ଆଖି ଅପରେସନ ପାଇଁ ଯାଇଥିଲେ, ଟଙ୍କା ନଦେଇପାରିବାରୁ ଡାକ୍ତରଖାନାରେ ବନ୍ଧା ପଡ଼ିଲେ ରୋଗୀ

ବୁର୍ଲା: ଟଙ୍କା ଦେଇ ନପାରିବାରୁ ଡାକ୍ତରଖାନାରେ ବନ୍ଧା ପଡ଼ିଛନ୍ତି ରୋଗୀ । ବୁର୍ଲାରୁ ଆସିଛି ଏଭଳି ଅଭିଯୋଗ । ଝାରସୁଗୁଡ଼ା ରଘୁନାଥପାଲିର ଧ୍ରୁବ ଭୋଇଙ୍କ ଆଖିରେ ସମସ୍ୟା ଦେଖାଦେବାରୁ ଗତ ୩ ତାରିଖରେ ସେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସେସ୍‌ ଆଣ୍ଡ ରିସର୍ଚ୍ଚ ‘ଭିମ୍‌ସାର୍‌’ର ଚକ୍ଷୁ ବିଭାଗରେ ଭର୍ତ୍ତି ହୋଇଥିଲେ । ତାଙ୍କ ଆଖି ଅପରେସନ୍‌ ପାଇଁ ଡାକ୍ତର ପ୍ରମୋଦ କୁମାର ଶର୍ମା ଟଙ୍କା ଦାବି କରିଥିଲେ ।

ଧ୍ରୁବ ଭୋଇ ୫ ହଜାର ଟଙ୍କା ଦେବା ପରେ ଗତ ୬ ତାରିଖରେ ତାଙ୍କ ଆଖିରେ ଅପରେସନ କରାଯାଇଥିଲା । ବର୍ତ୍ତମାନ ତାଙ୍କ ଆଖି ଭଲ ଅଛି । କିନ୍ତୁ ଆଉ ୧୫ ହଜାର ଟଙ୍କା ଦେଲେ ତାଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯିବ ବୋଲି ଡାକ୍ତର ପ୍ରମୋଦ କୁମାର ଶର୍ମା କହିଥିବା ଅଭିଯୋଗ ହୋଇଛି । ଧ୍ରୁବ ଭୋଇ ଗରିବ ହୋଇଥିବାରୁ ଟଙ୍କା ଦେଇପାରୁନାହାନ୍ତି । ତାଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଉନାହିଁ । ସେ ‘ଭିମ୍‌ସାର’ର ଚକ୍ଷୁ ଭିଭାଗରେ ଏକ ପ୍ରକାର ବନ୍ଧା ପଡ଼ିଛନ୍ତି । ଏ ସମ୍ପର୍କରେ ଆମେ ଡାକ୍ତର ପ୍ରମୋଦ କୁମାର ଶର୍ମାଙ୍କୁ ଯୋଗାଯୋଗ କରିଥିଲୁ ।

କିନ୍ତୁ ସେ କ୍ୟାମେରା ଆଗରେ କିଛି କହିବାକୁ ମନା କରିଥିଲେ । ଏହାପରେ ଡାକ୍ତର ଶର୍ମା ଧ୍ରୁବ ଭୋଇ ଓ ତାଙ୍କ ସମ୍ପର୍କୀୟଙ୍କୁ ଧମକ ଦେବା ସହ କିଛି ସମସ୍ୟା ନାହିଁ ବୋଲି ଏକ ସାଦା କାଗଜରେ ଲେଖାଇ ନେବା ସହିତ ଦସ୍ତଖତ କରାଇ ନେଇଥିବା ଅଭିଯୋଗ ହୋଇଛି । ଏବେ ଧ୍ରୁବ ଭୋଇ ତାଙ୍କ ସମ୍ପର୍କୀୟମାନେ ଅସହାୟ ହୋଇପଡ଼ିଛନ୍ତି ।

Leave a Reply