ୱିକେଟ୍ କିପର ଭାବେ ମହେନ୍ଦ୍ର ସିଂହ ଧୋନିଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ଏହି ମହିଳା କ୍ରିକେଟର

1 min read

ଦୁବାଇ: ପଛରେ ପଡ଼ିଲେ ମାହି । ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡ ଭାଙ୍ଗିଲେ ହିଲି । ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଟିମର ଅଧିନାୟକ ଏଲିସା ହିଲି ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡକୁ କାଟିଛନ୍ତି । ଅନ୍ତଃରାଷ୍ଟ୍ରୀୟ ଟି-ଟ୍ୱେଣ୍ଟିରେ ୱିକେଟ କିପର ଭାବେ ଏଲିସା ହିଲି ସର୍ବାଧିକ ୱିକେଟ୍ ହାସଲ କରି ଧୋନିଙ୍କ ରେକର୍ଡ ଭାଙ୍ଗିଛନ୍ତି । ଏଲିସା ହିଲି ଉଭୟ ପୁରୁଷ ଓ ମହିଳା ବର୍ଗରେ ସର୍ବାଧିକ ୱିକେଟ୍ ନେଇଥିବା ୱିକେଟ୍ କିପର ଭାବେ ନୂଆ ରେକର୍ଡ କରିଛନ୍ତି ।

ହିଲି ଏହି ସଫଳତା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ହାସଲ କରିଛନ୍ତି । ହିଲି ବର୍ତ୍ତମାନ ଯାଏଁ ୯୯ଟି ଅନ୍ତଃରାଷ୍ଟ୍ରୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିବା ବେଳେ ୱିକେଟ୍ କିପର ଭାବେ ୯୨ଟି ୱିକେଟ୍ ନେଇଛନ୍ତି । ସେ ଧୋନିଙ୍କ ଠାରୁ ଗୋଟିଏ ପାଦ ଆଗରେ ଅଛନ୍ତି । ଧୋନି ୯୧ଟି ୱିକେଟ୍ ନେଇଛନ୍ତି । ହିଲିଙ୍କ ପରେ ଇଂଲଣ୍ଡର ୩୯ ବର୍ଷୀୟା ସାରା ଟେଲର ୭୪ଟି ୱିକେଟ ନେଇଛନ୍ତି । ରାଚେଲ ପ୍ରିଷ୍ଟ ୭୨ଟି ୱିକେଟ୍, ମେରିସା ଅଗୁଇଲିୟା ୭୦ଟି ୱିକେଟ୍ ନେଇଛନ୍ତି ।

ଏହା ପରେ ରହିଛନ୍ତି ଦିନେଶ ରାମଦିନ ଯିଏ କି ୬୩ଟି ୱିକେଟ୍ ନେଇଛନ୍ତି । ରାମଦିନଙ୍କ ପରେ ମୁଶଫିକୁର ରହିମ ୬୧ଟି ୱିକେଟ୍ ନେଇଛନ୍ତି । ତେବେ, କ୍ରିକେଟର ସବୁ ଫର୍ମାଟ ଦେଖିଲେ ଏଥିରେ ଆଗୁଆ ରହିଛନ୍ତି ଦକ୍ଷିଣ ଆଫିକୀୟ କ୍ରିକେଟର ମାର୍କ ବାଉଚର । ବାଉଚର ୪୬୭ଟି ଅନ୍ତଃରାଷ୍ଟ୍ରୀୟ ମ୍ୟାଚ୍ ଖେଳି ୯୯୮ଟି ୱିକେଟ୍ ଅକ୍ତିଆର କରିଛନ୍ତି ।

ତାଙ୍କ ପରେ ରହିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟର ଏଡମ ଗିଲକ୍ରିଷ୍ଟ । ଗିଲକ୍ରିଷ୍ଟ ୩୯୬ଟି ଅନ୍ତଃରାଷ୍ଟ୍ରୀୟ ମ୍ୟାଚ୍ ଖେଳି ୯୦୫ଟି ୱିକେଟ୍ ନେଇଛନ୍ତି । ଧୋନି ତୃତୀୟ ସ୍ଥାନରେ ଅଛନ୍ତି । ୫୩୮ଟି ମ୍ୟାଚ୍ ଖେଳିଥିବା ଧୋନି ୮୨୯ଟି ଅକ୍ତିଆର କରିଛନ୍ତି । ଧୋନି ଗତ ମାସରେ ହିଁ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ ।

Leave a Reply