ବଲାଙ୍ଗିରରେ ପଥର ବ୍ଲାଷ୍ଟିଂ ପାଇଁ ନଷ୍ଟ ହେଉଛି ଚାଷଜମି ଓ ରାସ୍ତାଘାଟ,ପ୍ରଶାସନର ଦ୍ୱାରସ୍ଥ ହେଲେ ସାଧାରଣ ଲୋକ
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ପଥର ଖଣି ପାଇଁ ଚାଷଜମୀ ନଷ୍ଟ ହେଉଛି । ସାଧାର ବଙ୍ଗୋମୁଣ୍ଡା ବ୍ଲକ୍ ସାହାଜୋଟ ଗ୍ରାମର ବାସିନ୍ଦାମାନେ ଏନେଇ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ତହସିଲଦାରଙ୍କଠାରୁ ଅନୁମତି ଆଣି ପାହାଡ଼ କଟା ଚାଲିଛି । ପାହାଡ଼ କାଟିବା ପାଇଁ ଡିଟୋନେଟର ଓ ତାର ବିଛାଇ ବ୍ଲାଷ୍ଟିଂ କରୁଛନ୍ତି । ଏତେ ପାହାଡ଼ କଟା ହେବା ହେତୁ ସ୍ଥାନୀୟ ଲୋକମାନଙ୍କର ଚାଷବାସ ପ୍ରଭାବିତ ହେଉଛି । ମାତ୍ରାଧିକ ପରିମାଣରେ ପଥର କଟା ହେଉଥିବା ହେତୁ ପଥର ଖଣ୍ଡ ପଡ଼ି ଚାଷଜମି ନଷ୍ଟ ହେଉଛି । ସାଧାରଣ ଲୋକେ ଯିବା ଆସିବାରେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି । ରାସ୍ତା ପଥରମୟ ହେବା ହେତୁ ଦୁର୍ଘଟଣା ବି ବଢିଛି ।
ସେହିଭଳି ବ୍ଲାଷ୍ଟିଂ ହେତୁ ଜନଜୀବନ ପ୍ରଭାବିତ ହେଉଛି ଓ ସାଧାରଣ ଲୋକଙ୍କ ପ୍ରାଣହାନୀର ଆଶଙ୍କା ରହିଛି ବୋଲି ଅଭିଯୋଗ ହୋଇଛି । ତେବେ ସ୍ଥାନୀୟ ଲୋକେ ଏନେଇ ଅଭିଯୋଗ କରିବା ପରେ ପଥର ମାଇନିଂ କରୁଥିବା ଲୋକ ସେମାନଙ୍କୁ ଧମକ ଦେଉଛନ୍ତି ବୋଲି ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଅଭିଯୋଗ ପରେ ତହସିଲଦାର ଏନେଇ ଏକ ପ୍ରକାର ନାଚାର ଥିବା ଜଣାଇଛନ୍ତି । ତାଙ୍କ କହିବା କଥା ଯେ ପାହାଡ଼ କାଟିବା ପାଇଁ ସରକାର କିଛି ସଂସ୍ଥାକୁ ୫ ବର୍ଷ ପାଇଁ ଲିଜରେ କାମ ଦେଇଛନ୍ତି ।
ସମୟ ପୂରିବାକୁ ଆହୁରି ବର୍ଷେ ବାକି ଅଛି । ସେମାନେ ଆଇନଗତ ଭାବେ ଖୋଦନ କାର୍ଯ୍ୟ ଚାଲୁ ରଖିଛନ୍ତି । ତେବେ ଅଞ୍ଚଳବାସୀଙ୍କ ସମସ୍ୟା ଓ ବ୍ଲାଷ୍ଟିଂ ବନ୍ଦ କରିବା ଦାବି ସମ୍ପର୍କରେ ସେ ଉପରସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ଆଶ୍ୱସ୍ଥି ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ପାହାଡ ଖୋଦନ ଲିଜ୍ ୨୦୨୧ରେ ଶେଷ ହେବ । ଅନ୍ୟପକ୍ଷରେ ସାଧାରଣ ଲୋକଙ୍କୁ ମିଳୁଥିବା ଧମକ ବିରୋଧରେ ତହସିଲଦାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଜଣାଇଛନ୍ତି ।