ଚତୁର୍ଦ୍ଧା ମୂରତିଙ୍କୁ ଚାହିଁ ରହିଛନ୍ତି ତିନି ରଥ, କିଛି ସମୟ ପରେ ଆରମ୍ଭ ହେବ ପହଣ୍ଡି

1 min read
World Famous Puri Car Festival Today

ପୁରୀ: ରଥ-ପଥ ସବୁ କିଛି ପ୍ରସ୍ତୁତ । କରୋନା କଟକଣା ଭିତରେ ଭକ୍ତର ମନବାଞ୍ଛା ପୂରଣ କରିବେ କାଳିଆ ସାଆନ୍ତ । ବର୍ଷକ ପରେ ପୁଣି ଓହ୍ଲାଇ ଆସିବେ ବଡ଼ଦାଣ୍ଡକୁ । କିନ୍ତୁ, କରୋନା ପାଇଁ ଏଥର ବିନା ଭକ୍ତରେ ଗଡ଼ିବ ରଥ । କର୍ଫ୍ୟୁ କଟକଣା ଭିତରେ ବଡ଼ଦାଣ୍ଡରେ ହେବ ରଥଟଣା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଶାସନ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । କୋଭିଡ୍ ଟେଷ୍ଟ ନେଗେଟିଭ୍ ଆସିଥିବା କର୍ମଚାରୀ ଓ ସେବାୟତ ରଥଯାତ୍ରାରେ ସାମିଲ୍ ହୋଇଛନ୍ତି । ଶାନ୍ତିଶୃଙ୍ଖଳାର ସହ ଘୋଷଯାତ୍ରା କରିବାକୁ ସମସ୍ତ ପଦକ୍ଷେପ ନିଆଯାଇଥିବା ବେଳେ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି ।

ମନ୍ଦିର ଭିତରେ ଶ୍ରୀଜିଉଙ୍କ ନୀତିକାନ୍ତି କରାଯାଉଛି । ପ୍ରାତଃ ୩ଟାରେ ମଙ୍ଗଳ ଆଳତି ପରେ ମଇଲମ ଲାଗି ନୀତି ଅନୁଷ୍ଠିତ ହୋଇଥିଲା । ପରେ ଠାକୁରଙ୍କ ତଡ଼ପ ଲାଗି, ରୋଷ ହୋମ, ଅବକାଶ ନୀତି ସମ୍ପାଦିତ ହୋଇଛି । ସୂର୍ଯ୍ୟପୂଜା ପରେ ଦ୍ଵାରପାଳ ପୂଜା ଓ ବେଶ, ଗୋପାଳ ବଲ୍ଲଭ ଓ ସକାଳ ଧୂପନୀତି ସରିଛି । ରଥ ପ୍ରତିଷ୍ଠା ଓ ମଙ୍ଗଳାର୍ପଣ ପରେ ସକାଳ ୭ଟାରୁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହେବ ।

ସକାଳ ୧୦ଟାରେ ପହଣ୍ଡି ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଦିନ ୧୦ଟାରୁ ୧୦ଟା ୩୦ ମଧ୍ୟରେ ମଦନ ମୋହନ ବିଜେ, ୧୦ଟା ୩୦ରୁ ୧୧ଟା ମଧ୍ୟରେ ଚିତାଲାଗି, ୧୧ଟାରୁ ୧୧ଟା ୩୦ ମଧ୍ୟରେ ବେଶ ଶେଷ କରିବାକୁ ନୀତି ନିର୍ଘଣ୍ଟ କରାଯାଇଛି । ୧୧ଟା ୩୦ରୁ ୧୨ଟା ୧୫ ଭିତରେ ଛେରାପହଁରା କରାଯିବ । ଛେରାପହଁରା ପରେ ରଥଟଣା ପାଇଁ ନୀତିନିର୍ଘଣ୍ଟ ହୋଇଛି । ପୁରୀରେ ଗତକାଲି ରାତିରୁ କର୍ଫ୍ୟୁ ଲାଗୁ ହୋଇଥିବାରୁ ସମସ୍ତେ ଘରେ ରହି ଟେଲିଭିଜନ ମାଧ୍ୟମରେ ଦର୍ଶନ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

୧୧ ବିନ୍ଦୁରେ ଜାଣନ୍ତୁ ପୁରୀ ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ରାୟ

Leave a Reply