Unlock 4: ରାଜ୍ୟ ସରକାର ଜାରି କଲେ ଗାଇଡଲାଇନ୍
ଭୁବନେଶ୍ୱର: ଅନଲକ୍ ୪ ନେଇ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ନୂଆ ଗାଇଡଲାଇନ୍ ସେପ୍ଟେମ୍ବର ୧ ତାରିଖରୁ ସେପ୍ଟେମ୍ବର ୩୦ ଯାଏଁ ବୈଧ ରହିବ । ଏହି ସମୟରେ ପୂର୍ବଭଳି କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ । କଣ୍ଟେନମେଣ୍ଟ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଲକଡାଉନ୍ କିମ୍ବା ସଟଡାଉନ୍ ଲାଗୁ ହେବ ନାହିଁ । ତେବେ, କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକୀୟ ସେବା ଯୋଗାଇ ଦିଆଯିବ ।
ରାଜ୍ୟ ମଧ୍ୟରେ ବସ୍ ଚଳାଚଳ କରିବ । ଏଥିସହ ଆନ୍ତଃରାଜ୍ୟ ବସ୍ ଚଳାଚଳକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏଥିସହ ରାତ୍ରୀକାଳୀନ କର୍ଫ୍ୟୁକୁ ଉଠାଇ ଦିଆଯାଇଛି । କୌଣସି ସ୍ଥାନରେ ସାପ୍ତାହିକ ସଟଡାଉନ୍ ମଧ୍ୟ ହେବନାହିଁ । ତେବେ ରାଜ୍ୟରେ ପୂର୍ବଭଳି ଧାର୍ମିକ ସ୍ଥଳ ଜନସାଧାରଣଙ୍କ ପାଇଁ ବନ୍ଦ ରହିବ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି କ୍ରମେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରିବ ।
ପୂର୍ବଭଳି ସିନେମା ହଲ୍, ସୁଇମିଂ ପୁଲ୍, ସିନେମା ହଲ୍, ଥିଏଟର, ଅଡିଟୋରିୟମ ବନ୍ଦ ରହିବ । ସେପ୍ଟେମ୍ବର ୨୧ରୁ ଓପନ୍ ଏୟାର ଥିଏଟର ଚାଲିବ । ସାମାଜିକ, ରାଜନୈତିକ, କ୍ରୀଡ଼ା, ସାଂସ୍କୃତିକ, ଧାର୍ମିକ କିମ୍ବା ଅନ୍ୟ କୌଣସି ସଭା ସମିତି ହୋଇ ପାରିବ ନାହିଁ । ପୂଜା ପାଇଁ ଅକ୍ଟୋବର ମାସ ଯାଏ ସ୍କୁଲ, କଲେଜ ଭଳି ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ତେବେ, ସେପ୍ଟେମ୍ବର ୨୧ରୁ ଅନଲାଇନ୍ ପାଠ ପଢ଼ାଇବା ପାଇଁ ୫୦ ପ୍ରତିଶତ କର୍ମଚାରୀ ଶିକ୍ଷାନୁଷ୍ଠାନକୁ ଯାଇ ପାରିବେ ।
ସମସ୍ତ ସରକାରୀ, ବେସରକାରୀ ଅଫିସରେ ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖି କାର୍ଯ୍ୟ କରିବେ । ବିବାହ ଉତ୍ସବରେ ସର୍ବାଧିକ ୫୦ ଜଣ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୨୦ ଜଣ ସାମିଲ୍ ହୋଇପାରିବେ । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ଦେବାକୁ ପଡ଼ିବ ।