ଶ୍ରୀମନ୍ଦିରରେ ନିଶାର୍ଦ୍ଧରେ ଦେବତାମାନେ କେଉଁଠାରେ ସଭା କରନ୍ତି ? ଜାଣନ୍ତୁ

ଶ୍ରୀଜଗନ୍ନାଥ । ଓଡ଼ିଶାର ଓ ଓଡ଼ିଆଙ୍କ ଆରାଧ୍ୟ । ଜଗନ୍ନାଥଙ୍କୁ ନେଇ ରହିଛି ଅନେକ କଥା ଓ କିମ୍ବଦନ୍ତି । ତାଙ୍କ ଦେଉଳ ଯଦି ବଡ ଦେଉଳ ତେବେ ଦାଣ୍ଡ ବଡଦାଣ୍ଡ । ସେମିତି ସେ ବିରାଜମାନ କରନ୍ତି ରତ୍ନ ମଣ୍ଡପରେ । ପୁଣି ରାତିରେ ତାଙ୍କ ସେବାର ଲାଗନ୍ତି ଦେବତା । କୁହାଯାଏ ନିଶାର୍ଦ୍ଧରେ ଦେବଲୋକରୁ ଦେବତା ଓହ୍ଲାଇ ଆସନ୍ତି ମର୍ତ୍ତ୍ୟଲୋକକୁ ଓ ଶ୍ରଜଗନ୍ନାଥ ମନ୍ଦିରରେ କରିଥାନ୍ତି ସଭା । ଦେବତାଙ୍କ ଏହି ସଭା କେଉଁଠାରେ ହୁଏ ଆସନ୍ତୁ ଜାଣିବା..

ରତ୍ନ ମଣ୍ଡପ : ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିର ଉଲ୍ଲେଖ ପ୍ରକାରେ ବଡ଼ ଦେଉଳର ପ୍ଲଟ ନମ୍ବର ୧ରେ ରତ୍ନବେଦୀ ବା ରତ୍ନ ମଣ୍ଡପ ଅବସ୍ଥିତ | ଯେଉଁଥିରେ କି ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ପୂର୍ବାଭିମୁଖପୂର୍ବକ ଅବସ୍ଥାନ କରିଛନ୍ତି |  ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାମକୁ ଶ୍ରୀଦେବୀ, ଶ୍ରୀସୁର୍ଦଶନ ଓ ଶ୍ରୀମାଧବ ଏବଂ ଦକ୍ଷିଣକୁ ଭୂଦେବୀ ବିରାଜମାନ କରିଛନ୍ତି | ଏହି ରତ୍ନ ମଣ୍ଡପର ଲମ୍ବା ୧୬ ଫୁଟ୍ ଓ ପ୍ରସ୍ଥ ୧୩ ଫୁଟ୍ | ରତ୍ନ ମଣ୍ଡପର ଉଚ୍ଚତା ୪ ଫୁଟ୍ ଏହାକୁ ରତ୍ନବେଦୀ, ରତ୍ନ ମଣ୍ଡପ ଓ ରତ୍ନ ସିଂହାସନ ଆଦି ନାମରେ କୁହାଯାଇଥାଏ | ପରଂବ୍ରହ୍ମରୂପୀ ଶ୍ରୀବିଗ୍ରହମାନେ ଏହି ମଣ୍ଡପ ବା ବେଦୀରେ ଅବସ୍ଥାନ କରୁଥିବାରୁ ଏହା ଅତ୍ୟନ୍ତ ପବିତ୍ରମୟ ତଥା ବ୍ରହ୍ମଶିଳାମୟ ହୋଇଛି |

ଦେବସଭା ମଣ୍ଡପ : ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ମୁତାବକ ପ୍ଲଟ ନମ୍ୱର ୩୦ରେ ଦେବସଭା ମଣ୍ଡପ ଅବସ୍ଥିତ | ମୁଖ୍ୟ ମନ୍ଦିର ସଂଲଗ୍ନ ଉତ୍ତର ପାର୍ଶ୍ୱ ତଥା ନାଭିକଟା ମଣ୍ଡପର ପଶ୍ଚିମ ଭାଗରେ ଗୋଟିଏ ବିରାଟ ମୁକ୍ତାକାଶ ଖୋଲା ମଣ୍ଡପ ରହିଅଛି | ଏହା “ଦେବସଭା ମଣ୍ଡପ” ନାମରେ କଥିତ |  ଜନଶ୍ରୁତି ଅନୁଯାୟୀ ନିଶାର୍ଦ୍ଧରେ ଏହି ସ୍ଥାନରେ ଦେବତାମାନେ ସେମାନଙ୍କର ସଭା କରିଥାନ୍ତି ।

Leave a Reply