ଭାରତୀୟ ଅର୍ଥନୀତିକୁ ଶକ୍ତ ଝଟକା, ୪୦ ବର୍ଷ ମଧ୍ୟରେ ଜିଡିପି ସର୍ବକାଳୀନ ହ୍ରାସ

1 min read

ନୂଆଦିଲ୍ଲୀ: ତଳକୁ ତଳ ଖସୁଛି ଭାରତୀୟ ଅର୍ଥନୀତି । କରୋନା ମାଡ଼ରେ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି ଅର୍ଥ ବ୍ୟବସ୍ଥା । ଏପ୍ରିଲରୁ ଜୁନ୍ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ବିକାଶ ଦର (GDP) ୨୩.୯ ପ୍ରତିଶତ ଖସିଛି । ୨୦୨୦-୨୧ ଆର୍ଥିକ ବର୍ଷର ଜୁନ୍-ଏପ୍ରିଲ୍ ତ୍ରୈମାସିକ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଏଥିସହ କୋର ସେକ୍ଟର ଜିଡିପିରେ ମଧ୍ୟ ହ୍ରାସ ଘଟିଛି । ଜୁଲାଇ ମାସରେ ୮ ଇଣ୍ଡଷ୍ଟ୍ରୀର ଉତ୍ପାଦନରେ ୯.୬ ପ୍ରତିଶତ ହ୍ରାସ ପାଇଛି । ପ୍ରଥମ ତିନି ମାସରେ ରିୟଲ ଜିଡିପି ୨୬.୯୦ ଲକ୍ଷ କୋଟି ଟଙ୍କା ଥିଲା । ଯେତେବେଳେ କି ଗତବର୍ଷ ଏହି ସମୟରେ ୩୫.୩୫ ଲକ୍ଷ କୋଟି ଟଙ୍କା ଥିଲା । ଏହି ପ୍ରକାରେ ଜିଡିପି ୨୩.୯ ପ୍ରତିଶତ ହ୍ରାସ ପାଇଛି ।

୮ଟି ବଡ଼ ଉଦ୍ୟୋଗରେ ଉତ୍ପାଦନ ଜୁଲାଇ ମାସରେ ୯.୬ ପ୍ରତିଶତ ହ୍ରାସ ପାଇଛି । ଏହା ଲଗାତାର ପଞ୍ଚମ ମାସ ଧରି ଖସିବାରେ ଲାଗିଛି । କାରଣ ଉତ୍ପାଦନ ହ୍ରାସ ପାଇଛି । ମୁଖ୍ୟତଃ ଇସ୍ପାତ, ରିଫାଇନାରୀ, ଉତ୍ପାଦ ଓ ସିମେଣ୍ଟ କ୍ଷେତ୍ରରେ ଖରାପ ପ୍ରଦର୍ଶନ ପାଇଁ ବଡ଼ ଉଦ୍ୟୋଗରେ ଉତ୍ପାଦନ କମିଛି । ୨୦୧୯ ଜୁଲାଇରେ ୮ଟି ବଡ଼ ଉଦ୍ୟୋଗର ଉତ୍ପାଦନ ୨.୬ ପ୍ରତିଶତ ବୃଦ୍ଧି ପାଇଥିଲା ।

ଚଳିତ ତ୍ରୈମାସିକରେ ଦୁଇ ମାସ ଏପ୍ରିଲ ଓ ମେରେ ଅଭିବୃଦ୍ଧି ହାର ଯୋଡ଼ା ଯାଇଛି । ଯେତେବେଳେ ଲକଡାଉନ୍ ପାଇଁ ପୂରା ଅର୍ଥବ୍ୟବସ୍ଥା ଠପ୍ ହୋଇ ଯାଇଥିଲା । ଜୁନରେ ଅର୍ଥନୀତିରେ ଅଭିବୃଦ୍ଧି ଅଳ୍ପ ଥିଲା । ଏଥିପାଇଁ ପୂର୍ବରୁ ବିଭିନ୍ନ ଏଜେନ୍ସି ଏହି କଥାର ଆଶଙ୍କା କରିଥିଲେ । ତ୍ରୈମାସିକରେ ଜିଡିପି ୧୬ରୁ ୨୫ ପ୍ରତିଶତ କମିବା ନେଇ ଆଶଙ୍କା ପ୍ରକାଶ କରିଥିଲେ ।

ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରାଳୟ ଦ୍ୱାରା ସୋମବାର ଜାରି କରାଯାଇଥିବା ତଥ୍ୟ ଅନୁସାରେ, ଜୁଲାଇରେ ସାରକୁ ବାଦ୍ ଦେଲେ ଅନ୍ୟ ସମସ୍ତ ୭ଟି କ୍ଷେତ୍ର କୋଇଲା, କଚ୍ଚା ତେଲ, ପ୍ରାକୃତିକ ଗ୍ୟାସ, ରିଫାଇନାରୀ ଉତ୍ପାଦ, ଇସ୍ପାତ୍, ସିମେଣ୍ଟ ଓ ବିଜୁଳି କ୍ଷେତ୍ରରେ ହ୍ରାସ ଘଟିଛି ।

 

Leave a Reply