୨୦ ସେପ୍ଟେମ୍ବରରେ EC ବିହାର ନିର୍ବାଚନ ପାଇଁ ଜାରି କରି ପାରନ୍ତି ବିଜ୍ଞପ୍ତି
ପାଟନା: ବିହାର ନିର୍ବାଚନ ପାଇଁ ସେପ୍ଟମ୍ୱର ୨୦ ତାରିଖରେ ନିର୍ବାଚନ କମିଶନ ଅଧିସୂଚନା ଜାରି କରି ପାରନ୍ତି । ମିଳୁଥିବା ସୂଚନା ଅନୁସାରେ ଦୁଇ ତିନି ପର୍ଯ୍ୟାୟରେ ବିହାରରେ ନିର୍ବାଚନ ହୋଇପାରେ । ନଭେମ୍ବର ମାସ ସରିବା ବେଳେକୁ ବିହାରରେ ନିର୍ବାଚନ ହେବ ବୋଲି ଶୁଣିବାକୁ ମିଳୁଛି । ରାଷ୍ଟ୍ରପତି ଶାସନ ଜାରି କରି ବିହାରରେ ନିର୍ବାଚନ କରାଇବାର ସମ୍ଭାବନା ମଧ୍ୟ ନାହିଁ । ଦୁଇ ତିନି ପର୍ଯ୍ୟାୟରେ ଯଦି ନିର୍ବାଚନ ହେବ ତେବେ ଘୋଷଣାରେ ବିଳମ୍ବ ହେବାର ସମ୍ଭାବନା ରହିଛି । ୨୦୧୫ରେ ବିହାର ନିର୍ବାଚନ ସେପ୍ଟେମ୍ବର ୯ ତାରିଖରେ ହୋଇଥିଲା । ସେତେବେଳେ ମତଦାନ ୬ ପର୍ଯ୍ୟାୟରେ ହୋଇଥିଲା ।କରୋନା କାଳରେ ଭୋଟିଂ ପ୍ରକ୍ରିୟା କେମିତି ହେବ ତାକୁ ନେଇ ନିର୍ବାଚନ ଆୟୋଗ ଗାଇଡଲାଇନ୍ ମଧ୍ୟ ଜାରି କରିବେ । ଗାଇଡ୍ ଲାଇନ୍ ଆଜି (ଶୁକ୍ରବାର) ସଂଧ୍ୟା ସୁଧା ଜାରି ହେବାର ସମ୍ଭାବନା ରହିଛି ।
ବିହାରର ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ନିର୍ବାଚନ ଆୟୋଗ
ଶୁକ୍ରବାର ଦ୍ୱିପହରରେ ବିହାର ନିର୍ବାଚନକୁ ନେଇ ଦିଲ୍ଲୀ ସ୍ଥିତ ନିର୍ବାଚନ ଆୟୋଗ ଅଫିସରେ ବୈଠକ ହେବ । ଏଥିରେ ବିସ୍ତୃତ ଗାଇଡଲାଇନରେ ଆୟୋଗ ମୋହର ମାରିବେ । ପ୍ରଚାର ତରିକା,ବରିଷ୍ଠ ଭୋଟର କେମିତି ଭୋଟ୍ ଦେବେ ଆଦି ଉପରେ ବୈଠକରେ ବସ୍ତୃତ ଆଲୋଚନା ହେବ । ସୋମବାର ଦିନ ନିର୍ବାଚନ କମିଶନ ବିହାରର ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିବାର ସମ୍ଭାବନା ରହିଛି ।
ମୁଖ୍ୟମନ୍ତ୍ରୀ ନୀତିଶ ମଧ୍ୟ ଦେଇଥିଲେ ନିର୍ଧାରିତ ସମୟରେ ନିର୍ବାଚନ ସଂକେତ
ଗୁରୁବାର ଦିନ ବିହାର ମୁଖ୍ୟମନ୍ତ୍ରୀ ଅନେକ ପ୍ରୋଜେକ୍ଟର ଶିଳାନ୍ୟାସ ଓ ଉଦଘାଟନ କରି ସେପ୍ଟେମ୍ବର ମାସରେ ନିର୍ବାଚନ ହେବାର ସଂକେତ ଦେଇଥିଲେ । ୨୦୧୫ରେ ଜେଡିୟୁ ଓ ଆରଜେଡି ମିଳିତ ଭାବେ ମୈଦାନକୁ ଓହ୍ଲାଇଥିଲେ । ସେଥିରେ ମହାମେଣ୍ଟକୁ ବିପୁଳ ବିଜୟ ମିଳିଥିଲା । ତେବେ ପ୍ରାୟ ଗୋଟିଏ ବର୍ଷ ପରେ ନୀତିଶ ବିଜେପି ସହ ହାତ ମିଳାଇଥିଲେ । ଏଥର ବିଜେପି,ଜେଡିୟୁ ଓ ଏଲଜେପି ଏକାଠି ନିର୍ବାଚନ ଲଢିବେ । ତେବେ ଏଲଜେପିର ମତିଗତିକୁ ନେଇ ବିଜେପି ଓ ଜେଡିୟୁ ଟିକିଏ ଆଶଙ୍କାରେ ଅଛନ୍ତି ।