିରୋଧରେ କିନ୍ତୁ ଶାଣିତ ଆକ୍ରମଣ କରୁଛି ଏଲଜେପି । ଜେଡିୟୁ ଲଢୁଥିବା ପ୍ରତିଟି ଆସନରେ ପ୍ରାର୍ଥୀ ଦେଇ ଏଲଜେପି ନୀତିଶ କୁମାରଙ୍କ ଭୟାନକ କ୍ଷତି ସାଧନ କରିବାକୁ ଚେଷ୍ଟା କରିଛନ୍ତି ।

ନିକଟରେ ଟୁଇଟରରେ ହ୍ୟାସଟ୍ୟାଗ ମାଧ୍ୟମରେ ଅସମ୍ଭବ ନୀତିଶ ଶବ୍ଦକୁ ଯୋଡା ଯଆଇ ପ୍ରଚାର କରାଯାଉଛି । ଏହାର ଅର୍ଥ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାର ରାଜନୀତିର କ୍ଷମତାକୁ ଫେରିବା ଅସମ୍ଭବ । ଏହାକୁ ଏଲଜେପି ପ୍ରମୁଖ ଚିରାଗ ପାଶୱାନ ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ବହୁଳ ଭାବେ ଭାଇରାଲ କରାଯାଇଛି । ନୀତିଶ କୁମାର ଏବଂ ତାଙ୍କ ସହଯୋଗୀ ବିଗତ ୧୫ ବର୍ଷର କାର୍ଯ୍ୟକଳାପକୁ ଦେଖି ଭୋଟ ମାଗୁଛନ୍ତି । ଏହି ପ୍ରଚାରକୁ ତାତ୍ସଲ୍ୟ କରି ଚିରାଗ କୁହନ୍ତି ଯେ, ୧୫ ବର୍ଷର କଥା ଛାଡନ୍ତୁ ନୀତିଶ ବାବୁ । ବିଗତ ୫ ବର୍ଷରେ ଜେଡିୟୁ ସରକାର କ’ଣ କରିଛି । ତାହାର ହିସାବ ପ୍ରଥମେ ଦିଅନ୍ତୁ  ବୋଲି ଚିରାଗ କହିଛନ୍ତି ।

ଖାଲି ସେତିକି ନୁହେଁ, ଗତ ୫ ବର୍ଷରେ ବିହାରରେ ଅଫିସର ରାଜ ବଢିଛି । ଶାସନତନ୍ତ୍ରରେ ଶିଥୀଳତା ଆସିଛି । ନୀତିଶ କୁମାରଙ୍କ ଦ୍ୱାରା ପ୍ରତିଶ୍ରୁତି ଦିଆଯାଇଥିବା ୭ ନିଶ୍ଚୟ କାର୍ଯ୍ୟକ୍ରମ ମଧ୍ୟରୁ କୌଣସି ଗୋଟିଏ ବି ସଫଳ ହୋଇ ନାହିଁ ବୋଲି ଜୁନିୟର ପାଶୱାନ ମତ ରଖିଛନ୍ତି । ତେଣୁ ବିହାରରେ ଜେଡିୟୁ-ଭାଜପା ନୁହେଁ, ବିହାରରେ ଭାଜପା-ଏଲଜେପି ସରକାର ଗଠନ ହେବାର ଆବଶ୍ୟକତା ରହିଛି । ବିହାରଫାଷ୍ଟ୍ ବିହାରୀଫାଷ୍ଟ ହିଁ ଦଳର ଲକ୍ଷ୍ୟ । ଏଥିପାଇଁ ବିହାରବାସୀଙ୍କ ସ୍ନେହ, ଶ୍ରଦ୍ଧା ଆବଶ୍ୟକ ରହିଥିବା ଟୁଇଟ୍ କରି ଚିରାଗ କହିଛନ୍ତି । ହେଲେ ପ୍ରାୟ ୧୬ ମାସତଳେ ସାଧାରଣ ନିର୍ବାଚନରେ ବିହାରର ଜମୂଇ ଆସନରେ ନୀତିଶଙ୍କୁ ଚିରାଗ ପ୍ରଚାର ପାଇଁ ନେଇଥିଲେ । ନୀତିଶ ମଧ୍ୟ ଚିରାଗଙ୍କ ପାଇଁ ଭୋଟ ମାଗିଥିଲେ । ହେଲେ ଏତେ କମ୍ ସମୟରେ କେମିତି ଚିରାଗଙ୍କ ଆଭିମୁଖ୍ୟ ବଦଳିଗଲା ବୋଲି ଚର୍ଚ୍ଚା ଚାଲିଛି । ତେଣୁ ଏଲଜେପିର ଜେଡିୟୁ ମାଇନସ ବଟ୍ ବିଜେପି ପ୍ଲସର ଚିନ୍ତାଧାର ଭାଜପାର ନା ଆଉ କାହାର ।

 

ରାଜନୈତିକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଚିରାଗ ରଣନୀତି ପଛରେ ଭାଜପା ଏକମାତ୍ର ହିଁ କାରଣ ନାହିଁ । ବିହାର ରାଜନୀତିରେ ନୀତିଶଙ୍କ ଶତ୍ରୁ ସଂଖ୍ୟାର ମଧ୍ୟ ଅଭାବ ନାହିଁ । ୨୦୧୫ ବିଧାନସଭା ନିର୍ବାଚନରେ ନୀତିଶଙ୍କ ବ୍ଲୁ-ଆଇଡ୍ ବଏ ଥିବା ଜଣେ ବ୍ୟକ୍ତି ମଧ୍ୟ ଚିରାଗଙ୍କୁ ବିଦ୍ରୋହ ପାଇଁ ଉସକାଉଛନ୍ତି । ସେହି ବ୍ୟକ୍ତିଜଣଙ୍କ ବିହାର ବିଧାନସଭା ନିର୍ବାଚନରେ ଅଦୃଶ୍ୟ ରହିଛନ୍ତି । ହେଲେ କେତେକ ଛୋଟଛୋଟ କଥାରେ ମୁଣ୍ଡ ଖେଳାଉଛନ୍ତି । ସେ ବର୍ତ୍ତମାନ ପଶ୍ଚିମବଙ୍ଗ ରାଜନୀତିର ମମତା ବାନାର୍ଜୀଙ୍କ ପରାମର୍ଶଦାତାଭାବେ କାର୍ଯ୍ୟ କରୁଛନ୍ତି ।  ହଁ , ଆମେ କାହା କଥା କହୁଛୁ, ଆପଣମାନେ ଠଉରେଇ ସାରିବେଣି ।

ସେ ହେଉଛନ୍ତି ପ୍ରଶାନ୍ତ କିଶୋର । ଜେଡିୟୁରୁ ନିଲମ୍ବିତ ହେବା ପରେ ନୀତିଶ ବିରୋଧୀ ଲୋକଙ୍କ ସହ ଯୋଡି ହୋଇଛନ୍ତି ପ୍ରଶାନ୍ତ । ହିନ୍ଦୁସ୍ଥାନ ଆୱାମ ମୋର୍ଚ୍ଚା(ହାମ) ଜେଡିୟୁ ନିକଟତର ହେବା ପୂର୍ବରୁ ଏଲଜେପିକୁ ରଣନୀତି ବଦଳାଇବାକୁ ପରାମର୍ଶ ଦେଇଥିଲେ ପ୍ରଶାନ୍ତ । ଖାଲି ସେତିକି ନୁହେଁ ଏଲଜେପି କିପରି ତୃତୀୟ ସାମ୍ମୁଖ୍ୟ ତଥା ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଣ୍ଟର ସହ ଆସନ ବୁଝାମଣା କରିପାରିବ । ସେ ନେଇ ମଧ୍ୟ ପ୍ରଶାନ୍ତ ଚେଷ୍ଟା କରୁଛନ୍ତି । ତେଣୁ ଚିରାଗଙ୍କ ଆଭିମୁଖ୍ୟ ଏତେମାତ୍ରାରେ ନୀତିଶ ବିରୋଧୀ ହୋଇଥିବା କୁହାଯାଇଛି ।

ହେଲେ ଏଲଜେପି ମୁଖ୍ୟପାତ୍ର ଅସରଫ ଅନସାରୀ ଅତି ଚାଲାକିର ସହ ଏହି ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି । ହେଲେ ଏହି କଥା ହିଁ ବିହାର ପାୱାର କରିଡ଼ରର ପ୍ରମୁଖ ପ୍ରସଙ୍ଗ ହୋଇଛି ।

 

Leave a Reply