ପ୍ରେମ ଆଗରେ ହାର ମାନିଲା କରୋନା :ପୁଅ-ବୋହୁ ପର କଲେ କିନ୍ତୁ ସ୍ୱାମୀ ହାତ ଛାଡିଲେନି, ସୁସ୍ଥ ହେଲେ ବୃଦ୍ଧା କ୍ୟାନସର ପୀଡିତ କରୋନା ରୋଗୀ

1 min read

ଯାଜପୁର: ସ୍ୱାମୀ- ସ୍ତ୍ରୀଙ୍କ ସମ୍ପର୍କ ସବୁ ସମ୍ପର୍କଠୁ ଭିନ୍ନ  । ଏମାନେ ସାଥି ସାତଜନ୍ମ ପାଇଁ । ତୁମେ ମୋର ମୁଁ ତୁମର  । ଏଭଳି ଭାବନାକୁ ସମ୍ପର୍କର ପୁଟୁଳିରେ ବାନ୍ଧି କାଟି ଚାଲନ୍ତି ଗୋଟିଏ ପରେ ଗୋଟିଏ ଦିନ । ତେବେ ବର୍ତ୍ତମାନର ବସ୍ତୁବାଦୀ ଓ ସ୍ୱାର୍ଥସର୍ବସ୍ୱ ଦୁନିଆରେ ଏ ସମ୍ପର୍କର ପରିଭାଷା ବଦଳିବାରେ ଲାଗିଛି । ୭ ଜନ୍ମର ସମ୍ପର୍କ ଏଠି ୭ ମିନିଟରେ ଭାଙ୍ଗିବାରେ ଲାଗିଛି । କିନ୍ତୁ ଆପଣଙ୍କୁ କରୋନା କାଳରେ ଏମିତି ଏକ ଦୃଶ୍ୟ ଦେଖାଇବୁ ଯାହା ଆପଣଙ୍କର ସମ୍ପର୍କର ଦୁର୍ବଳ ଡୋରିକୁ ଆହୁରି ମଜବୁତ କରିବ । ଯାଜପୁର ଜିଲ୍ଲା ସୁକିନ୍ଦା ହରିପୁର ଗୋପାଳ ସାହିର ଏକ ବୃଦ୍ଧ ଦମ୍ପତି ଉଦାହରଣ ସୃଷ୍ଟି କରିଛନ୍ତି । ବୃଦ୍ଧା କରୋନା ଆକ୍ରନ୍ତ ହେବା ପରେ ପୁଅ-ବୋହୂ ପର କରିଦେଇଥିବା ବେଳେ ସ୍ୱାମୀ କିନ୍ତୁ କରୋନା ସଂକ୍ରମଣକୁ ନଡରି ପାଖେପାଖେ ରହି ପତ୍ନୀଙ୍କ ସେବା କରୁଛନ୍ତି ।

କୈଳାସ ପ୍ରଧାନ ଓ ଗୋଲି ପ୍ରଧାନ । ଯାଜପୁର ଜିଲ୍ଲା ସୁକିନ୍ଦା ହରିପୁର ଗୋପାଳ ସାହିର କୈଳାସ ପ୍ରଧାନଙ୍କ ସ୍ତ୍ରୀ ଗୋଲି କ୍ୟାନସର ପୀଡ଼ିତ । ପରେ ତାଙ୍କୁ ଦୁଃଖ ଯେମିତି ଆହୁରି ବଢ଼ିଯାଇଥିଲା । କ୍ୟାନସରର କଷ୍ଟ ଉପରେ ମାଡ଼ିବସିଲା କରୋନା । କଟକ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର ଯାଇଥିବା ବେଳେ କରୋନା ଆକ୍ରାନ୍ତ ହୋଇଥିଲେ ସ୍ତ୍ରୀ ଗୋଲି । ଏବେ କିନ୍ତୁ କୋଭିଡ୍‌ ହସ୍ପିଟାଲରେ ସୁସ୍ଥହୋଇ ଘରକୁ ଫେରି ୧୪ ଦିନ ସଙ୍ଗରୋଧରେ ଅଛନ୍ତି ।

କିନ୍ତୁ କରୋନା ସମୟରେ ତାଙ୍କ ସହ ଘଟିଥିଲା ଏମିତି କିଛି । କରୋନା ଭୟରେ ପୁଅ-ବୋହୂ ପର କରିଦେଲେ । କରୋନା ଭୟରେ ବୋଉଙ୍କ ପାଖ ମାଡ଼ିଲେନି ପୁଅ ଏବଂ ବୋହୁ । କିନ୍ତୁ ସାତ ଜନ୍ମର ସାଥି ଭାବେ ଗ୍ରହଣ କରିଥିବା ସ୍ୱାମୀ କେମିତିବା ଏକା ଛାଡ଼ିଥାନ୍ତେ । ମଜବୁତ ବୟସରେ ଛାଡି  ନଥିବା ହାତ ବୟଷର ଅପରାହ୍ନରେ କେମିତିବା ଛାଡ଼ିଥାନ୍ତେ । ସେଥିପାଇଁ ଗୋଲିଙ୍କ ପାଖେପାଖେ ରହି ସେବା କରୁଛନ୍ତି ସ୍ୱାମୀ କୈଳାସ ।

ଗୋଲି କ୍ୟାନସରରେ ପୀଡ଼ିତ ହେବା ସମୟରୁ ସ୍ୱାମୀ କୈଳାସ ସେବା କରୁଥିଲେ । ଏବେ ନୁଆଁଣିଆ ଚାଳଘରେ ସଙ୍ଗରୋଧରେ ଥିବା ବେଳେ କରୋନା ସଂକ୍ରମଣକୁ ଭୟ ନକରି ସେବା କରିଆସୁଛନ୍ତି । କାରଣ ଦୀର୍ଘଦିନରୁ ଗୋଲି କରୋନାରେ ଆକ୍ରନ୍ତା ହୋଇ ଅତ୍ୟନ୍ତ ଅସୁସ୍ଥ ହୋଇଛନ୍ତି । କାହା ସାହାଯ୍ୟ ବିନା ସେ ଚାଲିବାତ ଦୂରର କଥା, ଉଠିବା ବସିବା ଓ ଖାଇବା ପାଇଁ ବି ଅସମର୍ଥ । ଏଇ ଦମ୍ପତିଙ୍କ ଭଲପାଇବା ଉଦାହରଣ ସୃଷ୍ଟି କରିଛି  ।

(ଯାଜପୁରରୁ ବିକ୍ରମ କେଶରୀ ସାହୁ)

Leave a Reply