କୋଭିଡ୍ ସଂକ୍ରମିତ ଓ ଯୋଦ୍ଧାଙ୍କୁ ଦିଆଯିବ ମାନବିକତାର ସ୍ପର୍ଶ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍ ରୋଗୀ ଓ ଯୋଦ୍ଧାଙ୍କୁ ଦିଆଯିବ ମାନବିକତାର ସ୍ପର୍ଶ । କୋଭିଡ୍ ପରିଚାଳନାକୁ ଅଧିକ ଉତ୍ତରଦାୟୀ କରାଯିବ । ଏଥିପାଇଁ ଏହାକୁ ମୋ ସରକାରରେ ସାମିଲ କରାଯିବ । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି । ସ୍ଥିତି ମୁକାବିଲା ପାଇଁ କୋଭିଡ୍ ରୋଗୀ ଓ ଯୋଦ୍ଧାଙ୍କ ମତାମତ ନିଆଯିବ । ସେହିଭଳି ଏବେ ରାଜ୍ୟର ୧୯ଟି ଲାବରେଟୋରିରେ କୋଭିଡ୍ ପରୀକ୍ଷା ହେଉଥିବା ବେଳେ ଆଗକୁ ପୁରୀ, ଅନୁଗୁଳ, ଯାଜପୁର, ଝାରସୁଗୁଡା, କଳାହାଣ୍ଡି ଓ କେନ୍ଦୁଝରରେ ମଧ୍ୟ ପରୀକ୍ଷା ବ୍ୟବସ୍ଥା କରାଯିବ ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ମଧ୍ୟ କୋଭିଡ୍ ଯୋଦ୍ଧା ଓ ରୋଗୀମାନଙ୍କ ଠାରୁ ମତାମତ ସଂଗ୍ରହ କରିବେ । ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଏହା ସହାୟକ ହେବ । ସେହିପରି ରୋଗୀଙ୍କ ପରିବାରକୁ ରୋଗୀର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ସୂଚନା ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
କୋଭିଡ୍ ଯୋଦ୍ଧାମାନେ କିପରି ସଂକ୍ରମଣରୁ ସୁରକ୍ଷିତ ରହିବେ ସେଥିପାଇଁ ସେମାନଙ୍କୁ ଉପଯୁକ୍ତ ତାଲିମ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏଣିକି ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥାପିତ କୋଭିଡ୍ କେୟାର ହୋମ୍ର ତଦାରଖ ପାଇଁ ଅନଲାଇନ୍ ବ୍ୟବସ୍ଥା କରାଯିବ । ଏହା ସହିତ ବିଭିନ୍ନ କୋଭିଡ୍ ଡାକ୍ତରଖାନା ମଧ୍ୟରେ ଆମ୍ବୁଲାନ୍ସ ସେବାକୁ ସୁବ୍ୟବସ୍ଥିତ କରିବାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ସବୁ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏବଂ ହଟ୍ସ୍ପଟ୍ ଜିଲ୍ଲା ମାନଙ୍କରେ ଆଣ୍ଟିଜେନ୍ ଟେଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ଓ ଏସପିଙ୍କ ମତାମତ ଆଧାରରେ ରାଜ୍ୟ ସରକାର ଏକ ଲୋକାଭିମୁଖୀ କୋଭିଡ ମୁକାବିଲା ଯୋଜନା ପ୍ରସ୍ତୁତ କରିଛନ୍ତି ।