ଟେଷ୍ଟ ଡେବ୍ୟୁରେ ଅଷ୍ଟ୍ରେଲିଆ ବିରୋଧରେ ଶତକ ମାରିଥିଲେ,ଏବେ ନିର୍ମାଣ ଶ୍ରମିକ
ନୂଆଦିଲ୍ଲୀ: ଭାଗ୍ୟ କେବେ ଯେ କାହାର ବଦଳିଯିବ ତାହା କାହାକୁ ଜଣାନଥାଏ । କେବେ କିଏ ରାଜା ରଙ୍କ ପାଲଟେ ତ’ କେବେ ରଙ୍କ ପାଲଟି ଯାଏ ରାଜା । । ଠିକ୍ ସେହିଭଳି କ୍ରିକେଟ ର ଜଣେ ପ୍ରତିଷ୍ଠିତ ତାରକାଙ୍କ ଭାଗ୍ୟରେ ଏମିତି ପରିବର୍ତ୍ତନ ହୋଇଥିଲା ଯାହା କେହି ବିଶ୍ୱାସ କରିପାରନ୍ତି ନାହିଁ । ଲୁଉ ଭିନସେଣ୍ଟ ଜଣେ ଏମିତି ଖେଳାଳି ଯିଏ ନ୍ୟୁଜିଲାଣ୍ଡ ପାଇଁ ୨୩ଟେଷ୍ଟ ମ୍ୟାଚ୍, ୯ଟି ଟି୨୦ ଓ ୧୦୨ଟି ୱାନଡେ ଖେଳିଛନ୍ତି । ଲଉ ଭିନସେଣ୍ଟ ନିଜ ଆନ୍ତର୍ଜାତୀୟ କ୍ୟାରିୟରରେ ୬ ଶତକ ରେକର୍ଡ କରିଥିଲେ । ଲୁଉ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ବିରୋଧରେ ଶତକ କରିଥିଲେ । କେବଳ ସେତିକି ନୁହେଁ ୨୦୦୫ ମସିହାରେ ଭିନସେଣ୍ଟ ଜିମ୍ବାୱେ ବିରୋଧରେ ୧୭୨ ରନ ସହିତ ୧୧୮ ଟି ଛକା ଓ ଚୌକା କରିଥିଲେ । ଏତେ ହିଟ୍ ତାରକା ହେବା ସତ୍ତ୍ୱେ ଆଜି ଏହି ଖେଳାଳି ଦିନ ମଜରିଆ ଭାବେ ଜୀବନଯାପନ କରୁଛନ୍ତି ।
ଲୁଉ ଭିନସେଣ୍ଟ ନ୍ୟୁଜିଲାଣ୍ଡର ୱାର୍କୱର୍ଥରେ ଜନ୍ମ ହୋଇଥିଲେ। ସେ ପ୍ରସିଦ୍ଧ କ୍ରୀଡା ସାମ୍ବାଦିକ ମାଇକ୍ ଭିନସେଣ୍ଟଙ୍କ ପୁଅ ଥିଲେ। ଯେତେବେଳେ ଭିନ୍ସେଣ୍ଟ ୧୫ ବର୍ଷର ଥିଲେ, ସେତେବେଳେ ତାଙ୍କ ପିତାମାତାଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଏହା ପରେ ସେ ଆଡିଲେଡକୁ ପଳାଇଥିଲେ । ସେଠାରେ ସେ କ୍ରିକେଟ୍ ଖେଳୁଥିଲେ କିନ୍ତୁ ତାଙ୍କୁ ସେଠାରେ ଭଲ ସୁଯୋଗ ମିଳିନଥିଲା । ସେଥିପାଇଁ ୧୮ ବର୍ଷ ବୟସରେ ସେ ନ୍ୟୁଜିଲାଣ୍ଡକୁ ଫେରିବା ପାଇଁ ନିଷ୍ପତ୍ତି ନେଇଥିଲେ ।
ନ୍ୟୁଜିଲାଣ୍ଡ ଫେରିବା ପରେ ୧୯୯୮ ମସିହାରେ ତାଙ୍କୁ ନ୍ୟୁଜିଲାଣ୍ଡ ପାଇଁ ଅଣ୍ଡର ୧୯ ବିଶ୍ୱକପରେ ଖେଳିବାକୁ ସୁଯୋଗ ମିଳିଥିଲା । କେବଳ ସେତିକି ନୁହେଁ ତାଙ୍କୁ ଅକଲାଣ୍ଡରେ ଟିମରେ ମଧ୍ୟ ଏଣ୍ଟ୍ରି ମିଳିଥିଲା । ସେଠାରେ ସେ ଫାଷ୍ଟ କ୍ଲାସ କ୍ରିକେଟ ଖେଳିଥିଲେ । ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୨୦୦୧ ମସିହାରେ ଭିନସେଣ୍ଟ ନ୍ୟୁଜିଲ୍ୟାଣ୍ଡ ଦଳରେ ନିଜ ସ୍ଥାନ ହାସଲ କରିଥିଲେ । ଏବଂ ସେ ଖେଳ ଟିମ୍ ପାଇଁ ସଫଳତା ଜିତିଥିଲେ। ତେବେ ଭିନସେଣ୍ଟ ଜଣେ ପ୍ରତିଷ୍ଠିତ ଓ ଲୋକପ୍ରିୟ ଖେଳାଳି ଥିଲେ ।
ସାରା ଜୀବନ କ୍ରିକେଟ୍ ଖେଳିଥିବା ଲୁଉ ଭିନସେଣ୍ଟ ଏବେ ବଞ୍ଚିବା ପାଇଁ ଏକ କମ୍ପାନୀରେ କାମ କରିବା ଆରମ୍ଭ କରିଥିଲେ । ସେଠାରେ ସେ ବିଲ୍ଡିଂ ରିପେୟାରିଂର କାମ କରୁଥିଲେ । ରିପୋର୍ଟ ଅନୁସାରେ ଭିନସେଣ୍ଟ ପ୍ଲାଟିନମ୍ ହୋମ୍ସ କମ୍ପାନୀ ସହ ଜଡିତ ଥିଲେ । ମ୍ୟାଚ୍ ଫିକ୍ସି ଅଭିଯୋଗରେ ତାଙ୍କ ଉପରେ ଆଜୀବନ ବାସନ୍ଦ ଲାଗୁ ହୋଇଥିଲା । କେବଳ କ୍ରିକେଟ୍ ଖେଳିବା ଉପରେ ନୁହେଁ କ୍ରିକେଟ୍ ସହ ସଂପର୍କିତ କୌଣସି କାମ ସେ କରିପାରିବେ ନାହିଁ ବୋଲି ଆଦେଶରେ କୁହାଯାଇଥିଲା । ଏପରିକି ଷ୍ଟାଡିୟମ ମଧ୍ୟକୁ ତାଙ୍କ ପ୍ରବେଶ ବର୍ଜିତ । କ୍ରିକେଟରୁ ବାସନ୍ଦ ହେବା ପରେ ତାଙ୍କ ପାଖରେ ଚଳିବା ପାଇଁ ଟଙ୍କା ନଥିଲା । ତେଣୁ ସେ ବାଧ୍ୟ ହୋଇ ନିର୍ମାଣ ଶ୍ରମିକ ପାଲଟି ଯାଇଥିଲେ । ଏହାକୁ ହିଁ କୁହନ୍ତି କର୍ମଫଳ ।