ପାଣି ପାଇଁ ଆଉ ଯିବାକୁ ପଡ଼ିବ ନାହିଁ କୋଷ କୋଷ ଦୂର, ତିଆରି ହେବ ମେଗା ପାନୀୟ ଜଳ ପ୍ରକଳ୍ପ
କୋରାପୁଟ: ପାହାଡ଼ି ଅଞ୍ଚଳରେ ଦୂର ହେବ ଜଳ କଷ୍ଟ । ବୈପାରିଗୁଡାରେ ହେବ ମେଗା ପାନୀୟ ଜଳ ପ୍ରକଳ୍ପ । ୧୫୦ କୋଟିର ଅନୁଦାନ ଦେଲେ ମୁଖ୍ୟମନ୍ତ୍ରୀ । ୧୮ଟି ପଞ୍ଚାୟତର ଲୋକ ହେବେ ଉପକୃତ । ଆଉ ପାନୀୟ ଜଳସମସ୍ୟା ଭୋଗିବେ ନାହିଁ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ବାସୀ । ଜନସଧାରଣଙ୍କୁ ବିଶୁଦ୍ଧ ପାନୀୟ ଯୋଗାଇଦେବାକୁ ନିର୍ମାଣ ହେବ ମେଗା ଜଳ ପ୍ରକଳ୍ପ । ପାହାଡିଆ ଅଞ୍ଚଳ ବୈପାରିଗୁଡାରେ ଏକ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ସହିତ ଏଥିପାଇଁ ୧୫୦ କୋଟି ଟଙ୍କାର ଅନୁଦାନକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି । ପ୍ରକଳ୍ପ ଦ୍ୱାରା ୧୮ଟି ପଞ୍ଚାୟତର ଲୋକମାନେ ଉପକୃତ ହୋଇପାରିବେ । ପ୍ରକଳ୍ପ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ବ୍ଲକ ବାସିନ୍ଦା ।
କୋରାପୁଟ ଜିଲ୍ଲାର ଦୁର୍ଗମ ଅଞ୍ଚଳ ବୈପାରିଗୁଡା ବ୍ଲକ । ବ୍ଲକଟିର ଚାରିପାଖକୁ ପାହାଡ ଘେରି ରହିଛି । ଫଳରେ ବ୍ଲକଟିରେ ପାନୀୟ ଜଳ ସମସ୍ୟା ଲାଗିରହିଛି । କିନ୍ତୁ ଏବେ ଜଳ ପ୍ରକଳ୍ପ ଦ୍ୱାରା ଅଞ୍ଚଳବାସୀଙ୍କ ଜଳ କଷ୍ଟ ଦୂରହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ପଦକ୍ଷେପକୁ କୋରାପୁଟ ବିଧାୟକ ଏବଂ ମନ୍ତ୍ରୀ ପଦ୍ମିନି ଦିଆନ ପ୍ରଶଂସା କରିଛନ୍ତି । ଦୂର ହେବ ବର୍ଷବର୍ଷର ଏହି ସମସ୍ୟା । ସାକାର ହେବ ଅଞ୍ଚଳବାସୀଙ୍କ ସ୍ୱପ୍ନ । ମୁଖ୍ୟମନ୍ତ୍ରୀଙ୍କ ମେଗା ଜଳ ପ୍ରକଳ୍ପ ଘୋଷଣା ପରେ ବ୍ଲକବାସୀଙ୍କ ମଧ୍ୟରେ ଖୁସି ଲହରି ଖେଳି ଯାଇଛି ।