ବିଗିଡ଼ିଛି ଅର୍ଥନୀତି; ସୁଧାରିବା ପାଇଁ ଖଣି ଉପରେ ଭରସା କରିଛନ୍ତି ସରକାର
1 min read
ଭୁବନେଶ୍ୱର: ଜୁଲାଇ ଶେଷ ସୁଦ୍ଧା ୨୬ଟି ଖଣିର ନିଲାମ ପ୍ରକ୍ରିୟାର ଲିଜ୍ ଡିଡ୍ କାର୍ଯ୍ୟ ସଂପାଦନ ହେବ । ମହାମାରୀ ସମୟରେ ଖଣିରୁ ଅଧିକ ରାଜସ୍ୱ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଏପରି ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଛନ୍ତି । ଯାହାଦ୍ୱାରା ପାଖାପାଖି ୩ ହଜାର କୋଟି ରାଜସ୍ୱ ମିଳିବ ବୋଲି ଲକ୍ଷ୍ୟ ରଖିଛି ଖଣି ବିଭାଗ । ସେପଟେ ଖଣି ନିଲାମ ପ୍ରକ୍ରିୟାରେ ପୂର୍ବତନ ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତିଙ୍କ ଉଲ୍ଲେଖନୀୟ ଭୂମିକା ଥିବାରୁ ତାଙ୍କୁ ବିଭାଗର ଓଏସ୍ଡି ଭାବେ ପୁନଃନିଯୁକ୍ତି ଦେଇଛନ୍ତି ସରକାର ।
ମହାମାରୀ ଯୋଗୁଁ ରାଜ୍ୟ ଅର୍ଥନୀତି ସ୍ଥିତି ବିଗିଡିଛି । ଅର୍ଥନୀତିରେ ସୁଧାର ଆଣିବା ନେଇ ଖଣି ନିଲାମ ପ୍ରକ୍ରିୟାକୁ ଫୋକସ୍ କରିଛନ୍ତି ରାଜ୍ୟ ସରକାର । ନିଲାମ ସରିଥିବା ୨୬ଟି ଖଣିର ଲିଜ୍ ଡିଡ୍ ପ୍ରକ୍ରିୟା ଜୁଲାଇ ମାସ ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ଖଣି ବିଭାଗ, ନିଲାମ ହୋଇଥିବା ଏହି ୨୬ଟି ଖଣିରୁ ବର୍ତ୍ତମାନ ସୁଦ୍ଧା ୧୫ଟି ଖଣିର ଲିଜ୍ ଡିଡ୍ ସରିଛି । ଯେଉଁଥିରେ ରାଜ୍ୟ ସରକାର ଅପଫ୍ରଣ୍ଟ ବାବଦକୁ ୨୬ ଶହ କୋଟି ରାଜସ୍ୱ ପାଇଛନ୍ତି । ଜୁଲାଇ ଶେଷସୁଦ୍ଧା ବାକି ଖଣିର ଲିଜ୍ ଡିଡ୍ କାର୍ଯ୍ୟ ଶେଷ କରିବା ପାଇଁ ପ୍ରକ୍ରିୟା ଜୋରଦାର କରିଛି ଖଣି ବିଭାଗ । ଯାହାଫଳରେ ଅପଫ୍ରଣ୍ଟ ଓ ଷ୍ଟାମ୍ପ ଡ୍ୟୁଟି ବାବଦରେ ୩ ହଜାର କୋଟି ଟଙ୍କା ରାଜସ୍ୱ ମିଳିବ ।
ସେପଟେ ଖଣି ରାଜସ୍ୱ ବୃଦ୍ଧିପାଇଁ ଆହୁରି ୧୦ଟି ଖଣିକୁ ନିଲାମ କରିବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସେହିପରି କେନ୍ଦ୍ର ସରକାର ୯ଟି କୋଇଲା ଖଣିକୁ ଅକ୍ସନ କରିବେ । ଏସବୁ ଖଣିରୁ ରାଜ୍ୟ ସରକାର ଅଧିକ ରାଜସ୍ୱ ପାଇବେ । ଚଳିତ ଆର୍ଥିକ ବର୍ଷର ପ୍ରଥମ ୩ ମାସରେ ନିଜସ୍ୱ ଆୟ ୨୩ ପ୍ରତିଶତ ହ୍ରାସ ପାଇଛି । ଟିକସ କ୍ଷେତ୍ରରେ ମଧ୍ୟ ଆୟ ହ୍ରାସ ପାଇଛି । ତେଣୁ ଖଣି ନିଲାମ ପ୍ରକ୍ରିୟା ଆରମ୍ଭ ହେଲେ ରାଜସ୍ୱ ବୃଦ୍ଧି ହେବ ବୋଲି ଅର୍ଥନୈତିକ ବିଶାରଦ ମାନେ ମତ ଦେଇଛନ୍ତି ।
ରାଜ୍ୟ ରାଜସ୍ୱ ଟିକସ ବାବଦରେ ହ୍ରାସ ପାଇଥିଲେ ମଧ୍ୟ ଏହି ଖଣି ନିଲାମ ପ୍ରକ୍ରିୟା ଯୋଗୁଁ ଅଣଟିକସ ବାବଦରେ ୪% ରାଜସ୍ୱ ବୃଦ୍ଧି ପାଇଛି । ଖଣି ନିଲାମ ପ୍ରକ୍ରିୟାକୁ ସଫଳ କରିବା ଦିଗରେ ପୂର୍ବତନ ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତିଙ୍କ ଉଲ୍ଲେଖନୀୟ ଭୂମିକା ଥିବାରୁ ସରକାର ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି । ତାଙ୍କୁ ଖଣି ବିଭାଗର ଓଏସ୍ଡି ଭାବରେ ପୁନଃ ନିଯୁକ୍ତ କରିଛନ୍ତି ।