ଅଟୋ ନୁହେଁ ଘର ! ମୂଲ୍ୟ ମାତ୍ର ୧ ଲକ୍ଷ ଟଙ୍କା
2 min readସୋସିଆଲ ମିଡିଆରେ ଭାଇରାଲ ହେଉଛି ଏଭଳି ଏକ ନିଆରା ଘରର ଫଟୋ ଯାହାର ମୂଲ୍ୟ ୧ ଲକ୍ଷ ଟଙ୍କା । ଖାସ କଥା ହେଉଛି ଏହି ଘରକୁ ନିଜ ଇଛା ମୁତାବକ ସ୍ଥାନକୁ ଅତି ସହଜରେ ନେବା ଆଣିବା କରି ପାରିବେ । ଏକ ଅଟୋ ରିକ୍ସାକୁ ମୋଡିଫାଇ କରାଯାଇ ଏହି ଘରକୁ ତିଆରି କରାଯାଇଛି । ଘରେ ମିଳୁଥିବା ସମସ୍ତ ପ୍ରକାରର ମୌଳିକ ସୁବିଧା ଏଠାରେ ଉପଲବ୍ଧ । ଏହି ନିଆରା ଘରର ନିର୍ମାଣ ତାମିଲନାଡୁର ୨୩ ବର୍ଷୀୟ ଅରୁଣ ପ୍ରଭୁ ନାମକ ଜଣେ ବ୍ୟକ୍ତି କରିଛନ୍ତି । ଘରେ ସମସ୍ତ ପ୍ରକାରର ସୁବିଧା ଯେପରି ବେଡରୁମ, କିଚେନ,ଲିଭିଂ ରୁମ ସହିତ ଟଏଲେଟ ମଧ୍ୟ ରହିଛି । ଏହି ଘରେ ଦୁଇଜଣ ଲୋକ ରହି ପାରିବେ । ଖାଲି ସେତିକି ନୁହେଁ ଖୋଲା ପବନର ମଜା ନେବାକୁ ଏକ ଆରାମଦାୟକ ଚେୟାର ପକାଇ ଛାତ ଉପରେ ବସିବାର ସୁବିଧା ମଧ୍ୟ ରହିଛି । ୩୬ ବର୍ଗ ଫୁଟରେ ନିର୍ମିତ ଏହି ଘରେ ୨୫୦ ଲିଟରର ଓ୍ୱାଟର ଟ୍ୟାଙ୍କ୍, ୬୦୦ ଓ୍ୱାଟର ସୋଲା ପ୍ୟାନେଲ ଲଗାଯାଇଛି । ଘରର ଦ୍ୱାରବନ୍ଧ ରହିବା ସହିତ ଛାତ ଉପରକୁ ଯିବା ପାଇଁ ସିଢୀ ମଧ୍ୟ ରହିଛି ।
ପୁରୁଣା ଜିନିଷର ପୁନଃଚକ୍ରଣ କରି ଏହି ଘରକୁ ନିର୍ମାଣ କରିଛନ୍ତି ତାମିଲନାଡୁର ଅରୁଣ । ୫ ମାସରେ ନିର୍ମାଣ ହୋଇଥିବା ଏହି ଘରର ଗଠନ ଶୈଳୀକୁ ସମସ୍ତେ ବେଶ୍ ପସନ୍ଦ କରୁଛନ୍ତି । ତାମିଲନାଡୁରେ ରହୁଥିବା ଅରୁଣ ବେଙ୍ଗାଲୁରୁର ଡିଜାଇନ ଏବଂ ଆର୍କିଟେକ୍ଟ କମ୍ପାନୀ ବିଲବୋର୍ଡ ସହିତ ମିଶି ଏହି ଘରକୁ ତିଆରି କରିଛନ୍ତି ।