ଗାଁକୁ ନଥିଲା ଝରଣା, ପାହାଡ଼ି ମଣିଷ ପାହାଡ଼ ଖୋଳି ଗାଁକୁ ଆଣିଲା ଝରଣାର ଝର
ମାଲକାନାଗିରି: ଗାଁ ମୁହାଁ ଏବେ ଝରଣାର ଝର । ଅସମ୍ଭବକୁ ସମ୍ଭବ କରି ଦେଖାଇଛି ପାହାଡି ମଣିଷ । ପ୍ରକୃତିର ଏହି ଅନନ୍ୟ ଶୋଭାରାଜି ଗାଁରେ ଦୃଶ୍ୟମାନ । ପ୍ରକୃତିର ଏହି ଅନନ୍ୟ ସମ୍ପଦକୁ ସଦୁପୋଯୋଗ କରି ପାରିଲା ନାହିଁ ପ୍ରଶାସନ । ଯାହାକୁ କରି ଦେଖାଇଲେ ମାଲକାନଗିରି ଜିଲ୍ଲା ଗୁମ୍ମାଝରଣ ବାସିନ୍ଦା ।
ବଣ ପାହାଡ ଘେରା ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ପ୍ରକୃତିର ଶୋଭାରାଜି । କେଉଁଠି ସବୁଜ ସୁନ୍ଦର ଆକାଶ ଛୁଆଁ ବୃକ୍ଷରାଜ ତ କେଉଁଠି କୁଳୁ କୁଳୁ ନାଦରେ ପ୍ରବାହିତ ଝରଣା । ହେଲେ ପ୍ରକୃତିର ଦାନ ଏହି ନିଦାନ ସବୁକୁ ସଦୁପଯୋଗ କରିବାରେ ବିଫଳ ଆମ ପ୍ରଶାସନ । ପ୍ରଶାସନର ପଦକ୍ଷେପକୁ ଆଉ ଅପେକ୍ଷା ନକରି ନିଜ ପାଇଁ ନିଜେ ଏମିତି କିଛି କାମ କରିଛନ୍ତି ଖଇରପୁଟ ବ୍ଲକ ଅନ୍ତର୍ଗତ ଗୁମ୍ମାଝରଣ ଗାଁ ବାସିନ୍ଦା ।
ପାହାଡ କାଟି ଗାଁ ପାଖକୁ ନେଇ ଆସିଲେ ଝରଣାର ଝର। ଝରଣାର କୁଳୁ କୁଳୁ ଶବ୍ଦ କରୁଥିବା ଝର ପାଣି ଯୋଗୁଁ ହସୁଛି ପାହାଡ଼ି ଅଞ୍ଚଳର କ୍ଷେତ । ୫୦ଟି ପରିବାର ଥିବା ଏହି ଗାଁରେ ପାଣିର ସମସ୍ୟା ଥିଲା ହେଲେ କେହି ବି ତାଙ୍କର ଗୁହାରି ଶୁଣି ନଥିଲେ । ଶେଷରେ ଗାଁ ଲୋକେ ଅଣ୍ଟା ଭିଡ଼ି ପାହାଡ କାଟି ଧାର ଜରିଆରେ ଝରଣାର ଝରକୁ ଦେଖାଇଲେ ଗାଁର ବାଟ।
ଏବେ ଗାଁର ଅତି ନିକଟତର ହୋଇପାରିଛି ଝରଣାର ଝର । ଲୋକଙ୍କ ଶୋଷ ମେଣ୍ଟିବା ସହ ହସୁଛି ଏହି ଗାଁର ହଜାର ହଜାର ଏକରର କ୍ଷେତ। ଗାଁର କ୍ଷେତରେ ଫଳୁଛି ଭଳି କି ଭଳି ପନିପରିବା । ଝରଣାର ଝର ଏବେ ଏହି ଗାଁ ପାଇଁ ପାଲଟିଛି ଅମୃତର ଝର । ପର୍ଯ୍ୟଟନସ୍ଥଳୀର ମାନ୍ୟତା ସହ ଉନ୍ନତି କରଣ ପାଇଁ ଦାବି ବାଢିଛନ୍ତି ବୁଦ୍ଧିଜୀବି । ଗ୍ରାମବାସୀଙ୍କର ଆପ୍ରାଣ ଚେଷ୍ଟା ଆଜି ଗାଁର ସବୁ ଆବଶ୍ୟକତା ମେଣ୍ଟାଇବା ସହ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହାରଣ ।
(ମାଲକାନଗିରିରୁ ଇଶ୍ୱର ପଟନାୟକ)