ବର୍ଷାରେ ବେହାଲ ମୁମ୍ବାଇ, ଜଳ ମଗ୍ନ ପୁରା ସହର ! ବାତିଲ ହେଲା ଟ୍ରେନ୍ ଚଳାଚଳ
1 min readମୁମ୍ବାଇ: ବର୍ଷାରେ ବେହାଲ ହେଲାଣି ମୁମ୍ବାଇ ସହର । ଲଗାଣ ବର୍ଷା ଫଳରେ ଏବେ ଜଳ ମଗ୍ନ ହୋଇଛି ମୁମ୍ବାଇ ସହର । ମୁମ୍ବାଇରେ ରେକର୍ଡ ଭାଙ୍ଗିଛି ବର୍ଷା । ଘର ଭିତରେ ପାଣି ଘର ବାହାରେ ପାଣି । ଏହାରି ଭିତରେ ମୁମ୍ବାଇ ମୁନିସିପାଲିଟି ପକ୍ଷରୁ ଲୋକଙ୍କୁ ଘରେ ରହିବାକୁ କୁହାଯାଇଛି । ବୁଧବାର ଠାରୁ ମାୟାନଗରୀ ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଯାତାୟତ ଠପ୍ ହୋଇଯାଇଛି ।
ଆଜି ମଧ୍ୟ ମୁମ୍ବାଇରେ ଭୀଷଣ ବର୍ଷା ସହ ପବନ ବହିବା ସମ୍ଭାବନା ଥିବାରୁ ହାଇ ଆର୍ଲଟ ଜାରି କରାଯାଇଛି । ବିଶେଷତଃ ମୁମ୍ବାଇ, ଥାନେ ଓ ପାଲଘରକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଦକ୍ଷିଣ ମୁମ୍ବାଇର କିଛି ସ୍ଥାନ ଜଳମଗ୍ନ ହୋଇଯାଇଛି । ମୁମ୍ବାଇର ମସ୍ଜିଦ୍ ଓ ଭାୟଖଲା ଷ୍ଟେସନ ମଧ୍ୟରେ ୨ଟି ଲୋକାଲ୍ ଟ୍ରେନ୍ ଫସିରହିଛି । ରେଲୱେ ଟ୍ରାକ୍ ଜଳମଗ୍ନ ହୋଇଯାଇଥିବାରୁ ପ୍ରାୟ ୨ ଶହ ଲୋକ ଫସି ରହିଛନ୍ତି । ୧୫୦ ଲୋକଙ୍କୁ ରେଳ କର୍ମଚାରୀ ଉଦ୍ଧାର କରିଥିବା ସୂଚନା ମିଳିଛି । ପ୍ରାୟ ୧୦୬ କିଲୋମିଟର ପ୍ରତି ଘଣ୍ଟାରେ ବେଗରେ ପବନ ବହୁଥିବା ରେକର୍ଡ ହୋଇଛି । ଫଳରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡ଼ି ରହିଛି ।
ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ ରେଳ ଧାରଣାରେ ପାଣି ଜମିଛି । ଏଥିପାଇଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଭୁବନେଶ୍ୱରରୁ ବାତିଲ ହୋଇଛି କୋଣାର୍କ ସ୍ୱତନ୍ତ୍ର ଏକ୍ସପ୍ରେସ୍ । ସେହିପରି ମୁମ୍ବାଇରୁ ଛାଡିବାକୁ ଥିବା ଟ୍ରେନ୍ ବି ବାତିଲ ହୋଇଛି । ଗତକାଲି ମୁମ୍ବାଇ ଛାଡିଥାନ୍ତା ମୁମ୍ବାଇ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ । ସଂଯୋଗକାରୀ ଟ୍ରେନ୍ ନଆସିବା ଯୋଗୁଁ ଶୁକ୍ରବାର ଭୁବନେଶ୍ୱରରୁ ଛାଡିବାକୁ ଥିବା ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍ ହୋଇଛି ।