ହସ୍ପିଟାଲରୁ ଲୁଚି ଆସିଲେ କରୋନା ରୋଗୀ: ଧରିବାରେ ସହାୟତା କରି କ୍ୱାରେଣ୍ଟାଇନ୍‌କୁ ଗଲେ ସ୍ଥାନୀୟ ଲୋକେ

ଭୁବନେଶ୍ୱର: ଲୁଚି ଆସିଲେ ଚିକିତ୍ସାଧିନ କରୋନା ରୋଗୀ ।  କୋଭିଡ ହସ୍ପିଟାଲରୁ ଲୁଚି ଆସିଲେ ବୃଦ୍ଧ କରୋନା ରୋଗୀ । ଘଟଣା ସମ୍ପର୍କରେ ଅବଗତ ହେବା ପରେ କଳିଙ୍ଗ ଷ୍ଟୁଡିଓ ଛକ ନିକଟସ୍ଥ ତାରିଣୀ ହାଟ ନିକଟରୁ ପୋଲିସ ସହାୟତାରେ ବୃଦ୍ଧଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଆମ୍ବୁଲାନ୍ସ ଯୋଗେ ପୁନର୍ବାର ନିକଟସ୍ଥ କୋଭିଡ ହସ୍ପିଟାଲକୁ ନେଇଛନ୍ତି ଡାକ୍ତରୀ ଦଳ ।

ତେବେ ଉଦ୍ଧାର ବେଳେ ବୃଦ୍ଧଙ୍କର ହାତ ଗୋଡ ବନ୍ଧା ଥିବା ଦେଖିବାକୁ ମିଳିଥିଲା । ବୃଦ୍ଧ ଜଣଙ୍କ ଘର ଭଦ୍ରକ ବୋଲି ଜଣାପଡିଛି  । ତାଙ୍କ ପରିବାର ମଧ୍ୟ କରୋନା ପଜିଟିଭ୍‌ ଥିବା ସନ୍ଦେହ ହେବାପରେ ଏମ୍‌ସ୍‌ରେ ଭର୍ତ୍ତି ହୋଇଥିଲେ । ବୃଦ୍ଧ ଜଣକ ପଜିଟିଭ୍‌ ବାହାରିବା ପରେ ସ୍ଥାନୀୟ ଏକ କୋଭିଡ୍‌ ହସ୍ପିଟାଲକୁ ନିଆଯାଇଥିଲା । ସେଠାରୁ ବୃଦ୍ଧ ଜଣକ କାଗଜପତ୍ର କାମ ଚାଲିଥିବା ବେଳେ ଖସି ପଳାଇଆସିଥିଲେ । ଏନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଚାର ହେବାପରେ ତିନି ଜଣ ସ୍ଥାନୀୟ ଲୋକ ବୃଦ୍ଧଙ୍କୁ ପାଇ ହାତ ଗୋଡ ବାନ୍ଧି ଦେଇଥିଲେ । ବୃଦ୍ଧଙ୍କ ସଂସ୍ପର୍ଶରେ ଆସିଥିବା ସେହି ତିନି ଜଣଙ୍କ ସମେତ ପୂରା ତାଙ୍କ ପରିବାରକୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । କଳିଙ୍ଗ ଷ୍ଟୁଡିଓ ଛକରେ ଆଉ କେହି ବୃଦ୍ଧଙ୍କ ସଂସ୍ପର୍ଶରେ ଆସିଛନ୍ତିକି ନାହିଁ ସେନେଇ ବିଏମ୍‌ସି ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

Leave a Reply