ଜଣେ ସୁସ୍ଥ କରୋନା ରୋଗୀଙ୍କ ପ୍ଲାଜମାରେ ଦୁଇଜଣ ଗୁରୁତର ଆକ୍ରାନ୍ତ ସୁସ୍ଥ ହେଉଛନ୍ତି : ମନ୍ତ୍ରୀ ପ୍ରତାପ ଜେନା
ବାଲେଶ୍ୱର: ବାଲେଶ୍ୱର ଜିଲାରୁ ପ୍ଲାଜମା ସଂଗ୍ରହ ପାଇଁ ଆହ୍ୱାନ ଦେଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା । କରୋନା ରୋଗୀଙ୍କ ପାଇଁ ଏବେ ପ୍ଲାଜମା ରାମବାଣ ସାବ୍ୟସ୍ତ ହୋଇଛି । ସେଥିପାଇଁ ଏବେ ପ୍ଲାଜମା ଥେରାପି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସମସ୍ତଙ୍କୁ ପ୍ଲାଜମା ଦାନ କରିବାକୁ ମଧ୍ୟ ସରକାର ଅନୁରୋଧ କରିଛନ୍ତି । ସୋମବାର ମନ୍ତ୍ରୀ ପ୍ରତାପ ଜେନା ବାଲେଶ୍ୱର ଜିଲା ଗସ୍ତ କରି ସ୍ଥିତି ସମିକ୍ଷା କରିଛନ୍ତି । ଏହା ସହ ଜିଲାରୁ ପିଜିଟିଭ୍ରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ରୋଗୀଙ୍କୁ ପ୍ଲାଜମା ଦାନ କରିବା ପାଇଁ ଉତ୍ସାହିତ କରିବାକୁ ଜିଲାରେ ସମସ୍ତ ବିଧାୟକଙ୍କ ସହିତ ଜିଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ।
ଏଥିସହିତ ଜଣେ ରୋଗୀଙ୍କ ପ୍ଲାଜମାରେ ଦୁଇଜଣ ଗୁରୁତର ଆକ୍ରାନ୍ତ ସୁସ୍ଥ ହୋଇ ପାରୁଥିବା ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି । ସେମାନଙ୍କୁ ଉତ୍ସାହିତକରି ପ୍ଲାଜମା ବ୍ୟାଙ୍କରେ ପ୍ଲାଜମା ଦାନ କରିବାକୁ ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭକରି ପଶାସନିକ ଅଧିକାରୀମାନେ ଯତ୍ନବାନ ହେବାକୁ ଆହ୍ୱାନ ଦେଇଛନ୍ତି । ସେହିପରି ବାଲେଶ୍ୱର ସହରରେ ୨ କୋଟି ଟଙ୍କା ବ୍ୟୟରେ ସ୍ମାର୍ଟ ପାର୍କ ଓ ଶ୍ମଶାନ ନିର୍ମାଣ କରାଯିବା ସହିତ ୪ଟି ରାସ୍ତାରେ ୩ କିଲୋମିଟର ପର୍ଯ୍ୟନ୍ତ ନୂତନ ଭାବେ ଆଲୋକି କରଣ, ଆସନ୍ତା ନଭେମ୍ବର ମାସ ଶେଷ ସୁଦ୍ଧା ସମସ୍ତ ଘରକୁ ପାନୀୟ ଜଳ ଯୋଗାଣ, ରାସ୍ତା ମରାମତି କରାଯିବାକୁ ବିଭାଗ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି ।